ବୋହୂର ମାନ୍ୟତା ଦାବି : ସରପଞ୍ଚଙ୍କ ଘର ଆଗରେ ଅନଶନ

ନୟାଗଡ଼ : ବୋହୂର ମାନ୍ୟତା ଦାବି କରିବାରୁ ସରପଂଚ ଓ ତାଙ୍କ ପରିବାର ଜଣେ ମହିଳାଙ୍କୁ ଘରୁ ତଡ଼ିଦେବା ସହ ମାରଧର କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ସରପଂଚ ପୁଅକୁ ଘରକୁ ଜୋର ଜବରଦସ୍ତ ଟାଣିନେଇ ଭିତରେ ବନ୍ଦ କରି ରଖିବା ସହ ମହିଳା ଜଣଙ୍କୁ ବାହାରକୁ ତଡ଼ି କବାଟ କିଳି ଦେଇଛନ୍ତିି। ଏ ନେଇ ମହିଳାଜଣକ ନିଜ ୫ ବର୍ଷର ପୁଅ ସହ ମହିଳା ସରପଂଚଙ୍କ ଘର ଆଗରେ ଅନଶନରେ ବସିଛନ୍ତିି। ଆଜି ଭୋର ୫ଟାରୁ ଅନଶନ ଆରମ୍ଭ କରିଥିବା ଏହି ମହିଳାଜଣକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନଶନରେ ବସିଛନ୍ତିି। ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଗୋଡ଼ିପଡ଼ା ବଜାରରେ। ଏ ନେଇ ମହିଳାଙ୍କ ବାପା ଦର୍ପନାରାୟଣପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ସହ ଝିଅର ସୁରକ୍ଷା ଲୋଡ଼ିଛନ୍ତିି। ସେପଟେ ସରପଂଚଙ୍କ ଘର ଆଗରେ ମହିଳାଙ୍କ ଅନଶନ ଜାରି ରହିଥିବାବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହାର ଆପୋସ ସମାଧାନ ହୋଇପାରିନି କି ପୁଲିସ ଘଟଣାସ୍ଥଳରେ ପହଂଚିନି। ତାଙ୍କୁ ବୋହୂର ମାନ୍ୟତା ନମିଳିବା ପର୍ଯ୍ୟନ୍ତ ଅନଶନରୁ ଉଠିବେନି ବୋଲି ଗୋଲାପ କହିଛନ୍ତି। କିନ୍ତୁୁ ସରପଂଚ ସରୋଜିନୀ ସାହୁ ଏ ସଂପର୍କରେ କିଛି କହିବାକୁ ମନା କରି ଦେଇଛନ୍ତିି।

ସମ୍ବନ୍ଧିତ ଖବର