ପତ୍ନୀଙ୍କୁ ଉଦ୍ଧାର ପାଇଁ ସ୍ବାମୀ ବାରଦୁଆର, ଦୁଇ ବର୍ଷ ତଳେ ଦିଲ୍ଲୀରେ ବିକି ଦେଇଛି ଦଲାଲ, ଅନାଥାଶ୍ରମରେ ଦୁଇ ନିଷ୍ପାପ ଶିଶୁ

ସୁନ୍ଦରଗଡ଼ : ଦୁଇ ନିଷ୍ପାପ ଶିଶୁଙ୍କୁ ଛାଡ଼ି କେଉଁ ଆଡ଼େ ପତ୍ନୀ ଚାଲି ଯିବାପରେ ନିଖୋଜ ମାମଲାଟିଏ ଦାଏର କରିଥିଲେ ସ୍ବ‌ାମୀ। ମା’ର ଉ‌ଷୁମ କୋଳ ଲୋଡ଼ୁଥିବା ଦୁଇ ଶିଶୁଙ୍କ ନିରୀହ ମୁହଁରୁ ହସ ଲିଭିଗଲା। ସ୍ବାମୀ ବି ପାଗଳ ପ୍ରାୟେ ଖୋଜିଥି‌ଲେ ମାସ ମାସ ଧରି। ପୁଲିସ କେବଳ ନିଖୋଜ ମାମଲା ରୁଜୁ କରି ହାତ ବାନ୍ଧି ବସିଗଲା। ବିତିଗଲା ଦୁଇ ବର୍ଷ। ପତ୍ନୀଙ୍କୁ ଖୋଜିବାରେ ମାତିଥିବା ସ୍ବାମୀ ଦୁଇ ଶିଶୁଙ୍କ ଅନାଥାଶ୍ରମରେ ଛାଡ଼ିବାକୁ ବାଧ୍ୟ ହେଲେ। ଶେଷକୁ ଖବର ମିଳିଲା ଯେ ଦଲାଲ ହାତରେ ପଡ଼ି ଦିଲ୍ଲୀରେ ବିକ୍ରି ହୋଇ ଯାଇଛନ୍ତି ପତ୍ନୀ। ଦଲାଲ ହାତରେ ଦିଲ୍ଲୀ ଚାଲାଣ ହୋଇଥିବା ଗାଁର ଅନ୍ୟ ଜଣେ ଝିଅ ପୁଲିସ ଦ୍ବାରା ନିକଟରେ ଉଦ୍ଧାର ହୋଇ ଘରକୁ ଫେରିବା ପରେ ଏ କଥା ସାମ୍‌ନାକୁ ଆସିଛି। ଏହି ସୂଚନା ପାଇବା ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ସ୍ବାମୀ ଜିଲ୍ଲାପାଳଙ୍କୁ ଭେଟି ପତ୍ନୀଙ୍କୁ ଉଦ୍ଧାର ପାଇଁ ଗୁହାରି କରିଛନ୍ତି। ଦୁଇ ଛୁଆଙ୍କୁ ମା’ର କୋଳ ଫେରାଇ ଦେବାଲାଗି ପ୍ରଶାସନ ସମ୍ବେଦନଶୀଳ ହୋଇ ପଦକ୍ଷେପ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି।

ସୁନ୍ଦରଗଡ଼ ସଦର ଥାନା କଟଙ୍ଗିଡିହିର ଏ ଘଟଣା ପୁଣି ଥ‌ରେ ଜିଲ୍ଲାର ଯୁବତୀ ଚାଲାଣ ଓ ବିକ୍ରି ପରି ଅମାନବୀୟ ଓ ଲଜ୍ଜାକର ଘଟଣାକୁ ତାଜା କରି ଦେଇଛି। କଟଙ୍ଗିଡିହିର ପୁରୁଷୋତ୍ତମ ପେଣ୍ଠେ କରିଥିବା ଅଭିଯୋଗ ଅନୁସାରେ, ଗତ ୨୦୧୭ ଅଗଷ୍ଟ ୧ ତାରିଖରେ ତାଙ୍କ ପତ୍ନୀ ୫ ବର୍ଷର ପୁଅ ଓ ୩ ବର୍ଷର ଝିଅକୁ ଛାଡ଼ି ଘରୁ କେଉଁ ଆଡ଼େ ଚାଲିଯିବା ପରେ ସେ ଏଠି ସେଠି ଖୋଜି ନ ପାଇବାରୁ ସଦର ଥାନାରେ ୬ ତାରିଖରେ ନିଖୋଜ ଅଭିଯୋଗ କରିଥିଲେ। ପୁଲିସ ୭ ତାରିଖରେ ନିଖୋଜ ମାମଲା ରୁଜୁ କରିଥିଲେ ବି ନିଖୋଜଙ୍କ ସନ୍ଧାନ ନେବାରେ ଆଗ୍ରହ ପ୍ରକାଶ କରି ନଥିଲା। ପୁରୁଷୋତ୍ତମ ବାରମ୍ବାର ଥାନାକୁ ଆସି ଗୁହାରି କରିଥିଲେ ବି ତାଙ୍କ କଥାକୁ କେହି ଶୁଣି ନଥିଲେ। ମାସ ମାସ ବିତିଯିବା ପରେ ବି ପତ୍ନୀଙ୍କ କୌଣସି ଖୋଜ ଖବର ମିଳିଲା ନାହିଁ। ଦୁଇ ଛୁଅ ମାକୁ ନପାଇ ବ୍ୟାକୁଳ ହୋଇ ପଡ଼ୁଥିଲେ। ଗାଡ଼ି ଚାଳକ ଭାବେ ପେଟ ପୋଷୁଥିବା ପୁରୁଷୋତ୍ତମ ଦୁଇ ଛୁଆଙ୍କୁ ଛାଡ଼ି କେଉଁ ଆଡ଼େ ଯିବା ସମ୍ଭବ ହେଉ ନ ଥିଲା। ଶେଷକୁ ସେ ବେଲସରା ଅନାଥାଶ୍ରମରେ ପୁଅ ଝିଅକୁ ଭର୍ତ୍ତି କରି ଦେଲେ। ଏହା ମଧ୍ୟରେ କଟଙ୍ଗିଡିହିରୁ ଦଲାଲ ଦ୍ବାରା ଦିଲ୍ଲୀ ଚାଲାଣ ହୋଇଥିବା ଜଣେ ଯୁବତୀଙ୍କୁ ଦିଲ୍ଲୀ ଜିଆର୍‌ପି ଉଦ୍ଧାର କରି ସୁନ୍ଦରଗଡ଼ ପୁଲିସକୁ ଖବର କରିଥିଲେ। ସଦରଥାନା ପୁଲିସ ଦିଲ୍ଲୀ ଯାଇ ଯୁବତୀଙ୍କୁ ସୁନ୍ଦରଗଡ଼ ନେଇ ଆସି ପଚରା ଉଚରା କରିଥିଲା। ସେତ‌େବେଳେ ଝିଅଟି ପୁରୁଷୋତ୍ତମଙ୍କ ପତ୍ନୀଙ୍କ ସୂଚନା ଦେଇଥିଲା। ତାଙ୍କୁ ଦଲାଲ ଦିଲ୍ଲୀ ନେଇ ବିକ୍ରି କରି ଦେଇଥିବା ସେ କହିବା ପରେ ପୁରୁଷୋତ୍ତମଙ୍କ ମୁଣ୍ଡ ଚକ୍କର ଖାଇଗଲା। ଦୁଇଦିନ ତଳେ ସବଡେଗାରେ ଜିଲ୍ଲାପାଳଙ୍କ ଜନଶୁଣାଣିରେ ପହଞ୍ଚି ପତ୍ନୀଙ୍କୁ ଉଦ୍ଧାର କରିବାକୁ ଆକୁଳ ନିବେଦନ କରିଥିଲେ ପୁରୁଷୋତ୍ତମ । ଦୁଇ ଶିଶୁଙ୍କ ମୁହଁରେ ହସ ଫେରାଇ ଆଣିବାକୁ ପ୍ରଶାସନ ସହାୟକ ହେଉ ବୋଲି ହାତ ଯୋଡ଼ିଥିଲେ। ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେବାକୁ ଏସ୍‌ପିଙ୍କୁ ଅନୁଦେଶ ଦେଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର