ଧର୍ମଶାଳାରେ ଶିକ୍ଷୟିତ୍ରୀଙ୍କୁ ବୀଭତ୍ସ ହତ୍ୟା : ଘରେ ପଶି ହାଣିଲେ, ସ୍ୱାମୀ ଓ ଝିଅ ଗୁରୁତର, ଦୁଇ ସନ୍ଦିଗ୍ଧ ଅଟକ

ଧର୍ମଶାଳା : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ମିର୍ଜାପୁର ପଞ୍ଚାୟତ ସାରଙ୍ଗତୀରଣ (ମହାନ୍ତି ସାହି) ଗ୍ରାମରେ ଜଣେ ଶିକ୍ଷୟିତ୍ରୀଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି। ତାଙ୍କ ସ୍ବାମୀ ଓ ଝିଅ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଦୁଇ ଜଣ ଯୁବକଙ୍କୁ ପୁଲିସ୍ ସନ୍ଦେହରେ ଥାନାକୁ ଧରି ନେଇ ପଚରାଉଚୁରା କରୁଛି। ଆଜି ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି।

ମୃତ ଶିକ୍ଷୟିତ୍ରୀ ହେଉଛନ୍ତି , ମିର୍ଜାପୁର (ମନ୍ତ୍ରୀ ସାହି) ଗ୍ରାମର ସ୍ବର୍ଗତ ଚରଣ ବିଶ୍ବାଳଙ୍କ ଝିଅ ତରୁଲତା। ସେ ନିଜ ପରିବାର ସହ ନିକଟସ୍ଥ ସାରଙ୍ଗତୀରଣ ଗ୍ରାମର ଅନୀଲ କୁମାର ମହାନ୍ତିଙ୍କ ଘରେ ଦୀର୍ଘ ୨୦ ବର୍ଷ ଧରି ଭଡ଼ାରେ ରହି ଆସୁଥିଲେ। ତରୁଲତା ମିର୍ଜାପୁରସ୍ଥିତ ଅନନ୍ତ କୁମାରୀ ବାଳିକା ହାଇସ୍କୁଲରେ ସହକାରୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ସ୍ବାମୀ ଅନୁଗୁଳସ୍ଥିତ ଭୂଷଣ ଷ୍ଟିଲ୍ ପ୍ଲାଣ୍ଟରେ ଚାକିରି କରୁଛନ୍ତି। ଝିଅ ଜୟଶ୍ରୀ (ଗୁଡୁଲି) କଟକ ଅନୁଣୋଦୟ ମାର୍କେଟସ୍ଥିତ ସରସ୍ବତୀ ଉଚ୍ଚ ମାଧ୍ୟମିକ (ଆବାସିକ) ବିଦ୍ୟାଳୟରେ +୨ ବିଜ୍ଞାନ ଶ୍ରେଣୀର ଦ୍ବିତୀୟ ବର୍ଷରେ ପାଠ ପଢ଼ୁଛନ୍ତି। ପୁଅ ଦୀପ୍ତିମାନ (୨୪) ବାଙ୍ଗାଲୋରରେ ସଫ୍ଟୱେର ଇଂଜିନିୟର ଭାବେ କାର୍ଯ୍ୟରତ ଅଛନ୍ତି। ଲକ୍‌ଡାଉନ୍ ପରଠାରୁ ନିତ୍ୟରଞ୍ଜନ ଓ ଝିଅ ଜୟଶ୍ରୀ ଶିକ୍ଷୟିତ୍ରୀ ତରୁଲତାଙ୍କ ସହିତ ଏଠାରେ ରହିଆସୁଥିଲେ। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଝିଅ ରାଜଶ୍ରୀଙ୍କୁ ଅପହରଣ କରିବାକୁ କିମ୍ବା ଅତ୍ୟାଚାର କରିବାକୁ ଉଦ୍ୟମ କରିବା ବେଳେ ବାପ ମା’ ବିରୋଧ କରିଥିବାର ସନ୍ଦେହ କରାଯାଉଛି। ଦୁର୍ବୃତ୍ତମାନେ ଉତ୍‌କ୍ଷିପ୍ତ ହୋଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି। ଆକ୍ରମଣରୁ ରକ୍ଷା ପାଇବା ପାଇଁ ‌ ରାଜଶ୍ରୀ ଓ ତାଙ୍କ ବାପା ମା’ ଦୌଡ଼ି ପଳାଉଥିବା ବେଳେ ଦୁର୍ବୃତ୍ତମାନେ ସେମାନଙ୍କୁ ଗୋଡ଼େଇ ଗୋଡ଼େଇ ଘର ପଛ ପଟେ ହାଣିଛନ୍ତି। ତରୁଲତାଙ୍କ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ରହିଛି। ତାଙ୍କ ସ୍ବାମୀ ନିତ୍ୟରଞ୍ଜନଙ୍କ ଡାହାଣ ପାଖ ମୁଣ୍ଡରେ ଚୋଟ ବାଜିଛି। ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ପ୍ରଚୁର ରକ୍ତସ୍ରାବ ହୋଇଛି। ସେହିପରି ଝିଅ ରାଜଶ୍ରୀଙ୍କ ମୁଣ୍ଡରେ ମଧ୍ୟ ଚୋଟ ବାଜିଛି। ଘଟଣାସ୍ଥଳରେ ତରୁଲତାଙ୍କ ମୃତ୍ୟୁ ଘଟିଥିବା ବେଳେ ନିତ୍ୟରଞ୍ଜନ ଓ ଜୟଶ୍ରୀଙ୍କ ଅବସ୍ଥା ଗୁରୁତର ରହିଛି।

ଆଜି ସକାଳେ ପଡ଼ୋଶୀ ଓ କେତେକ ଗ୍ରାମବାସୀ ଘର ପଛପଟ ଚଟାଣ ନିକଟରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବାପା, ମା’ ଓ ଝିଅ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଗୁରୁତର ଆହତ ଅବସ୍ଥାରେ ବାପା ନିତ୍ୟରଞ୍ଜନ ଓ ଝିଅ ରାଜଶ୍ରୀଙ୍କୁ ୧୦୮ ଆମ୍ବୁଲାନ୍ସରେ ପ୍ରଥମେ ଧର୍ମଶାଳା ଡାକ୍ତରଖାନାକୁ ପଠାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ନିତ୍ୟରଞ୍ଜନଙ୍କ ଅବସ୍ଥା ସଂକଟାପନ୍ନ ଅଛି। ପୁଲିସ ଚଢ଼ଉ କରି ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର