ଛେଣ୍ଡିପଦା: ଅସଦାଚରଣକୁ ବିରୋଧ କରିବାରୁ ଅସାମାଜିକ ଗୁଳି ଚଳାଇଲେ। ଏଥିରେ ଜଣେ ୧୬ ବର୍ଷର ବାଳକ ଗୁରୁତର ଆହତ ହୋଇଛନ୍ତି। ମଙ୍ଗଳବାର ରାତିରେ ଅନୁଗୁଳ ନିଶା ଶିଳ୍ପାଞ୍ଚଳ ଥାନା ସାନକେରେଜାଙ୍ଗ ଗାଁର ତରୁଣ ଗୋଛାୟତ (୩୬) ଓ ତାଙ୍କ ପତ୍ନୀ ବନିତା ଗୋଛାୟତ (୩୩)ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ରାଗି ଘରୁ ଚାଲି ଯାଇଥିଲେ ବନିତା। ରାତି ପ୍ରାୟ ୧୦ଟା ବେଳକୁ ସେ ଏକୁଟିଆ ଚାଲି ଚାଲି ଯାଉଥିବାବେଳେ ଗାଁର କାଳିଆ ମହାପାତ୍ର, ରିଙ୍କୁ ଦାସ, କାହ୍ନା ଅମାନ୍ତ ଓ ସିପୁ ପ୍ରଧାନ ତାଙ୍କୁ ଅଟକାଇଥିଲେ। ପରେ ମନ୍ଦ ଉଦ୍ଦେଶ୍ୟ ରଖି କାର୍‌ରେ ବସିବାକୁ ବାଧ୍ୟ କରିଥିଲେ। ଖବର ପାଇ ବନିତାଙ୍କ ସ୍ବାମୀ ତରୁଣ ଓ ଦୁଇପୁଅ ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ଯୁବକମାନେ ତରୁଣଙ୍କ ଦୁଇ ପୁଅକୁ ପାଲଟା ଆକ୍ରମଣ କରିଥିଲେ। ଏହି ସମୟରେ ଅନ୍ୟ ଜଣେ ବ୍ୟକ୍ତି ପହଞ୍ଚିବାରୁ ୪ ଯୁବକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଘଟଣାସ୍ଥଳରୁ ତରୁଣ ଓ ବନିତା ସେମାନଙ୍କ ଦୁଇପୁଅଙ୍କ ସହିତ ନିଜ ଘରକୁ ଫେରିଥିଲେ। 

Advertisment

ଏହି ଘଟଣାର ପ୍ରାୟ ଅଧାଘଣ୍ଟା ପରେ କାଳିଆ, ରିଙ୍କୁ, କାହ୍ନା ଓ ସିପୁ କାର୍‌ରେ ତରୁଣଙ୍କ ଘର ନିକଟରେ ପୁଣି ପହଞ୍ଚିଥିଲେ। ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ତରୁଣଙ୍କ ପରିବାର ଲୋକଙ୍କୁ ମାର୍‌ପିଟ କରିଥିଲେ। ତରୁଣ ବିରୋଧ କରିବାରୁ କାଳିଆ ଏକ ମାଉଜର୍‌ ବାହାର କରି ୪ ରାଉଣ୍ଡ ଗୁଳି ଚଳାଇଥିଲା। ଗୁଳି ତରୁଣଙ୍କ ସମ୍ପର୍କୀୟ ଭାଇ ଶ୍ରୀକାନ୍ତ (୧୬)ଙ୍କ ଜଂଘ ଓ ଗୋଡ଼ରେ ବାଜିଥିଲା। ଅନ୍ୟ ଯୁବକଙ୍କ ଭୁଜାଲି ଆକ୍ରମଣରେ ତରୁଣଙ୍କ ପଡ଼ୋଶୀ କ୍ରିଷ୍ଣା ଗୋଛାୟତ ଗୁରୁତର ହୋଇଛନ୍ତି। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ପରେ ତରୁଣ ଆଜି ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ କାଳିଆ, ରିଙ୍କୁ, କାହ୍ନା, ସିପୁ ନାଁରେ ପୁଲିସ ମାମଲା ରୁଜୁ କରିଛି। ଶ୍ରୀକାନ୍ତଙ୍କ ଜଂଘରେ ଗୁଳି ରହି ଯାଇଥିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।