୪୦ ବର୍ଷ ବାଣ୍ଟୁଛନ୍ତି ସ୍ବଚ୍ଛତା ବାର୍ତ୍ତା, ଏକାକୀ କରୁଛନ୍ତି ଗାଁ ଦାଣ୍ତ ସଫେଇ

ହରିଚନ୍ଦନପୁର : ବୟସ ୬୨ ‌ଛୁଇଁଲାଣି। ଆଜି ବି ସେ ଚଳଚଞ୍ଚଳ। ସେ ହେଉଛନ୍ତି ହରିଚନ୍ଦନପୁର ବ୍ଲକ ସୁନାପେଣ୍ଠ ପଞ୍ଚାୟତ କମଳାଙ୍ଗି ଗ୍ରାମର ଜୀରା ମହାନ୍ତ। ରାତି ପାହିଲେ ଝାଡ଼ୁ ଧରି ଘରୁ ବାହାରି ଯାଉଛନ୍ତି। ଗାଁ ଦାଣ୍ଡ, ସ୍କୁଲ ପରିସର ଓ ପୋଖରୀ ତୁଠ ସଫା‌ କରୁଛନ୍ତି। ମାସେ କି ଦୁଇମାସ ନୁହେଁ ଗାଁକୁ ବୋହୂ ହୋଇ ଆସିବା ଦିନଠାରୁ ଦୀର୍ଘ ୪୦ ବର୍ଷ ହେଲା ଜୀରା ଏହି କାର୍ଯ୍ୟ ଜାରି ରଖିଛନ୍ତି। ସମାଜକୁ ଦେଉଛନ୍ତି ସ୍ବଚ୍ଛତା ବାର୍ତ୍ତା।

ଜୀରାଙ୍କ ବାପଘର ଘଟଗାଁ ବ୍ଲକ ସୁନାଟାଙ୍ଗିରି ଗ୍ରାମରେ। ବାହା ହୋଇ ଶାଶୂଘର କମଳାଙ୍ଗି ଗ୍ରାମକୁ ଆସିବା ପରଠୁ ସେ ଗାଁ ସଫେଇ କରିଆସୁଛନ୍ତି। ଜୀରା ବଡ଼ି ଭୋରରୁ ଉଠି ଝାଡ଼ୁଧରି ଗାଁ ଦାଣ୍ତ, ପୋଖରୀ ତୁଠ ଓ ରାସ୍ତାଘାଟ ସଫା କରିଥାନ୍ତି। ଅଳିଆକୁ ଏକାଠି କରି ଅନ୍ୟତ୍ର ପକାଇଥାନ୍ତି। ରାସ୍ତାରେ ପଡ଼ିଥିବା ଗୋବର ଓ ଆବର୍ଜନା ସଫା କରିବାକୁ ସେ କେବେ ସ˚କୋଚ କରିନାହାନ୍ତି। ଛୋଟ ଛୁଆଙ୍କୁ ଦେଖିଲେ ଆଦର କରି ସେମାନଙ୍କ ଦେହର ଧୂଳି ଝାଡ଼ିଦେବା ସହ ନାକ ସଫା କରିଦିଅନ୍ତି। ଏହି ନିଃସ୍ବାର୍ଥପର ସେବାପାଇଁ ସମସ୍ତେ ତାଙ୍କୁ ସମ୍ମାନ ‌ଦେଇଥାନ୍ତି। ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି ଜୀରା।

ଦୀର୍ଘ ବର୍ଷ ଧରି ଅଙ୍ଗନବାଡ଼ି ରୋଷେୟା ଭାବେ କାର୍ଯ୍ୟ କରି ଦୁଇବର୍ଷ ହେଲା ଅବସର ନେଇଥିବା ଜୀରା କହିଛନ୍ତି, ଶାଶୂଘରକୁ ଆସିବା ଦିନଠାରୁ ସେ ଗ୍ରାମ ସଫେଇ କରୁଛନ୍ତି। ଏଥିପାଇଁ କେହି ତାଙ୍କୁ କେବେ କହି ନାହାନ୍ତି। ଏମିତିକି ସ୍ବାମୀ, ପୁଅଝିଅ କିମ୍ବା ପରିବାର ଲୋକେ କେବେ ତାଙ୍କ ବାଟ ଓଗାଳି ନାହାନ୍ତି। ହାତଗୋଡ଼ ଚାଲିଥିବା ପର୍ଯ୍ୟନ୍ତ ସେ ଏଭଳି କାର୍ଯ୍ୟ ଜାରି ରଖିଥିବେ ବୋଲି ଜୀରା କହିଛନ୍ତି।

ଜୀରାଙ୍କ ଠାରୁ ପ୍ରେରଣା ପାଇ ଗାଁର ଝିଅବୋହୂ ଓ ପିଲାବୁଢ଼ା ସମସ୍ତେ ଏବେ ସ୍ବଚ୍ଛତାକୁ ଗୁରୁତ୍ବ ଦେଉଛନ୍ତି। ସମସ୍ତେ ଗ୍ରାମ ପରିବେଶ ସଫା ସୁତରା ରଖିବାକୁ ଉଦ୍ୟମ କରୁଛନ୍ତି। ଝିଅବୋହୂ ମଧ୍ୟ ବିଭିନ୍ନ ସମୟରେ ଅଙ୍ଗନବାଡ଼ି କେନ୍ଦ୍ର ଆଗ, ରାସ୍ତା ଓ ପୋଖରୀ ତୁଠ ସଫା କରୁଛନ୍ତି। ଜୀରା ଆମ ଗାଁର ଆଦର୍ଶ। ସରକାର ଟଙ୍କା ଖର୍ଚ୍ଚ କରି ଯାହା କରିପାରୁ ନାହାନ୍ତି ସେ କାମ ଜୀରା କରି ଦେଖାଉଛନ୍ତି ବୋଲି ସମାଜସେବୀ ଲମ୍ବୋଦର ମହାନ୍ତ କହିଛନ୍ତି। ସେହିପରି ଜୀରାଙ୍କୁ ଦେଖି ଗ୍ରାମବାସୀ ସଫା ସୁତରା ପ୍ରତି ସଚେତନ ହୋଇଛନ୍ତି ବୋଲି ଗ୍ରାମର ରାନ୍ଧ ମୁଣ୍ତା କହିଛନ୍ତି। ରାତି ପାହାନ୍ତାରୁ ଉଠି ଗାଁ ରାସ୍ତା, ପୋଖରୀ ତୁଠ ସେ ସଫା କରୁଥିବା ଆମେ ଛୋଟବେଳୁ ଦେଖିଆସୁଛୁ। ଗ୍ରାମର ଛୋଟ ଛୁଆମାନେ ତାଙ୍କଠାରୁ ଶିଖି ଘର ଓ ସ୍କୁଲ ପରିସର ସଫା ରଖୁଛନ୍ତି ବୋଲି ନବମ ଶ୍ରେଣୀ ଛାତ୍ରୀ ତପସ୍ବିନୀ ମହାନ୍ତ କହିଛନ୍ତି।

ସମ୍ବନ୍ଧିତ ଖବର