ଦେବଗଡ଼ରେ ମହିଳା ଓ ୨ ଶିଶୁ କନ୍ୟାଙ୍କ ମୃତଦେହ ଉଦ୍ଧାର ଘଟଣା : ସ୍ୱାମୀ କାଟିଥିଲା ସ୍ତ୍ରୀର ତଣ୍ଟି

୨ ଝିଅଙ୍କୁ ନିର୍ମମ ଭାବେ ମାରିଥିଲେ ସଂପର୍କୀୟ, ମାରିବା ଆଗରୁ ଖୋଳାଯାଇଥିଲା ଗାତ, ସ୍ବାମୀ, ଶ୍ବଶୁର, ଶାଶୂ ସମେତ ୪ ଗିରଫ, ଦିଅର ଫେରାର

ଦେବଗଡ଼ : ସୀମା ଟପିଗଲା ନୃଶଂସତା। କେହି କଣ ନିଜ ରକ୍ତର ସଂପର୍କକୁ ଏମିତି ନିର୍ମମ ଭ‌ାବେ ହତ୍ୟା କରିପାରେ? ଯାହାକୁ ଭଲ ପାଇ ବିବାହ କରିଥିଲା ତାର ତଣ୍ଟି କାଟି ମାଟିରେ ପୋତି ଦେଇପାରେ? ଅବିଶ୍ବସନୀୟ ହୋଇଥିଲେ ମଧ୍ୟ ସେଦିନ ରାତିରେ ବାଲିରଇ ଜଙ୍ଗଲରେ ଘଟିଥିଲା ଏଭଳି ହୃଦୟବିଦାରକ ଘଟଣା। ବିଶ୍ବାସ କରି ସ୍ବାମୀ ସହିତ ଶାଶୂ ଘରକୁ ଫେରୁଥିଲା ସ୍ତ୍ରୀ। ବାପାମା’ ସହିତ ଆସୁଥିଲେ ୨ ନିଷ୍ପାପ ଶିଶୁକନ୍ୟା। ମାତ୍ର ସେଦିନର ରାତି ସେମାନଙ୍କ ପାଇଁ ପାଲଟି ଯାଇଥିଲା କାଳରାତ୍ରି। ଅନ୍ଧାର ରାତିରେ, ଶୂନ୍‌ଶାନ ରାସ୍ତାରେ ବଦଳିଗଲା ସେମାନଙ୍କ ଜୀବନ ପଥ। ଘର ବଦଳରେ ସେମାନଙ୍କୁ ନିଆଯାଇଥିଲା ନିଛାଟିଆ ଜଙ୍ଗଲକୁ। ପୂର୍ବରୁ ସେମାନଙ୍କ ପାଇଁ ଅପେକ୍ଷା କରିଥିଲେ ଜହ୍ଲାଦମାନେ। ଜଣଙ୍କ ପରେ ଜଣଙ୍କ ତଣ୍ଟି କାଟି ଦେଇଥିଲେ। ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ ଯିବା ପୂର୍ବରୁ ଜହ୍ଲାଦମାନେ ଆଗରୁ ଖୋଳାଯାଇଥିବା ଗାତରେ ସେମାନଙ୍କୁ ଫିଙ୍ଗି ଦେଇଥିଲେ। ଆଉ ଜୀବିତ ଥିବା ଅବସ୍ଥାରେ ହିଁ ମାଟିରେ ପୋତିଦେଇ ଫେରାର ହୋଇଯାଇଥିଲେ। ବାରକୋଟ ଥାନା ବାଲିରାଇ ଜଙ୍ଗଲରୁ ଜଣେ ମହିଳା ଓ ୨ ଶିଶୁକନ୍ୟାଙ୍କ ଶବ ଉଦ୍ଧାର ଘଟଣାର ୩୫ ଦିନ ପରେ ଏହାର ପର୍ଦ୍ଦା ଉନ୍ମୋଚନ କରି ଏଭଳି ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି ଦେବଗଡ଼ ଏସ୍‌ପି ରାହୁଲ ଜୈନ। ଏହି ହତ୍ୟା ମାମଲାରେ ପୁଲିସ ମୃତ ମହିଳାଙ୍କ ସ୍ବାମୀ ବିକ୍ରମ ପ୍ରଧାନ, ଶ୍ବଶୁର ସୋମନାଥ ପ୍ରଧାନ, ଶାଶୂ ରୂପେଲି ପ୍ରଧାନ, ସମରଖାଇ ଗ୍ରାମର ଅମର ସାମଲଙ୍କୁ ଗିରଫ କରିଛି। ତେବେ ଏଥିରେ ସଂପୃକ୍ତ ବିକ୍ରମର ସାନଭାଇ ଚିନ୍ମୟ ପ୍ରଧାନ ଫେରାର ଅଛି। ଖୁବଶୀଘ୍ର ଚିନ୍ମୟଙ୍କୁ ଗିରଫ କରାଯିବ ବୋଲି ଆଜି ବାରକୋଟ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜୈନ କହିବା ସହିତ ଚିନ୍ମୟ ସେନାବାହିନୀରେ କାମ କରୁଥିବାରୁ ପୁଲିସ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ଏ ସଂପର୍କରେ ସୂଚନା ଦିଆଯାଇଥିବା ପ୍ରକାଶ କରିଛନ୍ତି।
ଘଟଣାକ୍ରମ ଥିଲା ଏପରି। ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବଡ଼ତଇଲା ଗ୍ରାମର ସୋମନାଥ ପ୍ରଧାନଙ୍କ ପୁଅ ବିକ୍ରମ ଓ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଟିନା ଲେନ୍‌ର ନୁରୁନ ଖାଁ ଓରଫ ନିକି ପ୍ରଧାନ(୨୭) ଭୁବନେଶ୍ବର‌ର ଏକ ଘରୋଇ କମ୍ପାନିରେ କାମ କରୁଥିଲେ। ସେହିଠାରୁ ହିଁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ୨୦୧୫ ଡିସେମ୍ବର ମାସରେ ସେମାନେ କୋର୍ଟରେ ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ୨ଟି ଝିଅ ଜନ୍ମ ନେଇଥିଲେ। କୌଣସି କାରଣରୁ ସେମାନେ ଭୁବନେଶ୍ୱରରୁ କାମ ଛାଡ଼ି ବ୍ରଜରାଜନଗର ଫେରି ଆସିଥିଲେ। ନୁରୁନ୍‌ ମୁସଲମାନ ସଂପ୍ରଦାୟର ହୋଇଥିବାରୁ ଏହି ବିବାହକୁ ବିକ୍ରମଙ୍କ ପରିବାର ଲୋକ ଗ୍ରହଣ କରି ନ ଥିଲେ। ଅନ୍ୟପଟେ ବିକ୍ରମଙ୍କ ୨ଟି ଝିଅ ଥିବା ସତ୍ତ୍ବେ ସେ ଅନ୍ୟ ଜଣେ ଯୁବତୀଙ୍କ ସହିତ ସଂପର୍କ ରଖିଥିଲେ। ଏହାକୁ ନେଇ ବିକ୍ରମ ଓ ନୁରୁନ୍‌ଙ୍କ ମଧ୍ୟରେ ବଚସା‌ ଲାଗି ରହୁଥିଲା। ଏହା ମଧ୍ୟରେ ନୁରୁନ୍‌ ବ୍ରଜରାଜନଗର ଅଞ୍ଚଳରେ ଏକ ବ୍ୟାବସାୟିକ ପ୍ରତିଷ୍ଠାନରେ ଚାକିରି କରୁଥିଲେ। କିନ୍ତୁ ବିକ୍ରମଙ୍କର କୌଣସି ଚାକିରି ନଥିଲା। ସେ କିନ୍ତୁ ନୁରୁନଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ବିକ୍ରମର ପରିବାର ଲୋକ ତାକୁ ସହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେହି ଅନୁସାରେ ପ୍ରସ୍ତୁତ ହୋଇଥିଲା ଯୋଜନା।

ଅକ୍ଟୋବର ୧୬ ତାରିଖ ଦିନ ବିକ୍ରମର ବାପା ସୋମନାଥ , ମା ରୂପେଲି, ସେନାରେ କାର୍ଯ୍ୟରତ ବିକ୍ରମର ଭାଇ ଚିନ୍ମୟ, ସମ୍ପର୍କୀୟ ଭିଣୋଇ, ପିଉସା ଓ ମାମୁ ନିଜ ଗାଁ ବଡ଼ତଇଲାଠାରୁ ମାତ୍ର ୧କି.