ରାୟଗଡା: ଏହି ସମାଜରେ ନାରୀକୁ ଅସମ୍ମାନ ସହ ନିର୍ଯାତନା ଦିଆଯାଉଥିବା କିଛି ଘଟଣା ଆମ ସମାଜରେ ପ୍ରାୟତଃ ପ୍ରତିଦିନ ଘଟୁଥିବା ବେଳେ ଆମର ଚରିତାର୍ଥ ଉପରେ ପ୍ରଶ୍ନ ଉଠାଇବାକୁ ବାଧ୍ୟ କରୁଛି। ପତ୍ନୀର ଚରିତ୍ର ଉପରେ ସଂଦେହ କରି ନିର୍ଯାତନା ଦେବା ସହ ଅନ୍ୟ ଯୁବତୀଙ୍କ ସହ ସଂପର୍କ ରଖି ବାହା ହେବା ଘଟଣାକୁ ନେଇ ପତ୍ନୀ ତିନି ପିଲାଙ୍କ ସହ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ।
ସୂଚନା ମୁତାବକ କାଶୀପୁର ବ୍ଳକର କୋଡ଼ିକିପଦର ଗାଁର ଜଣେ ମହିଳା କାଶୀପୁରର ମାନୁ ନାଏକଙ୍କ ସହ ୧୨ବର୍ଷ ତଳେ ବିବାହ କରିଥିବା ବେଳେ ତାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ରହିଛି। ପୀଡିତାଙ୍କ କହିବାନୁଯାୟୀ ତାଙ୍କ ସ୍ଵାମୀ ତାଙ୍କ ଚରିତ୍ର ଉପରେ ସବୁବେଳେ ସନ୍ଦେହ କରି ମାଡ଼ ମାରିବା ସହ ନିର୍ଯାତନା ଦେଉଥିଲେ। ଏହା ସହ ଗତ ତିନି ବର୍ଷ ହେବ ତାଙ୍କ ସହ ସପର୍କ ରଖି ନଥିବା ବେଳେ ତାଙ୍କ ସ୍ଵାମୀ ମାନୁ କୁଆଡେ ଅନ୍ୟଜଣକୁ ବିବାହ କରିଥିବା ମଧ୍ୟ ସେ ଅଭିଯୋଗ କହିଛନ୍ତି। ସବୁଠୁ ଦୁଃଖର କଥା ହେଉଛି ସେ ବର୍ତ୍ତମାନ ମାସେ ହେଲା ରାୟଗଡ଼ାରେ ଏକ ହୋଟେଲରେ ଅଇଁଠା ବାସନ ସଫା କରି ତିନି ପୁଅ ଓ ଝିଅଙ୍କୁ ପ୍ରତିପୋଷଣ କରୁଥିବା ଅତି ଦୁଃଖର ସହ ପ୍ରକାଶ କରିଛନ୍ତି। ନ୍ୟାୟ ପାଇଁ ସେ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ଦାବି କରିବା ସହ ନିଜର ତିନି ପିଲାଙ୍କ ପ୍ରତିପୋଷଣ ଓ ଶିକ୍ଷା ପାଇଁ ଦାବି କରିଥିଲେ।
ପୀଡିତାଙ୍କ ବଡ ଝିଅ୪ର୍ଥ ଶ୍ରେଣୀରେ ପାଠ ପଢୁଥିଲେ କିନ୍ତୁ ଏଭଳି ପରିସ୍ଥିତି ଯୋଗୁଁ ପାଠ ଛାଡ଼ି ଦେଇଥିବା କହିଥିଲେ। ସେହିପରି ବଡ଼ପୁଅ ମଧ୍ୟ ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ସେ ମଧ୍ୟ ପାଠ ଛାଡ଼ି ଦେଇଥିବା ମା କହିଥିଲେ। ତାଙ୍କ ସ୍ଵାମୀ ମାନୁ ଜଣେ ହୋଟେଲ କୁକ୍ ହୋଇଥିବା ବେଳେ କେଉଁଠାରେ ରହୁଛନ୍ତି ତାଙ୍କୁ ଜଣାନଥିବ କହିଛନ୍ତି।ଏଭଳି ପରିସ୍ଥିତିରେ ଜିଲ୍ଲାପାଳ ଯଦି କିଛି ସହାୟତା କରିବେ ତାହେଲେ ଆମର ଠିକ୍ ଭାବେ ଗୁଜୁରାଣ ମେଣ୍ଟାଇ ପାରିଥାନ୍ତୁ ବୋଲି ସେ କହିଛନ୍ତି।