କୋଣାର୍କ/ନିମାପଡ଼ା: ମୃତ୍ୟୁ ପୂର୍ବର କେଇ ଘଣ୍ଟା ତଳେ ଭିଡିଓ ସୁଟିଂ କରିଥିଲେ। ହସହସ ମୁହଁରେ ବୁଲେଟ଼ ପଛରେ ବସି ପ୍ରସ୍ତୁତ କରିଥିଲେ ରିଲସ୍ । ଆଉ ଏହାକୁ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର ମଧ୍ୟ କରିଥିଲେ। କିନ୍ତୁ ସେ କଣ ଜାଣିଥିଲେ ଏହା ହିଁ ତାଙ୍କର ଶେଷ ରିଲସ୍ ହେବ। ସଡ଼କ ଦୁର୍ଘଟଣାରେ ଆଜି ଅପରାହ୍ଣ ସାଢ଼େ ୪ଟାରେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବୀରରାମଚନ୍ଦ୍ରପୁର ସରପଞ୍ଚ ଦୀପା ବେହେରାଙ୍କ ଅକାଳ ବିୟୋଗ ଘଟିଛି। ଆଜି ସକାଳୁ ସେ ନିମାପଡ଼ା ଅଭିମୁଖେ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ବୁଲେଟରେ ନିଜ ଭାଇଙ୍କ ସହିତ ଯାଇଥିଲେ। ଆଉ ଫେରିବା ସମୟରେ ନିମାପଡ଼ା କୋର୍ଟ ଛକ ନିକଟରେ ବୁଲେଟ୍ ଗାଡ଼ିର ପଛପଟେ ବସିଥିବା ଦୀପା ଭାରସାମ୍ୟ ହରାଇ ହମ୍ପସ ନିକଟରେ ତଳକୁ ଖସିଯାଇଥିଲେ। ତତକ୍ଷଣାତ୍ ପଛରୁ ଏକ ହାଇୱା ଦୀପାଙ୍କ ମୁଣ୍ଡ ଉପରେ ଚଢ଼ିଯାଇଥିଲା। ଆଉ ସେହି ସ୍ଥାନରେ ତାଙ୍କର ମୃତ୍ୟୁ ହୋଇଥିଲା।
ତେବେ ଗତବର୍ଷ ହୋଇଥିବା ପଞ୍ଚାୟତିରାଜ ନିର୍ବାଚନରେ ୫୦୦ରୁ ଅଧିକ ଭୋଟରେ ବିଜୟୀ ହୋଇ ବୀରରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତର ସରପଞ୍ଚ ରୂପେ ସେ ବିଜୟୀ ହେଇଥିଲେ। ସେହିପରି କିଛି ବର୍ଷତଳେ ତାଙ୍କ ସ୍ଵାମୀଙ୍କର ମଧ୍ୟ ସରପଞ୍ଚ ଥିବା ସମୟରେ ମୃତ୍ୟୁ ହୋଇଥିଲା। ଯାହା ଏବେ ବି ସନ୍ଦେହ ଘେରରେ । ଆଉ ସ୍ବାମୀଙ୍କ ମୃତ୍ୟୁ ପରେ ବହୁଚର୍ଚ୍ଚିତ ପଟ୍ଟନାୟିକିଆ ଟ୍ରିପଲ ମର୍ଡର କାଣ୍ଡ ଘଟିଥିଲା। ଆଉ ଏବେ ଦୀପାଙ୍କ ମୃତ୍ୟୁ ପରେ ତାଙ୍କର ୨ କୁନି ପୁଅ ଅନାଥ ହୋଇଯାଇଛନ୍ତି।
ସରପଞ୍ଚ ଦୀପା ବେହେରା ନିମାପଡ଼ାରୁ ନିଜ ଭାଇ ଓ ମା’ଙ୍କ ସହିତ ଏକ ବୁଲେଟ୍ରେ ବୀରରାମଚନ୍ଦ୍ରପୁରକୁ ଯାଉଥିଲେ। ନିମାପଡ଼ାସ୍ଥିତ ଡେଲଟା ଛକସ୍ଥିତ ନକ୍ଷତ୍ର କଲ୍ୟାଣ ମଣ୍ଡପ ନିକଟ ଦେଇ ଯାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଏକ ସ୍କୁଟି ଆସୁଥିଲା। ରାସ୍ତା ସଂକୀର୍ଣ୍ଣ ଥିବା ହେତୁ ବୁଲେଟ ଓ ସ୍କୁଟି ଧକ୍କା ହେବା ସ୍ଥିତି ଆସିବାରୁ ସ୍କୁଟି ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ବୁଲେଟ ଚାଳକ ଭାରସାମ୍ୟ ହରାଇଥିଲେ। ଫଳରେ ମହିଳା ସରପଞ୍ଚ ବୁଲେଟ୍ରୁ ତଳେ ପଡ଼ିଯାଇଥିଲେ। ଏହି ସମୟରେ ପାର୍ଶ୍ବ ଦେଇ ନିମାପଡ଼ା ଯାଉଥିବା ଏକ ହାଇୱାର ପଛ ଚକା ମହିଳା ସରପଞ୍ଚଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ସରପଞ୍ଚଙ୍କ ମା’ ଓ ଭାଇଙ୍କର ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/1412571c-bd49-4162-86d9-a11b626f825a.jpg)