ଜଗତସିଂହପୁର : ଋଣ ସୁଝି ନ ପାରି ଜୀବନ ହାରିଲେ ମହିଳା!

ଜଗତସିଂହପୁର : ଏରସମାରେ ବେଆଇନ ଚିଙ୍ଗୁଡ଼ି ଘେରି ପାଇଁ ସମ୍ବଳ ଯୋଗାଉଥିବା ସାହୁକାରମାନଙ୍କ ଦୌରାତ୍ମ୍ୟ ବଢି ଚାଲିଛି। ସାହୁକାରଙ୍କ ଦୌରାତ୍ମ ଯୋଗୁଁ ସୀତା ମାଳି ନାମ୍ନୀ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ତାଙ୍କ ଭାଇ ଗୌରାଙ୍ଗ ମଣ୍ତଳ ଏରସମା ଥାନାରେ ଅଭିଯୋଗ କରିଛନ୍ତି। ଉକ୍ତ ସାହୁକାରଙ୍କ ଭୟରେ ଆତ୍ମହତ୍ୟା କରିଥିବା ମହିଳାଙ୍କ ସ୍ବାମୀ ରଂଜନ ଓ ତାଙ୍କ ଦିଅର ଦୁଇମାସ ହେଲା ଗାଁ ଛାଡ଼ି ପଳାଇଥିବା ସୂଚନା ମିଳିଛି।

ଗୌରାଙ୍ଗଙ୍କ ଅଭିଯୋଗ ମୁତାବକ, ସୀତା କୁଞ୍ଜକୋଠୀ (ଅଜଗରବେଦୀ) ଗାଁରେ ତାଙ୍କ ସ୍ବାମୀ ରଂଜନ ମଲିକଙ୍କ ସହ ରୁହନ୍ତି। ଆଜି ସକାଳୁ ସେ ଆତ୍ମହତ୍ୟା କରିଥିବା ଖବର ପାଇ ତାଙ୍କ ଘରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ଚିଙ୍ଗୁଡ଼ି ଚାଷ ପାଇଁ ସାହୁକାରମାନଙ୍କଠାରୁ ରଂଜନ ଆଣିଥିବା ଋଣ ଯୋଗୁଁ ସୀତା ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ରଂଜନ ଯାଉଁଳିବେଦୀ ଗାଁର ନିତ୍ୟାନନ୍ଦ ପ୍ରଧାନଙ୍କଠାରୁ ଋଣ ଆଣି ଚିଙ୍ଗୁଡ଼ି ଚାଷ କରିଥିଲେ। ମାତ୍ର ଚିଙ୍ଗୁଡ଼ି ଚାଷରେ କ୍ଷତି ହେବା ଯୋଗୁଁ ରଂଜନ ଆଉ ଋଣ ପରିଶୋଧ କରିପାରିନଥିଲେ। ଫଳରେ ନିତ୍ୟାନନ୍ଦ ଓ ତାଙ୍କର ସହଯୋଗୀ ବିଭିନ୍ନ ସମୟରେ ରଂଜନଙ୍କୁ ନିର୍ଯାତନା ଦେଉଥିଲେ। ଏହି ଘଟଣା ପରେ ରଂଜନ ଫେରାର ହୋଇଯାଇଥିବା ବେଳେ ସୀତା ମାନସିକ ଅଶାନ୍ତିରେ ରହୁଥିଲେ ବୋଲି ଗୌରାଙ୍ଗ ଅଭିଯୋଗ କରିଛନ୍ତି।

ଏ ନେଇ ଏରସମା ଥାନା ଇନ୍ସପେକ୍ଟର ପ୍ରଶାନ୍ତ ମାଝୀ କହିଛନ୍ତି, ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ପ୍ରଥମେ ମୃତ ସୀତାଙ୍କ ବାପା ପ୍ରଭାସ ମଣ୍ତଳ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଏତଲା ଅନୁଯାୟୀ, ଏକ ମାମଲା ରୁଜୁ କରାଯାଇଛି। ପରେ ଗୌରାଙ୍ଗ ଆଉ ଏକ ଏତଲା ଦେଇଛନ୍ତି। ତାହାକୁ ମଧ୍ୟ ଗ୍ରହଣ କରାଯାଇଛି। ମାମଲାର ତଦନ୍ତ ଚାଲୁ ରହିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର