ବିଧବା ଯୁବତୀଙ୍କୁ ଆଲିଗଡ଼ରେ ବିକ୍ରି!

ଶିକ୍ଷକପଡ଼ା ଯୁବକ ଦଲାଲିର କାର୍ପଟ୍‌ଦାର, ଫୋନ୍‌ କରି କାନ୍ଦୁଛି ଝିଅ, କହୁଛି ମୋତେ ବିକ୍ରି କରାଯାଇଛି: ମା

ଅନୁଗୁଳ : ବିଧବା ଝିଅ। ସାଥୀରେ ଚାରି ବର୍ଷର ପୁଅ। ବଡ଼ କାମ ଲୋଭ ଦେଖାଇ ଉତ୍ତରପ୍ରଦେଶ ଆଲିଗଡ଼ ଜିଲ୍ଲା ହଡ଼ଦ୍ବାଗଞ୍ଜ୍‌ ଅଞ୍ଚଳକୁ ଝିଅକୁ ନେଇଗଲା ଦଲାଲ୍। ସେଠାରେ କରିଦେଲା ବିକ୍ରି। ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ତୁକୁଡ଼ା ଗାଁର ବୃଦ୍ଧା ମହିଳା ଏମିତି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ଶିକ୍ଷକପଡ଼ାର ଜଣେ ଭିନ୍ନ ସଂପ୍ରଦାୟର ଯୁବକ ଦଲାଲି ପଛର କାର୍ପଟ୍‌ଦାର ବୋଲି ସେ ସିଧାସିଧା ଅଭିଯୋଗ କରିବା ସହିତ ଏନେଇ ଗତ ମେ ୨୨ତାରିଖ ଦିନ ଅନୁଗୁଳ ଥାନାରେ ଅଭିଯୋଗ କରିଥିବା କହିଛନ୍ତି। କିନ୍ତୁ, ରାତି ପାହିଲେ ନିର୍ବାଚନ ଗଣତି ଯୋଗୁ ଅଭିଯୋଗକୁ ଏତେଟା ଗୁରୁତ୍ବ ଦିଆଯାଇ ନାହିଁ। ଏବେ ସୁଦ୍ଧା ଝିଅର କୌଣସି ଖୋଜ୍‌ ଖବର ନାହିଁ ବୋଲି ଝିଅର ମା’ ଗଣମାଧ୍ୟମକୁ କହିଛନ୍ତି।

ବୃଦ୍ଧାଙ୍କ କହିବା ମୁତାବକ, କିଛି ବର୍ଷ ତଳେ ଝିଅର ବାହାଘର ହୋଇଥିଲା। ପୁଅଟିଏ ଜନ୍ମ ହୋଇଛି। ଦୁର୍ଘଟଣାରେ ଜ୍ବାଇଁର ମୃତ୍ୟୁ ହେବା ପରେ ଶ୍ବଶୁର ଘର ଲୋକେ ଝିଅକୁ ଘରୁ ବାହାର କରିଦେଇଥିଲେ। ଛୋଟ ପୁଅ ସହ ନିଜ ପେଟ ପୋଷିବାକୁ ଝିଅ ଅନୁଗୁଳକୁ ଚାଲି ଆସିଥିଲା। ଅମଲାପଡ଼ା ଗାନ୍ଧୀମାର୍ଗ ଶିବ ମନ୍ଦିର ନିକଟରେ ଘର ଭଡ଼ା ନେଇ ରହିଥିଲା। ପର ଘରେ ବାସନକୁସନ ମାଜି ଓ ମୂଲ ମଜୁରି କରି ପେଟ ପୋଷୁଥିଲା।

ମୋ ଝିଅର କପାଳରୁ ସିନ୍ଦୂର ଲିଭିଗଲା ସିନା, କିନ୍ତୁ, କୁଚକ୍ରୀ ଦଲାଲର ଆଖି ଝିଅର ସୁନ୍ଦର ଚେହେରାରୁ ହଟିଲା ନାହିଁ। ତା’ର ଦାରିଦ୍ର୍ୟର ସୁଯୋଗ ନେଇ ଶିକ୍ଷକପଡ଼ାରେ ରହୁଥିବା ଭିନ୍ନ ସଂପ୍ରଦାୟର ଜଣେ ଦଲାଲ୍ ଝିଅ ସହ କଥାବାର୍ତ୍ତା କରିଥିଲା। ତାକୁ ଓଡ଼ିଶା ବାହାରେ କୁଆଡ଼େ ଭଲ ଜାଗାରେ କାମ ଦେବ କହି ପ୍ରଲୋଭିତ କରିଥିଲା। ଉତ୍ତରପ୍ରଦେଶ ଆଲିଗଡ଼ ଜିଲ୍ଲା ହଡ଼ଦ୍ବାଗଞ୍ଜ୍‌ରେ ଦଲାଲି କରୁଥିବା ଜଣେ ଯୁବକ ସହ ଯୋଗାଯୋଗ କରି ଅନୁଗୁଳରୁ ଝିଅକୁ ନେଇଥିଲା। କିନ୍ତୁ, ତା’ ପରଠାରୁ ଝିଅର ଖୋଜ୍‌ ଖବର ନାହିଁ। କିଛି ଦିନ ତଳେ ହଠାତ୍‌ ଝିଅ ଗାଁ ପଡ଼ୋଶୀଙ୍କୁ ଫୋନ୍‌ କରି ଜଣାଇଥିଲା, ଭିନ୍ନ ସଂପ୍ରଦାୟର ଯୁବକଜଣକ ତାକୁ ପ୍ରତାରିତ କରିଛି। କାମ ଦେବା ନାଁରେ ସେଠାରେ ତାକୁ ବିକ୍ରି କରି ଦେଇଛି। ସେଠାରେ ନିର୍ଯାତନା ଦିଆଯାଉଛି। କାହା ସହ ଯୋଗାଯୋଗ କରାଇ ଦିଆଯାଉ ନାହିଁ। ଏଠାରୁ ମୁକୁଳିବା ବାଟ ପୂରା ବନ୍ଦ ଭଳି ଲାଗୁଛି ବୋଲି ଝିଅ ଫୋନ୍‌ରେ କାନ୍ଦି କାନ୍ଦି କହିଥିଲା। ତା’ ପରଠାରୁ ଝିଅ ସହ ଆଉ କୌଣସି ମତେ ଯୋଗାଯୋଗ ହୋଇ ପାରୁନାହିଁ। ପରିବାର ଲୋକେ ଶିକ୍ଷକପଡ଼ାର ସମ୍ପୃକ୍ତ ଦଲାଲକୁ ପଚାରିବାରୁ ସେ କହିଥିଲା, ତୁମ ଝିଅ ସେଠାରେ ଭଲରେ ଅଛି। ନିର୍ବାଚନ ବେଳେ ଭୋଟ୍ ଦେବାକୁ ଆସିବ। କିନ୍ତୁ, ତା’ ପରଠାରୁ ଆଉ ଶୁଣୁ ନାହିଁ। ଏନେଇ ଭୋଟ୍‌ ଗଣତି ପୂର୍ବ ଦିନ (ମେ ୨୨ତାରିଖ) ଅନୁଗୁଳ ଥାନାରେ ବୃଦ୍ଧା ଅଭିଯୋଗ କରିଥିଲେ। କିନ୍ତୁ, ନିର୍ବାଚନ ପାଇଁ ପୁଲିସ ଏତେଟା ଗୁରୁତ୍ବ ଦେଇନାହିଁ। ଇତିମଧ୍ୟରେ ଦିନ ପରେ ଦିନ ଗଡ଼ି ଗଲାଣି। କିନ୍ତୁ, ଝିଅର ଖବର ମିଳୁ ନାହିଁ। ତେଣୁ ଆଜି ଝିଅର ମା’ ଏବଂ ଚୌଦ୍ବାରରେ ରହୁଥିବା ଭଉଣୀ ଏସ୍‌ପି ଏବଂ ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିବା ବେଳେ ଗଣମାଧ୍ୟମ ଆଗରେ ସବୁ କଥା ବଖାଣିଥିଲେ‌। ସରକାରୀ ଛୁଟି ଯୋଗୁ କୌଣସି ଅଧିକାରୀଙ୍କୁ ଭେଟି ନ ପାରି ନିରାଶ ହୋଇ ଫେରିଛନ୍ତି।

ଅନ୍ୟପକ୍ଷରେ ବିକ୍ରି ଅଭିଯୋଗକୁ ଅନୁଗୁଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ଅସ୍ବୀକାର କରିଛନ୍ତି। କହିଛନ୍ତି, ଝିଅ ଅନୁଗୁଳରେ ଭଡ଼ା ଘର ନେଇ ରହୁଥିଲା। ଶିକ୍ଷକପଡ଼ାର ସମ୍ପୃକ୍ତ ଯୁବକ ସାଥୀରେ ସହମତିରେ ସେ ଉତ୍ତରପ୍ରଦେଶକୁ ଯାଇଛି। କିନ୍ତୁ, ବିକ୍ରି ଅଭିଯୋଗ ଉପରେ ସନ୍ଦେହ ଉପୁଜିଛି। ଏନେଇ ପରିବାର ଲୋକ ଥାନାରେ କୌଣସି ଲିଖିତ ଅଭିଯୋଗ କରି ନାହାନ୍ତି। କେବଳ ମୌଖିକ ଭାବେ କହିଥିଲେ। ତା’ ପରଠାରୁ ଆଉ ଥାନାକୁ ଆସି ନାହାନ୍ତି। ଥାନା ପକ୍ଷରୁ ଶିକ୍ଷକପଡ଼ାର ସମ୍ପୃକ୍ତ ଯୁବକଙ୍କୁ ଡକାଯାଇଥିଲା। କିନ୍ତୁ, ତାହା ସହ ଭେଟ ହୋଇ ପାରିନାହିଁ। ସେ ଆସିଲେ ସବୁ କଥା ଜଣାପଡ଼ିବ ବୋଲି ଅନୁଗୁଳ ଥାନା ଆଇଆଇସି ଶ୍ରୀ ବିଶୋଇ ନିଜ ପ୍ରତିକ୍ରିୟା‌େର ’ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧିତ ଖବର