ରାଉରକେଲା: ମହିଳାଙ୍କ ବୟସ ପାଖାପାଖି ୪୪ ବର୍ଷ ହେବ। ଦୁଇ ନାବାଳକ ପୁଅ। କିନ୍ତୁ ଏକ କୋଠରୀରେ ବନ୍ଦ କରିଦିଆଯାଇଥିଲା। କେବଳ ଦିନେ କି ଦୁଇ ଦିନ ନୁହେଁ, ପ୍ରାୟ ଦେଢ଼ ବର୍ଷ ଧରି ୮୦ ବର୍ଗଫୁଟ ବିଶିଷ୍ଟ ଏକ କୋଠରୀରେ ବନ୍ଦୀ ଜୀବନ କାଟୁଥିଲେ। ଘର ବାହାରୁ ତାଲା ପକାଇଦେଇଥିଲେ। ଏମିତିକି ପୁଅଙ୍କୁ ଦେଖିବାକୁ ମଧ୍ୟ ସୁଯୋଗ ଦିଆଯାଉନଥିଲା। ଏଭଳି ଏକ ସମ୍ବେଦନଶୀଳ ଘଟଣା ଆଜି ସ୍ଥାନୀୟ ଝୀରପାଣି ଅଞ୍ଚଳରେ ଦେଖିବାକୁ ମିଳିଛି। ଘଟଣା ବିଷୟରେ ଖବର ପାଇ କିଛି ସମାଜସେବୀ ମହିଳାଙ୍କୁ ଉଦ୍ଧାର କରିଛନ୍ତି। ତେବେ ବନ୍ଦ କୋଠରୀରେ ଦେଢ଼ ବର୍ଷ ସମୟ ଅତିବାହିତ କରିବା ସହ ପିଲାଛୁଆଙ୍କଠାରୁ ଦୂରେଇ ରହିବାକୁ ଯୋଗୁଁ ସେ ଏବେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ରାଉରକେଳା ସରକାରୀ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଛି।
କେନ୍ଦୁଝରର ଅତି ଗରିବ ପରିବାର ରଞ୍ଜିତ ଲାହିରୀ କିଛି ବର୍ଷ ପୂର୍ବେ ରାଉରକେଲାର ସନ୍ତୋଷ ଲାହିରୀଙ୍କୁ ପ୍ରେମ ବିବାହ କରିଥିଲେ। ତାଙ୍କ ଔରସରୁ ଦୁଇ ପୁଅ(୯ ଓ ୪ ବର୍ଷ) ଜନ୍ମ ହୋଇଥିଲେ। ସ୍ବାମୀ-ସ୍ତ୍ରୀ ଝିରପାଣିରେ ଶ୍ବଶୂର ମନବୋଧନ ଲାହିରୀ(୬୮)ଙ୍କ ସହ ରହୁଥିଲେ। ତେବେ ପ୍ରାୟ ଦୁଇ ବର୍ଷ ପୂର୍ବେ ସ୍ବାମୀଙ୍କ କୁଆଡ଼େ ଅନ୍ୟ ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଗଢ଼ିଉଠିଥିଲା। ଏହାକୁ ରଞ୍ଜିତା ବାରଣ କରିବାରୁ ତାଙ୍କୁ ଶାରୀରିକ, ମାନସିକ ନିର୍ଯ୍ୟାତନା ଆରମ୍ଭ ହୋଇଯାଇଥିଲା।
ପ୍ରାୟ ଦେଢ଼ ବର୍ଷ ପୂର୍ବେ ରଞ୍ଜିତାଙ୍କୁ ଏକ ଘରେ ନଜରବନ୍ଦୀ କରିଦଇେଥିଲେ। ଇଚ୍ଛା ହେଲେ ଝରକା ପଟୁ ଖାଦ୍ୟ ଦେଉଥିଲେ। ଠିକ୍ ସମୟରେ ଖାଇବାକୁ ମଧ୍ୟ ଦିଆଯାଉନଥିଲା। ସେହି ଛୋଟ କୋଠରୀ ଭିତରେ ରଞ୍ଜିତା ଖାଇବା ପିଇବା, ଶୋଇବା, ଶୌଚ ଆଦି କରୁଥିଲେ। ରୁମ୍କୁ ସଫା ବି କରାଯାଉନଥିଲା। କୋଠରୀ ଭିତରେ କୁଢ଼କୁଢ଼ ଅଳିଆଆବର୍ଜନା ପଡ଼ିରହିଥିଲା। ରୁମ୍ ଭିତରୁ ବାହାରୁଥିବା ଦୁର୍ଗନ୍ଧଯୋଗୁଁ ନାକ ଫାଟିଯାଉଥିଲା। ଏନେଇ ଆଜି ସମାଜସେବୀ ପ୍ରକାଶ ପାଶ୍ବାନ, ଦେବୀକା ମିଶ୍ର, ଅନୀତା ସାହୁ, ବିଶ୍ବଜିତ ରାଉତ, ରୁନୁ ପ୍ରମୁଖ ସୂଚନା ପାଇବାପରେ ଝିରପାଣି ପୁଲିସର ଦ୍ବାରସ୍ଥ ହୋଇଥିଲେ। ପରେ ପୁଲିସ ଉପସ୍ଥିତିରେ ରଞ୍ଜିତାଙ୍କୁ ଉଦ୍ଧାର କରି ଆର୍ଜିଏଚ୍ରେ ଭର୍ତ୍ତି କରିଛନ୍ତି।
ବର୍ତ୍ତମାନ ରଞ୍ଜିତା ମାନସିକ ସନ୍ତୁଳନ ହରାଇସାରିଥିବା ପରି ମନେ ହୁଏ। ଅବଶ୍ୟ ମଝିରେ ମଝିରେ ସେ ସ୍ବାଭାବିକ୍ଭାବେ କଥାବାର୍ତ୍ତା କରୁଛନ୍ତି। କିଭଳି ସ୍ବାମୀ, ଶ୍ବଶୂର ମାଡ଼ପିଟ କରୁଥିଲେ, ଠିକ୍ ଭାବେ ଖାଇବାକୁ ଦେଉନଥିଲେ ସେ ବିଷୟରେ କହିଥିଲେ। ମାତ୍ର ପର ମୂହୁର୍ତ୍ତରେ ପୁନର୍ବାର ଅସ୍ବାଭାବିକ୍ ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ପଡ଼ୋଶୀଙ୍କ କହିବାନୁନସାରେ, ରଞ୍ଜିତାଙ୍କ ଚାଲିଚଳଣ, ସ୍ବଭାବ ବେଶ୍ ଭଲ ଥିଲା। ସେ ସମସ୍ତଙ୍କ ସହ ମିଶିକି ରହୁଥିଲେ। କିନ୍ତୁ ବିଭିନ୍ନ ସମୟରେ ସ୍ବାମୀ ଓ ଶ୍ବଶୁର ତାଙ୍କୁ ମାଡ଼ପିଟ କରୁଥିଲେ ବୋଲି କହିଛନ୍ତି ପଡ଼ୋଶୀ। ପୀଡ଼ିତାଙ୍କ ଶ୍ବଶୂର ମନବୋଧନ ଲାହିରୀ କହିଛନ୍ତି, ତିନିଦିନ ହେଲା ସନ୍ତୋଷ କୋଲାକାତା ଯାଇଛନ୍ତି। ରଞ୍ଜିତା ସବୁବେଳେ ପାଟିତୁଣ୍ଡ, ଗଣ୍ଡଗୋଳ କରୁଥିଲେ। ଏଣୁ ବାଧ୍ୟହୋଇ ତାଙ୍କୁ କୋଠରୀ ଭିତରେ ରଖାଯାଇଥିଲା। ଏଭଳି ପରିସ୍ଥିତିରେ ରଞ୍ଜିତାଙ୍କ ଚିକିତ୍ସା ଓ ଦୁଇ ନାବାଳକ ପୁଅର ସାମାଜିକ ସୁରକ୍ଷା ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହୋଇଛି।