ପୋଡ଼ି ହୋଇ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ବାପଘର ଆଣିଲେ ହତ୍ୟା ଅଭିଯୋଗ

ପଟ୍ଟାମୁଣ୍ତାଇ : ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ପଟ୍ଟାମୁଣ୍ତାଇ ଅଞ୍ଚଳରେ। ସ୍ବାମୀ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ରକ୍ଷା କରିବାକୁ ଯାଇ ପତ୍ନୀ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ସ୍ବାମୀ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ଝିଅକୁ ପୋଡ଼ି ମାରି ଦିଆଯାଇଛି ବୋଲି ବାପଘର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ଅଭିଯୋଗରୁ ଜଣାପଡ଼ିଛି ଯେ କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳର ସୁଲୋଚନା ପାତ୍ରଙ୍କ ଝିଅ ବନ୍ଦିତା ମଳିକ ୧୦ ବର୍ଷ ତଳେ ପଟ୍ଟାମୁଣ୍ଡାଇ ଥାନା ସାନଜରିଆ ଗ୍ରାମର ଶୈଳେନ୍ଦ୍ର ମଳିକଙ୍କୁ ବିବାହ କରିଥିଲେ। ବିଭିନ୍ନ ସମୟରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କହଳ ଲାଗି ରହୁଥିଲା। ଗତକାଲି ଏହା ଉଗ୍ର ରୂପ ନେଇଥିଲା। ଶୈଳେନ୍ଦ୍ର କିରାସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ବନ୍ଦିତା ତାଙ୍କୁ ବଞ୍ଚାଇବାକୁ ଦୌଡ଼ି ଆସିଥିଲେ। ଏହି ସମୟରେ ସେ ଜଳିଯାଇ ଗୁରୁତର ହୋଇ ପଡ଼ିଥିଲେ। ଉଭୟଙ୍କୁ କଟକ ବଡ଼ ମେଡ଼ିକାଲ ପଠାଯାଉଥିବାବେଳେ ବାଟ‌ରେ ବନ୍ଦିତା ପ୍ରାଣ ହରାଇଥିଲେ। ଶୈଳେନ୍ଦ୍ର ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଅନ୍ୟପକ୍ଷରେ ବନ୍ଦିତାଙ୍କ ମା ସୁଲୋଚନା ଅଭିଯୋଗ କରିଛନ୍ତି ଯେ ବିବାହ ପରେ ଅଧିକ ଯୌତୁକ ଦାବିରେ ଝିଅଙ୍କୁ ସ୍ବାମୀ ମାରପିଟ କରିବା ସହିତ ନିର୍ଯାତନା ଦେଇ ଆସୁଥିଲେ। ଗତକାଲି ତାଙ୍କୁ କିରାସିନି ଢାଳି ନିଆଁ ଲଗାଇ ଦେଇଛନ୍ତି। ପୁଲିସ ଦଫା ୪୯୮-ଏ, ୩୦୨ ଓ ୩୪ ଆଇପିସିରେ ମାମଲା(୧୦୪/୨୧) ରୁଜୁ କରି ତଦନ୍ତ କରୁଥିବା ନେଇ ଥାନା ଆଇଆଇସି ରାକେଶ କୁମାର ତ୍ରିପାଠୀ କହିଛନ୍ତି।

ସମ୍ବନ୍ଧିତ ଖବର