ମହାବାତ୍ୟାକୁ ପୂରିଲା ୧୯ ବର୍ଷ : ନିଖୋଜ ସ୍ବାମୀଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ରୀତା

ରାମଚନ୍ଦ୍ରପୁର : ୧୯୯୯ ପ୍ରଳୟଙ୍କାରୀ ମହାବାତ୍ୟାକୁ ପୂରିଛି ୧୯ ବର୍ଷ। ଏହି ମହାବାତ୍ୟା ଅନେକଙ୍କୁ ଦେଇଯାଇଛି ଅସରନ୍ତି ଦୁଃଖ। ମହାବାତ୍ୟା ପରଠାରୁ ଘରକୁ ଫେରି ନାହାନ୍ତି କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅଳତୀ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁ। ଏବେ ବି ସ୍ବାମୀଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ପତ୍ନୀ ରୀତା। ତାଙ୍କ ସ୍ବାମୀ ଦିନେ ନା ଦିନ ଘରକୁ ଫେରିବେ। ଖାସ୍ ଏହି ବିଶ୍ବାସ ନେଇ ଆଜି ‌ପର୍ଯ୍ୟନ୍ତ ରୀତା ହାତରେ ଶଙ୍ଖା ଓ ମଥାରେ ସିନ୍ଦୁର ପିନ୍ଧୁଛନ୍ତି। କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅଳତୀର ଭିକାରୀ ସାହୁଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ଗାଁରେ କାମଧନ୍ଦା ନ ପାଇ ଟ୍ରକ୍‌ରେ ହେଲପର ଭାବେ କାମ କରୁଥିଲେ। ପରେ ପତ୍ନୀ ରୀତା ଓ ପୁଅଝିଅଙ୍କୁ ଛାଡ଼ି ପାରାଦୀପ ଚାଲିଯାଇଥିଲେ। ସେଠାରେ ଆଇସକ୍ରିମ ଓ ବାରମଜା ବିକି ରୋଜଗାର କରୁଥିଲେ। ସେଠାକାର ଏକ ବସ୍ତିରେ ରହୁଥିଲେ। ଘର ଖଣ୍ଡେ ମିଳିଗଲେ ସେ ପିଲାଛୁଆଙ୍କୁ ପରାଦୀପ ନେଇ‌ଯିବେ ବୋଲି କହିଥିଲେ। ହେଲେ ତା ପର ଠାରୁ ଆଉ ତାଙ୍କର କୌଣସି ଖୋଜ ଖବର ନାହିଁ। ୧୯୯୯ ମହାବାତ୍ୟା ପୂର୍ଣ୍ଣଚନ୍ଦ୍ରଙ୍କ ଠିକଣା ହଜେଇ ଦେଇଛି। ବାତ୍ୟା ପରେ ପୁଅ ଘରକୁ ନ ଫେରିବାରୁ ବାପା ଭିକାରୀ ପାରାଦୀପ ଯାଇ ଅନେକ ଖୋଜାଖୋଜି କରିଥିଲେ। ହେଲେ ପୂର୍ଣ୍ଣଚନ୍ଦ୍ରଙ୍କୁ ପାଇ ନଥିଲେ। ପୁଅ ନିଖୋଜ ଥିବା ନେଇ ସେ ରାମଚନ୍ଦ୍ରପୁର ଥାନାରେ ଏତଲା ଦେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ପୂର୍ଣ୍ଣଚନ୍ଦ୍ରଙ୍କ କୌଣସି ସନ୍ଧାନ ମିଳିପାରିନି। ଏପଟେ ପୁଅକୁ ଖୋଜି ଖୋଜି ଭିକାରୀ ଏବେ ଆରପାରିରେ। ପୂର୍ଣ୍ଣଚନ୍ଦ୍ରଙ୍କୁ ହରାଇ ପରିବାର ଏକ ପ୍ରକାର ବେସାହାରା ହୋଇପଡ଼ିଛି। ରୀତା ଗାଁ ସ୍କୁଲରେ ସହାୟିକା ପାଚିକା ଭାବେ କାମ କରୁଥିବାବେଳେ ପୁଅ ପ୍ରଫୁଲ କାମଧନ୍ଦା କରି ପେଟ ପୋଷୁଛନ୍ତି। ବହୁ କଷ୍ଟରେ ଏ ବର୍ଷ ଝିଅ ବାହାଘର କରିଛନ୍ତି ରୀତା।

ଦୀର୍ଘ ବର୍ଷ ହେବ ପରିବାର ଆର୍ଥିକ ଅନଟନ ମଧ୍ୟରେ ଚଳୁଛନ୍ତି। ପ୍ରଶାସନ ପକ୍ଷରୁ ମିଳିଛି କେବଳ ଖଣ୍ଡେ ଇନ୍ଦିରା ଆବାସ ଘର। ପୂର୍ଣ୍ଣଚନ୍ଦ୍ର ମୃତ କି ଜୀବିତ ସେନେଇ କାହା ପାଖରେ ସୂଚନା ନାହିଁ। ଯେଉଁଥି ପାଇଁ ରୀତା‌ କୌଣସି ସରକାରୀ ସୁବିଧା ପାଉନାହନ୍ତି। ପରିବାରକୁ ପ୍ରଶାସନ ପକ୍ଷରୁ ଉପଯୁକ୍ତ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତିି।

ସମ୍ବନ୍ଧିତ ଖବର