୩୦ କିଲୋମିଟର ଚାଲିଚାଲି ଆସି ବାଲେଶ୍ୱରରେ ପହଞ୍ଚିବା ପରେ ପୁଲିସ ଓ ସ୍ବେଚ୍ଛାସେବୀ ସଂଗଠନର ସହାୟତାରେ ନିଜ ଗାଁକୁ ଫେରିଲେ ମହିଳା

ବାଲେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନାର ମୁକାବିଲା ପାଇଁ ଭାରତରେ ୨୧ ଦିନିଆ ତାଲାବନ୍ଦ ଘୋଷଣା କରିବା ପରେ ଆଜି ବାଲେଶ୍ୱରର ଜଣେ ମହିଳା ୩୦ କିଲୋମିଟର ଚାଲିଚାଲି ଆସି ବାଲେଶ୍ୱରର ଫକୀରମୋହନ ଗୋଲେଇରେ ପହଞ୍ଚିଥିଲେ। ତାଙ୍କ ଅସୁବିଧା କଥା ଶୁଣିବା ପରେ ତାଙ୍କୁ ଏକ ସ୍ବେଚ୍ଛାସେବୀ ସଂଗଠନ ନିଜ ଗାଁକୁ ପଠାଇବାର ବ୍ୟବସ୍ଥା କରିଛି।

ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲାର ରୁପସା ଥାନା ଅନ୍ତର୍ଗତ ଆଗରଗହିରା ଗାଁର ଦାମୋଦର ଜେନାଙ୍କ ସ୍ତ୍ରୀ କାଞ୍ଚନ ଜେନା(୫୫) ଗତ ୨୨ ତାରିଖ ଦିନ ନିଜ ଝିଅର ସନ୍ତାନ ପ୍ରସବ ସମୟରେ ତାଙ୍କ ପାଖରେ ରହିବା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସଳୟକୁ ଯାଇଥିଲେ। ସେଠାରୁ ଝିଅ ଗତକାଲି ଡିସଚାର୍ଜ ହେବା ପରେ ଜ୍ବାଇଁ ଶାଶୁ କାଞ୍ଚନ ଜେନାଙ୍କୁ ବାଇକରେ ଆଣି ଜାମଝାଡ଼ିରେ ଛାଡ଼ିଥିଲେ।

ସେଠାରେ ପୁଲିସ୍ ଅଟକାଇବାରୁ ସେ ଆଉ ଆଗରଗହିରା ଗାଁରେ ନେଇ ଶାଶୁଙ୍କୁ ଛାଡ଼ି ପାରି ନଥିଲେ। ଏହାପରେ କାଞ୍ଚନ ପ୍ରାୟ ୩୦ କିଲୋମିଟର ବାଟ ଚାଲିଚାଲି ଆଜି ବାଲେଶ୍ୱରର ଫକୀରମୋହନ ଗୋଲେଇରେ ପହଞ୍ଚିଥିଲେ। ତାଙ୍କ କଥା ଶୁଣିବା ପରେ ଜଗନ୍ନାଥ ମାରାଣ୍ଡି ନାମକ ଜଣେ ଏଏସଆଇ  ପରେ କାଞ୍ଚନ ଜେନାଙ୍କୁ ନିଉଟନ୍ ନାମକ ଏକ ସ୍ବେଚ୍ଛାସେବୀ ସଂଗଠନର ସହାୟତାରେ ନିଜ ଗାଁକୁ ପଠାଇବାର ବ୍ୟବସ୍ଥା କରିଛନ୍ତି। ଏହି ଘଟଣା ଏବେ ବାଲେଶ୍ବରରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର