ମହିଳା ଜାଗିଲେ ନିଶା ନିବାରଣ ହୋଇପାରିବ: ସୌମ୍ୟରଞ୍ଜନ

ଉତ୍କଳମଣି ଶିକ୍ଷା ଓ ସ୍ବାସ୍ଥ୍ୟ ଟ୍ରଷ୍ଟର ଦ୍ବିତୀୟ ସ୍ବନକ୍ଷତ୍ର

ଭଦ୍ରକ/ଭଣ୍ତାରିପୋଖରୀ/ଭଣ୍ତାରିପୋଖରୀ-୧: ନିଶା ଆମ ସମାଜର ବହୁ କ୍ଷତି ଘଟାଉଛି। ଆମେ ଯେତେ ଆଗକୁ ଗଲେ ମଧ୍ୟ ନିଶାସକ୍ତ ମଣିଷ ତା’ର ହିତାହିତ ଜ୍ଞାନ ହରାଇ ସାମାଜିକ ମୂଲ୍ୟବୋଧ ନଷ୍ଟ କରିବା ସହ ଶୃଙ୍ଖଳିତ ସମାଜର କ୍ଷତି ସାଧନ କରୁଛି। ନିଶା ଯୁବକମାନଙ୍କୁ ପଥଭ୍ରଷ୍ଟ କରୁଛି। ଏକ ଶାନ୍ତ ସରଳ ପରିବାରକୁ ଛାରଖାର କରୁଛି। ମହିଳାମାନେ ଜାଗ୍ରତ ହେଲେ ନିଶା ନିବାରଣ ଅଭିଯାନ ସଫଳ ହେବ ବୋଲି ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ତପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି।

ଭଣ୍ତାରିପୋଖରୀ ବ୍ଲକ୍‌ ନେରଡ଼ା ପଞ୍ଚାୟତ ଯଶୋଟିକିରିସ୍ଥିତ ଉତ୍କଳମଣି ସ୍ବାସ୍ଥ୍ୟ ଓ ଶିକ୍ଷା ଟ୍ରଷ୍ଟର ଦ୍ବିତୀୟ ବାର୍ଷିକ ସ୍ବନକ୍ଷତ୍ର ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ପ୍ରତି ପରିବାରରେ ଜଣେ ମାଆ, ଭଉଣୀ ଓ ଭାଉଜ ରହିଛନ୍ତି। ସେମାନେ ନିଜ ପରିବାରର ବାପା, ଭାଇ ଓ ପୁଅକୁ ନିଶାସେବନରୁ ବାରଣ କରି ନିଜ ପରିବାର ଭିତରୁ ନିଶା ନିବାରଣ ଅଭିଯାନ ସଫଳ କରିବା ପାଇଁ ଶପଥ ନେବା ଉଚିତ। ସେହିପରି ନିଶା ନିବାରଣ ସହ ରକ୍ତଦାନ ଅଭିଯାନ ସମ୍ପର୍କରେ ମତପ୍ରଦାନ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ‘ ଈଶ୍ବର ଆମକୁ ସୁସ୍ଥ ଓ ସବଳ ରଖିଛନ୍ତି। ତେଣୁ ଆମେ ରକ୍ତଦାନ କରୁଛୁ। ଆମର ରକ୍ତ ଅନ୍ୟ ଜଣେ ଅସୁସ୍ଥ ଲୋକର ବଞ୍ଚିବାରେ ସହାୟକ ହେଉଛି।’

ଟ୍ରଷ୍ଟର ସଭାପତି ବନମାଳୀ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ବିଶିଷ୍ଟ କବି ତଥା ପୂର୍ବତନ ସା˚ସଦ ଡ. ପ୍ରସନ୍ନ ପାଟ୍ଟଶାଣୀ। ଡ. ପାଟ୍ଟଶାଣୀ ରକ୍ତଦାନ ଅଭିଯାନକୁ ସମର୍ଥନ କରି ବୈଜ୍ଞାନିକ ସବୁକିଛି ସୃଷ୍ଟି କରିପାରୁଛନ୍ତି ହେଲେ ରକ୍ତ ବୁନ୍ଦାଏ ସୃଷ୍ଟି କରିପାରିନାହାନ୍ତି ବୋଲି କହିଥିଲେ। ବରେଣ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ କହିଥିଲେ, ମହିଳାମାନେ ଚାହିଁଲେ ଦେଶର ଅନେକ ବିକାଶ ହେବ। ତେଣୁ ରାଜ୍ୟ ସରକାର ମହିଳାମାନଙ୍କ ବିକାଶ ପାଇଁ ଅଧିକ ଗୁରୁତ୍ବ ଦେଉଥିବାବେଳେ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିବା ସେ ମତ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ, ସମାଜସେବୀ ଗୋଲକ ଚନ୍ଦ୍ର ବେହେରା, ସରପଞ୍ଚ ବଦ୍ରିନାରାୟଣ ରାଉତ, ଏବିଓ ପୁରୁଷୋତ୍ତମ ଧଳ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ।

ଗଜେନ୍ଦ୍ର ବେହେରା ବାର୍ଷିକ ବିବରଣୀ ପାଠ କରିଥିବାବେଳେ ସଦାନନ୍ଦ ପାଣିଗ୍ରାହୀ ଅତିଥି ପରିଚୟ, ସମ୍ପାଦକ ଅକ୍ଷୟ ଶତପଥୀ ସ୍ବାଗତ ଭାଷଣ ଓ ସ˚ଯୋଜକ ଏୗରଗଞ୍ଜନ ଦର୍ପନାରାୟଣ ବରାଳ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର