ପାରାବାରିକ କଳହରୁ ମୁକ୍ତି‌ ଓ ଚାକିରି ଆଶାରେ ବୋହୂକୁ ଗୁଣିଆ ହାତରେ ଟେକିଦେଲେ ଶାଶୂ, ଦୁଷ୍କର୍ମର ଶିକାର ହେଲେ ମହିଳା

ଗୁଣିଆଙ୍କ ମାଡ଼ରେ ମହିଳା ଓ ତାଙ୍କ ପୁଅ ଗୁରୁତର, ଥାନାରେ ଦ୍ବାରସ୍ଥ ହେଲେ ମହିଳା

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ୍‌ ରାଇବଣିଆ ଥାନା ଅଞ୍ଚଳର ଜୈନିକା ମହିଳାଙ୍କୁ ଜଣେ ଗୁଣିଆ ଦୀର୍ଘ ୭୯ ଦିନ ଧରି ଏକ ବନ୍ଦ କୋଠରୀ ଭିତରେ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ବାରମ୍ବାର ଦୁଷ୍କର୍ମ କରିବା ଭଳି ଅଭାବନୀୟ ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ମହିଳାଙ୍କ ସମ୍ପର୍କୀୟମାନେ ବନ୍ଦ କୋଠରୀରେ ଗୁଣିଆ ନଥିବା ବେଳେ ଫୋନ୍‌ କଲ ପାଇ ସେଠାରୁ ଉଭୟ ମା’ ଓ ପୁଅକୁ ଚାରିଦିନ ତଳେ ଉଦ୍ଧାର କରିଥିବା ଜଣାପଡ଼ିଛି। ଏନେଇ ମହିଳା ଜଣକ ଗତକାଲି ଜଳେଶ୍ବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ବିବରଣୀରୁୁ ପ୍ରକାଶ ଯେ ରାଇବଣିଆ ଥାନା ଚମାରଗାଁ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ପୁଅ ନୀଳମଣି ଜେନାଙ୍କ ସହ ୪ ବର୍ଷ ତଳେ ବିବାହ ହୋଇଥିଲା। ଏବେ ତାଙ୍କର ଏକ ଅଢ଼େଇ ବର୍ଷର ପୁଅ ରହିଛି। ବିବାହର ୬ ମାସ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଭଲରେ କଟିଥିବା ବେଳେ ତହିଁ ପରଠାରୁ ସ୍ବାମୀଙ୍କ ସହ ମହିଳାଙ୍କ ମନୋମାଳିନ ଆରମ୍ଭ ହେଲା। ଏହାପରେ ସ୍ବାମୀ, ଶାଶୂ ଓ ଶ୍ବଶୁର ତାଙ୍କୁ ଶାରୀରିକ ନିର୍ଯାତନା ଦେଇଥିଲେ। ଏପରିକି ସ୍ବାମୀ ସହ ଭଲ ସମ୍ପର୍କ ପାଇଁ ଭୋଗରାଇର କଖଡ଼ା, ପୁରୁଷୋତ୍ତମପୁରର ଏସକେ ତରାଫ ନାମକ ଜଣେ ଗୁଣିଆ ପାଖକୁ ଯିବାକୁ ପଡ଼ିବ କହି ଶାଶୂ ସେହି ଗୁଣିଆଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲେ। ଗୁଣିଆଙ୍କ କଥାରେ ରାଜି ନହେଲେ ପୁଅର ଅକାଳ ମୃତ୍ୟୁ ହେବ ଏବଂ ପରିବାରର ଅନିଷ୍ଟ ହେବ ବୋଲି ଶାଶୂ କହି ଗୁଣିଆ ଓ ମହିଳାଙ୍କୁ ଏକ ଘର ଭିତରେ ରଖି ବାହାରୁ ତାଲା ପକାଇ ଦେଇଥିଲେ। ମହିଳାଙ୍କ ଇଚ୍ଛା ବିରୋଧରେ ଗୁଣିଆ ଜଣକ ଦୁଷ୍କର୍ମ କରିଥିଲେ। ଏହାର କିଛି ସପ୍ତାହ ପରେ ପୁଣି ଚାକିରି କରାଇଦେବେ କହି ଶାଶୂ ଏକ କାର୍‌ରେ ବୋହୂକୁ ନେଇଯିବା ସହ ଅଧାବାଟରୁ ଖସି ଚାଲି ଆସିଥିବା ବେଳେ ସେହି ଗୁଣିଆ ଜଣଙ୍କ ନିଶା ଦେଇ ମହିଳାଙ୍କୁ ଚେତା ବୁଡାଇ ଦେଇଥିଲେ। ଆଖି ଖୋଲିବା ବେଳକୁ ମହିଳା ଜଣକ ଏକ ଅଜଣା ସ୍ଥାନରେ ଓ ବନ୍ଦ କୋଠରୀ ମଧ୍ୟରେ ନିଜ ପୁଅ ସହ ଥିବା ଦେଖିବାକୁ ପାଇଥିଲେ। ପରେ ସେହି ସ୍ଥାନଟି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଧୀନସ୍ଥ ବଇଁଚଡ଼ିହା ଗାଁ’ର ବୋଲି ଜାଣି ପାରିଥିଲେ। ଗୁଣିଆ ସେହି ବନ୍ଦ କୋଠରୀ ଭିତରେ ମହିଳାଙ୍କୁ ୭୯ ଦିନ ଧରି ତାଙ୍କର ଅଢ଼େଇ ବର୍ଷର ପୁଅ ସମ୍ମୁଖରେ ବାରମ୍ବାର ଦୁଷ୍କର୍ମ କରିଥିଲେ।

ତେବେ ଗତ ସପ୍ତାହରେ ଗୁଣିଆ ବାହାରୁ ତାଲା ପକାଇ ବାହାରକୁ ଯାଇଥିବା ବେଳେ ଭୁଲରେ ଛାଡ଼ି ଯାଇଥିବା ଫୋନ୍‌ରେ ମହିଳା ଜଣକ ତାଙ୍କ ବାପଘର ଲୋକଙ୍କ ସହ ଯୋଗାଯୋଗ କରିଥିଲେ। ଖବର ପାଇ ପରିବାର ଲୋକେ ମୋରଡ଼ା ପୁଳିସ ସହାୟତାରେ ଗତ ୨୮ ତାରିଖରେ ମହିଳା ଓ ତାଙ୍କ ପୁଅକୁ ସେହି ବନ୍ଦ କୋଠରୀ ଭିତରୁ ଉଦ୍ଧାର କରିଥିବା ଜଣାପଡ଼ିଛି। ଉଦ୍ଧାର ସମୟରେ ଗୁଣିଆ ଖସି ପଳାଇଥିବା କୁହାଯାଇଛି। ବନ୍ଦ କୋଠରୀ ଭିତରେ ଗୁଣିଆର ମାଡ଼ରେ ପୁଅର ଗୋଡ଼ ଭାଙ୍ଗି ଯାଇଥିବା ବେଳେ ମହିଳାଙ୍କ ଦେହର ବିଭିନ୍ନ ଭାଗରେ କ୍ଷତ ଚିହ୍ନ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ମହିଳା ଜଣକ ସ୍ବାମୀ, ଶାଶୂ ଓ ଶ୍ବଶୁର ବିରୋଧରେ ଜଳେଶ୍ବର ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର