ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଅଣ୍ଡାମାଡ କରିଥିବା ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ବାଲେଶ୍ୱରରୁ ଏସ୍‌ସିବି ସ୍ଥାନାନ୍ତର

ବାଲେଶ୍ୱର: ଫେବ୍ରୁଆରି ୧ ତାରିଖରେ ତାଳସାରୀ ବେଳାଭୂମି ମହୋତ୍ସବର ସଭାମଞ୍ଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲକ୍ଷ୍ୟକରି ଅଣ୍ଡାମାଡ଼ କରାଯାଇଥିଲା।  ଅଣ୍ଡାମାଡ଼ କରିଥିବା  ମହିଳା ରାଜଶ୍ରୀ କମିଳାଙ୍କୁ ପୁଲିସ ସଂଗେ ସଂଗେ କାବୁ କରି ନେଇଥିଲା। ଅଭିଯୋଗ ହୋଇଥିଲା କି ବିଜେଡି କର୍ମୀମାନେ ପୁଲିସ ହାତରୁ ମହିଳାଙ୍କୁ ଛଡ଼ାଇ ନେଇ ମାଡ଼ ମାରି ତାଙ୍କୁ ଆହତ କରିଥିଲେ। ଏହାପରେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ଆଣି ପୁଲିସ ନିଜ ହେପାଜତରେ ଚିକିତ୍ସା କରାଉଥିଲା। ସୋମବାର ଅପରାହ୍ନରେ ତାଙ୍କ ଶରୀରାବସ୍ଥା ଗୁରୁତର ହେବାକୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି।

ଉଲ୍ଲେଖଯୋଗ୍ୟ, ଅଣ୍ଡାମାଡ଼ ଘଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷୁୁବ୍ଧ ହୋଇ ଫେରି ଯିବା ପରେ କର୍ମୀଙ୍କ ଆକ୍ରୋଶର ଶିକାର ହୋଇଥିଲେ ଅଣ୍ଡା ଫିଙ୍ଗିଥିବା ରାଜଶ୍ରୀ କମିଳା। ପୁଲିସ ରାଜଶ୍ରୀ କମିଳାଙ୍କ ନାମରେ ୩୦୭ଦଫାରେ ମାମଲା ରୁଜୁ କରିଛି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଅଣ୍ଡାମାଡ଼ କରିଥିବା ମହିଳା ରାଜଶ୍ରୀ କହିଥିଲେ, ପୁଲିସ ତାଙ୍କୁ ଭିଡ଼ି ଘୋଷାଡ଼ି ନେଉଥିବା ବେଳେ କିଛି କର୍ମୀ ତାଙ୍କୁ ରାସ୍ତାରେ ବଳାତ୍କାର କରିବାକୁ ଧମକ ଦେଇଥିଲେ । କୁନ୍ଦୁଲି ପୀଡ଼ିତାଙ୍କୁ ସୁରକ୍ଷା ଦେଇ ନ ଥିବା ଘଟଣାରେ ତାଙ୍କ ମନରେ ପୁଂଜିଭୂତ କ୍ଷୋଭଥିଲା। ହକ୍‌ କଥା କହି ତାଳସାରୀ ବେଳାଭୂମିର ଭିଡିଓ ଅପଲୋଡ କରିଥିବା ତାଙ୍କ ସ୍ୱାମୀଙ୍କୁ ପୁଲିସ ଯେମିତି ରାତି ଅଧରେ ଟେକିନେଲା, ତାହା ତାଙ୍କୁ ବାଧିଥିଲା। ଏଥିରେ ସେ କ୍ଷୁବ୍ଧହୋଇ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ଼ ଉଦ୍ୟମ କରିଥିଲେ ବୋଲି ରାଜଶ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର