ଭୁବନେଶ୍ୱରର ଘରୋଇ ହସ୍‌ପିଟାଲରୁ ବିନା ଚିକିତ୍ସାରେ ଫେରିଲେ ମହିଳା, ଡାକ୍ତର ଫି’ ଓ ପରୀକ୍ଷା ବାବଦକୁ ନେଇଗଲେ ୨୬ ହଜାର

ସୁନ୍ଦରଗଡ଼: କୁଚେଡେଗା ପଞ୍ଚାୟତ ପାଣ୍ଡିଆପାଲିର ଚନ୍ଦ୍ରକାନ୍ତି ନାଏକ (୫୫)। ସ୍ତନ କର୍କଟରେ ଆକ୍ରାନ୍ତ ଏହି ମହିଳାଙ୍କୁ ପରିବାର ଲୋକେ ୨୧ ତାରିଖରେ ନେଇଥିଲେ ଭୁବନେଶ୍ବରର ଏକ ବଡ଼ ଜାତୀୟସ୍ତରର ଘରୋଇ ହସ୍ପିଟାଲ୍। ହାତରେ ଥିଲା ମାତ୍ର ତିନି ଦିନ ତଳେ ମିଳିଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ। ଏହା ସହ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କ ସ୍ଥାନାନ୍ତର ପତ୍ର (ରେଫରାଲ) ଓ ରୋଗର ବିସ୍ତୃତ ରିପୋର୍ଟ। ସମସ୍ତ ପ୍ରକାର ପରୀକ୍ଷାନିରୀକ୍ଷା ଠାରୁ ଚିକିତ୍ସା ଯାଏ ସବୁ କିଛି କାର୍ଡରେ ହେବ ବୋଲି କୁହାଯାଇଥିଲା। କିନ୍ତୁ ସେଠାରେ ପହଞ୍ଚିଲା ବେଳକୁ ତାଙ୍କୁ ବହୁ ବିପରୀତ ଚିତ୍ର ସାମ୍ନା କରିବାକୁ ପଡ଼ିଥିଲା।

ସିଡିଏମଓଙ୍କ ସ୍ଥାନାନ୍ତର ପତ୍ର କି ରିପୋର୍ଟ ଦେଖିବାକୁ ମନା କରିଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ। ଏପରିକି ଡାକ୍ତର ଦେଖିବା ଓ ସବୁ ପରୀକ୍ଷାନିରୀକ୍ଷା ପରେ ଆବଶ୍ୟକ ଚିକିତ୍ସା ବେଳକୁ ବିଜୁ କାର୍ଡ କାମରେ ଆସିବ ବୋଲି କୁହାଗଲା। ଏହା ସହ ଡାକ୍ତରୀ ଫି’ ଓ ପରୀକ୍ଷା ବାବଦକୁ ୨୬ ହଜାର ଟଙ୍କା ଜମା କରିବାକୁ ହୋଇଥିଲା ନିର୍ଦ୍ଦେଶ। ଡାକ୍ତରଖାନାରେ ଥିବା ସ୍ବାସ୍ଥ୍ୟମିତ୍ରଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କିଛି ଫଳ ହୋଇ ନଥିଲା। ସେମାନେ ମଧ୍ୟ ଡାକ୍ତରୀ ଫି’ ଓ ପରୀକ୍ଷା ଖର୍ଚ୍ଚ ନିଜେ ବହନ କରିବାକୁ ପରାମର୍ଶ ଦେଇଥିଲେ। ଏସ୍ଥିତିରେ ଦୂର ଡାକ୍ତରଖାନା କଥା, କେତେବେଳେ କୌଣସି ଜରୁରୀ ସମୟରେ ଆବଶ୍ୟକ ହେବ ବୋଲି ବହୁ କଷ୍ଟରେ ଯୋଗାଡ଼ କରି ଧରିଥିବା ୩୦ ହଜାର ଟଙ୍କାରୁ ୨୬ ହଜାର ଗଣି ଦେଇଥିଲେ ସଙ୍ଗରେ ଯାଇଥିବା ପୁତୁରା ଚନ୍ଦ୍ରମଣି।

