ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନାରେ କାର୍ଯ୍ୟରତ ଜଣେ ଟ୍ରେନି ଏସ୍ଆଇ କାଜଲ ବାଗ ଗତ ମଙ୍ଗଳବାର ମଧ୍ୟରାତ୍ରରେ ବିଷ ପିଇଦେଇଥିବା ବେଳେ ପୁଲିସ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ପ୍ରଥମେ ସଇନ୍ତଳା ଓ ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ତାଙ୍କୁ ନେଇ ଚିକିତ୍ସା କରାଯାଇଥିବା ବେଳେ ନାଟକୀୟ ଢଙ୍ଗରେ ମହିଳା ଏସ୍ଆଇ ଜଣକୁ ହସ୍ପିଟାଲ ବେଡରୁ କୁଆଡ଼େ ଫେରାର ହୋଇଯାଇଥିବା ଦେଖାଯାଇଥିଲା।
ଏ ସଂପର୍କରେ ମେଡିକାଲ କଲେଜ ଅଧୀକ୍ଷକ କହିଛନ୍ତି ଯେ, ଜଣେ ମହିଳା ପୁଲିସ ଗୁଡ୍ନାଇଟ୍ ମଶାଲ୍ୟାମ୍ପରେ ଥିବା ତରଳ ପଦାର୍ଥ ପିଇ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ଦିଆଯାଇଥିଲା। ପରେ ସକାଳେ ଡାକ୍ତରମାନେ ୱାର୍ଡ଼ ପରିଦର୍ଶନ କରିବା ସମୟରେ ଉକ୍ତ ମହିଳା ଏସ୍ଆଇ ଶଯ୍ୟାରେ ନଥିବା ପୁଣି ସୂଚନା ମିଳିଥିଲା। ଗତକାଲି ଶଯ୍ୟାରେ ଅନୁପସ୍ଥିତ ରହିବା ପରେ ମେଡିକାଲ ପକ୍ଷରୁ ଫାଣ୍ଡିରେ ଜଣାଇ ଦିଆଯାଇଥିଲା। ମହିଳା ଏସ୍ଆଇଙ୍କ ଆତ୍ମହତ୍ୟା ଉଦ୍ୟମ ପଛରେ ଟାଉନ ଥାନାରେ କାର୍ଯ୍ୟ କରୁଥିବା ତାଙ୍କର ପୁରୁଷ ବନ୍ଧୁଙ୍କ ସଂପୃକ୍ତି ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପୁଲିସର ଭୂମିକାକୁ ନେଇ ସଂଦେହ ସୃଷ୍ଟି ହୋଇଛି। ଗୋଟିଏ ପଟେ ମେଡିକାଲରେ ଅସୁସ୍ଥ ମହିଳା ଏସ୍ଆଇ କାଲିଠାରୁ ଶଯ୍ୟାରେ ନଥିବା ମେଡିକାଲ କଲେଜ ଅଧୀକ୍ଷକ ସ୍ପଷ୍ଟ କରିଥିବା ବେଳେ ବଲାଙ୍ଗୀର ଏସ୍ଡିପିଓ ଅସୁସ୍ଥ ଏସ୍ଆଇ ସୁସ୍ଥ ଥିବା ବେଳେ ସେ ମେଡିକାଲରେ ଥିବା କହିବା ଘଟଣାକୁ ଦ୍ବନ୍ଦ୍ବରେ ପକାଇଛି।