ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ଲରମ୍ଭା ଥାନା ଅଞ୍ଚଳରେ ୨୦୨୦ ମସିହାରେ ଘଟିଥିବା ଏକ ଦୁଷ୍କର୍ମ ଓ ହତ୍ୟା ଧମକ ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଜଜ୍ ଶ୍ବେତା ମିଶ୍ର ତାଙ୍କ ରାୟ ଶୁଣାଇଛନ୍ତି। ଏହି ମାମଲାର ଅଭିଯୁକ୍ତ ଲରମ୍ଭା ଥାନା ଅନ୍ତର୍ଗତ ରେଙ୍ଗାଲି ଗାଁର ଲୋଚନ ରଣାକୁ ଦୋଷୀସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରା ଦଣ୍ଡାଦେଶ ଦେଇଛନ୍ତି। ଏହା ସହିତ ୧୦ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ହେଲେ ଅତିରିକ୍ତ ୬ ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି।
ସୂଚନାଯୋଗ୍ୟ ଯେ, ଲରମ୍ଭା ଥାନା ଅଞ୍ଚଳର ଜଣେ ସ୍ବାମୀ ପରିତ୍ୟକ୍ତା ମହିଳା ଶୌଚ ପାଇଁ ଯାଇଥିବା ବେଳେ ଅଭିଯୁକ୍ତ ଲୋଚନତାଙ୍କୁ ଏକୁଟିଆ ଦେଖି ଦୁଷ୍କର୍ମ କରିଥିଲା। ଏହା ପରେ ସେ ପୀଡ଼ିତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଦୁଷ୍କର୍ମ କରିଆସୁଥିଲା। ପୀଡ଼ିତା ଗର୍ଭବତୀ ହେବାରୁ ଲୋଚନ ତାଙ୍କୁ ଗର୍ଭପାତ କରାଇବାକୁ କହି ହତ୍ୟା ଧମକ ଦେଇଥିଲା। ଏନେଇ ପୀଡ଼ିତା ୨୦୨୦ ଅକ୍ଟୋବର ମାସରେ ଥାନାରେ ଅଭିଯୋଗ କରିଥିଲେ। ଏନେଇ ଲରମ୍ଭା ଥାନା ପୁଲିସ କେସ୍ ନଂ ୧୩୪/୨୦ରେ ଅଭିଯୁକ୍ତ ଲୋଚନକୁ କୋର୍ଟଚାଲାଣ କରିଥିଲା। ଲୋଚନ ଜେଲ୍ରେ ଥିବା ସମୟରେ ପୀଡ଼ିତା ଏକ ଶିଶୁକୁ ଜନ୍ମ ଦେଇଥିଲେ। ପରେ ଶିଶୁର ଡିଏନ୍ଏ ପରୀକ୍ଷା କରାଯାଇଥିଲା ଓ ତାହା ଲୋଚନଙ୍କ ଡିଏନ୍ଏ ସହ ମେଳ ଖାଇଥିବା ରିପୋର୍ଟ ଆସିଥିଲା। ଏହି ମାମଲାରେ ଅଦାଲତ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବୁଧବାର ଉପରୋକ୍ତ ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଭକ୍ତରାମ ବାଗ ମକଦ୍ଦମା ପରିଚାଳନା କରିଥିଲେ।