ରାଉରକେଲା: ବେଙ୍ଗାଲୁରୁ ଠାରୁ ହାଓଡା ଅଭିମୁଖେ ଯାଉଥିବା ଗୀତାଞ୍ଜଳି ଏକ୍ସପ୍ରେସରେ ଜଣେ ମହିଳା ଇଞ୍ଜିନିୟରଙ୍କୁ ଆକ୍ରମଣ ହୋଇଛି। ଆରପିଏଫ୍ କନେଷ୍ଟବଳଙ୍କ ଲାଠି ମାଡ଼ରେ ମହିଳା ଯାତ୍ରୀ ଜଣଙ୍କ ଲହୁଲୁହାଣ ହୋଇଛନ୍ତି। ମହିଳାଙ୍କ ଲିଖିତ ଏତଲା ଆଧାରରେ ରାଉରକେଲା ରେଳବାଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ମୁତାବକ କର୍ଣ୍ଣାଟକ ଧନୱାଦର ମହିଳା ଇଞ୍ଜିନିୟର ଅନିତା ଶ୍ରୀଶ୍ରେଷ୍ଠ ଗୁଣ୍ଡି ଷ୍ଟେସନରୁ ଗୀତାଞ୍ଜଳି ଏକ୍ସପ୍ରେସରେ ହାଓଡା ଯାଉଥିଲେ। ପାଖରେ ଟଙ୍କା ନ ଥିବାରୁ ଟିକେଟ କରି ନ ଥିଲେ। ରାଉରକେଲା ପାନପୋଷ ଷ୍ଟେସନ ଆରପିଏଫ୍ କନେଷ୍ଟବଳ ଅଜିତ କୁମାର ନାୟକ ତାଙ୍କୁ ଟିକେଟ୍ ମାଗିଥିଲେ। ଅନିତା ଟିକେଟ କରି ନ ଥିବା ସ୍ୱୀକାର କରି ଥିଲେ ମଧ୍ୟ ଆରପିଏଫ୍ କନେଷ୍ଟବଳ ଅଜିତ ତାଙ୍କ ସହିତ ଯୁକ୍ତି କରି ଥିଲେ। ଅନିତା ପ୍ରତିବାଦ କରିବାରୁ ଅଜିତ ତାଙ୍କୁ ଲାଠିରେ ମାଡ଼ ମାରିଥିଲେ। ଅଭଦ୍ର ଭାଷାରେ ଗାଳି ଦେଇଥିଲେ। ଅଜିତଙ୍କ ମାଡରେ ଅନିତାଙ୍କ ମୁଣ୍ଡ ଫାଟି ଯାଇଥିଲା। ଟ୍ରେନ ରାଉରକେଲା ଷ୍ଟେସନରେ ରହିବା ପରେ ଅନିତା ରାଉରକେଲା ରେଳବାଇ ଥାନାରେ ଲିଖିତ ଏତଲା ଦେଇଥିଲେ।