କେନ୍ଦ୍ରାପଡ଼ା : କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

ରାଜକନିକା : କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ଜଣେ ମହିଳା କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କୁମ୍ଭୀରଟି ତାଙ୍କ ଗୋଡ଼କୁ କାମୁଡ଼ି ଧରିଥିବା ବେଳେ ମହିଳା ଜଣକ ସଂଘର୍ଷ କରି ନିଜ ଜୀବନ ବଞ୍ଚାଇ ପାରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଗତ ୭ ତାରିଖ ଦିନ ରାଜକନିକା ବ୍ଲକ ଅନ୍ତର୍ଗତ ଜୟନଗର ପଞ୍ଚାୟତର ଖୁଣ୍ଟା ଗ୍ରାମର ସଜନୀ ମଳିକ(୪୦) ବିଲକୁ ତଳି ବାଛିବାକୁ ଯାଇଥିଲେ। ସଜନୀ ସେଠାରେ ଖାଇ ସାରି ପାଖରେ ଥିବା ଯୋରରେ ବାସନ ଧୋଉଥିଲେ। ଏହି ସମୟରେ ଯୋର ଭିତରେ ଥିବା ଏକ ବଉଳା କୁମ୍ଭୀର ହଠାତ୍ ସଜନୀଙ୍କୁ ଆକ୍ରମଣ କରି ତାଙ୍କ ବାମ ଗୋଡ଼କୁ କାମୁଡ଼ି ଧରିଥିଲା। ଜୀବନ ବିକଳରେ ସଜନୀ ବେଣା ବୁଦାକୁ ଜାବୁଡ଼ି ଧରି ଲୋକଙ୍କୁ ଡାକ ପକାଇଥିଲେ। କିଛି ସମୟ ଧରି କୁମ୍ଭୀର ଓ ସଜନୀଙ୍କ ମଧ୍ୟରେ ଟଣାଘୋଷରା ଲାଗି ରହିଥିଲା। ପ୍ରାଣମୂର୍ଚ୍ଛା ସଂଘର୍ଷ ଭିତରେ କୁମ୍ଭୀରଟି ଶେଷରେ ସଜନୀଙ୍କୁ ଛାଡ଼ି ପଳାଇ ଯାଇଥିଲା। ଆଖପାଖରେ ଥିବା ଲୋକେ ତାଙ୍କୁ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ତାଙ୍କ ଅବସ୍ଥା ଏବେ ବି ଗୁରୁତର ଥିବା କୁହାଯାଉଛି।

ସମ୍ବନ୍ଧିତ ଖବର