ପରୀକ୍ଷା ରିପୋର୍ଟ ଆସି ନଥିବା ଓ ହାତରେ ଥିବା ଟଙ୍କା ସରି ଯାଇଥିବାରୁ ହତାଶ ହୋଇ ସ୍ତନକର୍କଟ ଆକ୍ରାନ୍ତ ଚନ୍ଦ୍ରକାନ୍ତିଙ୍କୁ ନେଇ ଗାଁକୁ ଫେରି ଆସିଥିଲେ ପରିବାର। ୫ ମାସ ତଳେ ମହିଳାଙ୍କ ସ୍ତନରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ବୁର୍ଲା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ସେଠାରେ ପରୀକ୍ଷାନିରୀକ୍ଷା ପରେ ଟ୍ୟୁମର ହୋଇଛି କହି ଡାକ୍ତର ଅସ୍ତ୍ରୋପଚାର କରିଥିଲେ। କିଛି ଦିନ ଡାକ୍ତରଙ୍କ ନିରୀକ୍ଷଣରେ ରହିବା ପରେ ସାମାନ୍ୟ ସୁସ୍ଥ ହେବାରୁ ଔଷଧ ଦେଇ ଘରକୁ ନେଇ ଆସିଥିଲେ ପରିବାର। କିନ୍ତୁ ଘରେ ୩ ମାସ ରହିବା ଭିତରେ ମହିଳାଙ୍କ ସ୍ତନରେ ଘା’ ହୋଇଥିଲା। ତୁରନ୍ତ ତାଙ୍କୁ ବୁର୍ଲା ନିଆଯାଇଥିଲା, ଡାକ୍ତର ପରୀକ୍ଷା କରି ସ୍ତନ କର୍କଟ ହୋଇଥିବା କହି ଭୁବନେଶ୍ବର କିମ୍ବା କଟକ ନେଇଯିବାକୁ ପରାମର୍ଶ ଦେଇଥିଲେ।

ତେବେ ବଡ଼ ଡାକ୍ତରଖାନାକୁ ନେବା ପାଇଁ ହାତରେ ଅର୍ଥ ନଥିବାରୁ ସୁନ୍ଦରଗଡ଼ ଡାକ୍ତରଖାନାର କର୍କଟ ୟୁନିଟରେ ଭର୍ତ୍ତି କରିଥିଲେ। ଏହା ମଧ୍ୟରେ ଗତ ୧୭ ତାରିଖରେ ମହିଳାଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ମିଳିଥିଲା। ଏହା ପରେ ମାଗଣା ଚିକିତ୍ସା ପାଇ ସୁସ୍ଥ ହେବେ ବୋଲି ତାଙ୍କ ମନରେ ବଡ଼ ଆଶା ଜାଗିଥିଲା। କିନ୍ତୁ ଆପୋଲୋ ହସ୍ପିଟାଲକୁ ଯିବା ପରେ ତାଙ୍କ ଆଶା ମଉଳି ଯାଇଥିଲା। ଅର୍ଥ ଅଭାବରୁ ଚିକିତ୍ସିତ ହୋଇ ନପାରି ସେ ଏବେ ଘରେ ଶଯ୍ୟାଶାୟୀ। ଦାରିଦ୍ର ସୀମାରେଖା ତଳେ ବସବାସ କରୁଥିବା ପରିବାରକୁ ମାଗଣା ସ୍ଵାସ୍ଥ୍ୟ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ପ୍ରଣୟନ କରିଛନ୍ତି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା। ପ୍ରତ୍ୟେକ ପରିବାର ୫ ଲକ୍ଷ ଟଙ୍କା ଓ ମହିଳାମାନେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସେବା ପାଇବାକୁ ଯୋଜନାରେ ବ୍ୟବସ୍ଥା ଥିବା ପ୍ରକାଶ। କିନ୍ତୁ ବାସ୍ତବରେ ଅନୁବନ୍ଧିତ ଘରୋଇ ହସ୍ପିଟାଲଗୁଡ଼ିକ ଏହି ସ୍ମାର୍ଟ କାର୍ଡକୁ କେତେ ଗୁରୁତ୍ବ ଦେଉଛନ୍ତି ସୁନ୍ଦରଗଡ଼ର ଚନ୍ଦ୍ରକାନ୍ତି ତାର ଏକ ନିଚ୍ଛକ ଉଦାହରଣ।

ସମ୍ବନ୍ଧିତ ଖବର