ସଇନ୍ତଳା : ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନା ଡୁଙ୍ଗୁରିପାଲି ପଞ୍ଚାୟତ କୁଆଁରଗାଁରେ କଳ୍ପନା ତ୍ରିପାଠୀ (୨୫ବର୍ଷ) ନାମ୍ନୀ ଜଣେ ମହିଳା ଗୁରୁବାର ବେକରେ ଶାଢ଼ି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ କଳ୍ପନାଙ୍କୁ ଯୌତୁକ ନିର୍ଯାତନା ଦେବା ସହ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଉଥିବା କଳ୍ପନାଙ୍କ ବଡ଼ଭାଇ ରଶ୍ମିରଂଜନ ଷଡ଼ଙ୍ଗୀ ସଇନ୍ତଳା ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ, କୁଆଁରଗାଁର ଶଚୀକାନ୍ତ ତ୍ରିପାଠୀଙ୍କ ପୁଅ ଶୁଭ୍ରାଂଶୁ ୨୩ ଏପ୍ରିଲ ୨୦୧୮ ତାରିଖ ଦିନ ବଲାଙ୍ଗୀର ସହର ରାମେଶ୍ବର ନଗର ବାସିନ୍ଦା ସ୍ବର୍ଗତ ଗୋବିନ୍ଦ ଷଡ଼ଙ୍ଗୀଙ୍କ ଝିଅ କଳ୍ପନାଙ୍କୁ ବିବାହ କରିଥିଲେ। ବିବାହ ପରେ ବିଭିନ୍ନ ସମୟରେ ବାଇକ୍ ଓ ଏକ ଲକ୍ଷ ଟଙ୍କା ନଗଦ ଯୌତୁକ ଦାବିକରି କଳ୍ପନାଙ୍କୁ ଶ୍ବଶୁର ଘର ଲୋକେ ଶାରିରୀକ ନିର୍ଯାତନା ଦେଉଥିଲେ ବୋଲି ୨୦୨୦ ମସିହାରେ ସଇନ୍ତଳା ଥାନାରେ ଅଭିଯୋଗ ହୋଇ ସମାଧାନ ମଧ୍ୟ ହୋଇଥିଲା। ଗତ କିଛିଦିନ ପୂର୍ବରୁ କଳ୍ପନା ଫୋନ୍ କରି ତାଙ୍କୁ ନେଇଯିବାକୁ ଭାଇଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ସ୍ବାମୀ ଶୁଭ୍ରାଂଶୁ ଆଉ ଝଗଡ଼ା କରିବା ନାହିଁ ଏବଂ ମିଳିମିଶି ରହିବା ବୋଲି କଳ୍ପନାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଗୁରୁବାର ପୂର୍ବାହ୍ନରେ ଘରେ କେହି ନଥିବା ବେଳେ ବେକରେ ଶାଢ଼ି ଦେଇ କଳ୍ପନା ଆତ୍ମହତ୍ୟା କରିଥିଲେ।
ଖବର ପାଇ କଳ୍ପନାଙ୍କ ପରିବାର ଲୋକେ ତୁରନ୍ତ କୁଆଁରଗାଁରେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତିକୁ ଦେଖି କଳ୍ପନାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଉଥିବା ପୁଲିସ ପାଖରେ ଅଭିଯୋଗ କରିଥିଲେ। କଳ୍ପନାଙ୍କ ଏକ ତିନିବର୍ଷର ଶିଶୁପୁତ୍ର ଥିବା ଜଣାଯାଏ। ସଇନ୍ତଳା ଥାନା ଅଧିକାରୀ ଅବନୀ ସାହୁ, ଏସ୍ଆଇ ସଙ୍ଗୀତା ବେକଙ୍କ ସହ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ପଠାଇଥିଲେ। ଏ ସମ୍ପର୍କରେ ସଇନ୍ତଳା ଥାନା କେସ୍ ନଂ.୭୮/୨୦୨୩ରେ ପୁଲିସ ମାମଲା ରୁଜୁକରି ସ୍ବାମୀ ଶୁଭ୍ରାଂଶୁଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।