ମି ଦୂରରେ ଥିବା ବାଲିରଇଗ୍ରାମ ଜଙ୍ଗଲରେ ଏକାଠି ହୋଇଥିଲେ। ସେଠାରେ ନୁରୁନ ଓ ଦୁଇ ଝିଅଙ୍କୁ ମାରି ପୋତିବା ପାଇଁ ସେମାନେ ଏକ ବଡ଼ ଗାତ ଖୋଳିଥିଲେ। ଏ ପଟେ ପୂର୍ବ ଯୋଜନା ଅନୁଯାୟୀ ୧୭ ତାରିଖ ରାତିରେ ବିକ୍ରମ ସ୍ତ୍ରୀ ନୁରୁନ, ୩ ବର୍ଷର ବଡ଼ ଝିଅ ଗାୟତ୍ରୀ ଓ ୩ ମାସର ସାନ ଝିଅ କଲ୍ୟାଣୀକୁ ନିଜ ଗାଁକୁ ନେବା ବାହାନାରେ ସମ୍ବଲପୁର ଆଣିଥିଲା। ରାତିରେ ସେଠାରୁ ଏକ କାର୍‌ରେ ବଡ଼ତଇଲା ଅଭିମୁଖେ ବାହାରିଥିଲେ। ଅଧା ରାସ୍ତାରେ ସେମାନଙ୍କୁ ଏକ ବାଇକ୍‌ରେ ଘରକୁ ଯିବା ବାହାନାରେ ବାଲିରାଇ ଜଙ୍ଗଲକୁ ନେଇଥିଲା।

ପୂର୍ବରୁ ସେଠାରେ ପ୍ରସ୍ତୁତ ହୋଇ ରହିଥିବା ଅଭିଯୁକ୍ତମାନେ ପ୍ରଥମେ ନୁରୁନ କୋଳରୁ ୩ ମାସର କନ୍ୟା କଲ୍ୟାଣୀକୁ ଛଡ଼ାଇ ନେଇ ତଣ୍ଟି କାଟି ଗାତରେ ଫିଙ୍ଗି ଦେଇଥିଲେ। ପରେ ବଡ଼ ଝିଅ ଗାୟତ୍ରୀ ଓ ନୁରୁନଙ୍କ ତଣ୍ଟି କାଟି ଦେଇଥିଲେ। ମା ଓ ଝିଅ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସେମାନେ ଉଭୟଙ୍କୁ ଗାତକୁ ଫିଙ୍ଗି ମାଟିରେ ପୋତି ଦେଇଥିଲେ। କିଛିଦିନ ପରେ ଗୋଟିଏ ଗାତରେ ୩ଟି ମୃତଦେହ ପଚି ଯିବାରୁ ମାଟି ଉପରକୁ ଉଠି ଆସିଥିଲା। ସେତେବେଳକୁ ଜଙ୍ଗଲୀ ଜନ୍ତୁ ନୁରୁନଙ୍କ ଶବର ଉପର ଅଂଶକୁ ଖାଉଥିବା ଦେଖି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ଗତ ୯ ତାରିଖ ଦିନ ପୁଲିସ ସେଠାରୁ ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଥିଲା। ପୁଲିସ ଏ ନେଇ ଏକ ହତ୍ୟା ମାମଲା ରୁଜୁ କରି ଫରେନ୍‌ସିକ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା। ଦେବଗଡ଼ ଏସ୍‌ପି ରାହୁଲ ଜୈନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦେବଗଡ଼ ଏସ୍‌ଡିପିଓ ସୁଲେମାନ ଏକ୍କା ଓ ବାରକୋଟ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରାଙ୍କ ନେତୃତ୍ୱରେ ବାରକୋଟ ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀ ଘଟଣାର ତଦନ୍ତ କରି ଶବ ମିଳିବାର ୧୨ଦିନ ମଧ୍ୟରେ ଏହାର ରହସ୍ୟ ଉନ୍ମୋଚନ କରିଥିଲେ। ଶନିବାର ଗିରଫ ଅଭିଯୁକ୍ତ ୪ଜଣଙ୍କୁ ବାରକୋଟ ଥାନା ପୁଲିସ ଦଫା- ୩୦୨, ୧୨୦(ବି), ୨୦୧ ଓ ୩୪ ଆଇପିସି ଧାରାରେ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର