ଚାରିବର୍ଷ ପରେ ବି ବିଧବା ଭତ୍ତା ହେଲାନି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି : ‘ଦୁଇ ପିଲା ସହ ବିଷ ଖାଇ ମରିବି’

ବ୍ରହ୍ମପୁର : ସଡ଼କ ଦୁର୍ଘଟଣାରେ ଯୋଗୀ ପ୍ରଧାନଙ୍କ ମୃତ୍ୟୁର ୪ବର୍ଷ ପରେ ମଧ୍ୟ ପତ୍ନୀ ଶାନ୍ତି ପ୍ରଧାନଙ୍କ ବିଧବା ଭତ୍ତା ହୋଇପାରୁନି। ଦୁଇ ପୁଅ ଝିଅଙ୍କୁ ନେଇ ପରିବାର ଚଳାଇବା କାଠିକାର ପାଠ ହୋଇଛି। ସରକାରୀ ସୁବିଧା ପାଇଁ ପଞ୍ଚାୟତରୁ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ପର୍ଯ୍ୟନ୍ତ ଦୌଡ଼ି ନିରାଶ ହେବା ପରେ ‌ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖିଛନ୍ତି ଶାନ୍ତି। ବିଧବା ଭତ୍ତା ଓ ରାସନ୍‌ କାର୍ଡ଼ ନ ମିଳିଲେ ଦୁଇ ପିଲା ସହ ବିଷ ପିଇ ଜୀବନ ହାରିବେ ବୋଲି ଚେତାବନୀ ଦେଇଛନ୍ତି।

ଛତ୍ରପୁର ବ୍ଲକ ବିପୁଳିଙ୍ଗି ପଞ୍ଚାୟତ କତୁରୁ ଗ୍ରାମର ଯୋଗୀ ୪ ବର୍ଷ ତଳେ ଏକ ସଡ଼କ ଦୁର୍ଘଟଣାରେ ଆରପାରିକୁ ଚାଲିଗଲେ। ପୁଅର ବୟସ ୧୪ ହୋଇଥିବା ଝିଅକୁ ୧୦ ବର୍ଷ। ଶାନ୍ତି ଭୂମିହୀନ, ମୁଣ୍ଡ ଗୁଞ୍ଜିବାକୁ ଚାଳ ଖଣ୍ଡେ ନାହିଁ। ଭଡ଼ା ଘରେ ରହୁଥିଲେ। ମାସିକ ଭଡ଼ା ଦେଇପାରୁ ନ ଥିବାରୁ ଘର ମାଲିକ ତଡ଼ୁଛନ୍ତି। ମଜୁରୀ ଲାଗିଲେ ପରିବାର ଚଳିବ। ଶାନ୍ତିଙ୍କ କାନକୁ ଠିକ୍‌ ଭାବେ ଶୁଭୁ ନ ଥିବା ବେଳେ ଶ୍ରବଣ ଯନ୍ତ୍ର କିଣିବା ପାଇଁ ପଇସା ନାହିଁ। ଦୁଇ ଶିଶୁଙ୍କୁ ଧରି ଦୁର୍ଦ୍ଦିନରେ ଦିନ କାଟୁଥିବା ଶାନ୍ତି ବିଧବା‌ ଭତ୍ତା ଲାଗି ପଞ୍ଚାୟତଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଦୌଡ଼ି ମଧ୍ୟ ଏ ଯାଏ ଭତ୍ତା ମଞ୍ଜୁର ହୋଇନାହିଁ। ଗତ ଡିସେମ୍ବର ମାସରେ ଶାନ୍ତି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଗୁହାରି କରିଥିଲେ। ବିଧବା ଭତ୍ତା, ରାସନ୍‌ କାର୍ଡ଼ ଓ ମୋ କୁଡ଼ିଆ କିମ୍ବା ଆବାସ ଯୋଜନାରେ ଘରଟିଏ ଯୋଗାଇ ଦେବାକୁ ନିବେଦନ କରିଥିଲେ। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଚିଠି ଲେଖିଥିଲେ। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରୁ ପଦକ୍ଷେପ ନେବା ନିମନ୍ତେ ଛତ୍ରପୁର ବ୍ଲକ୍‌ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଗଲା। ଛତ୍ରପୁର ବ୍ଲକ୍‌ ପକ୍ଷରୁ ତଦନ୍ତ କରି ରିପୋର୍ଟ ଦେବା ଦାୟିତ୍ବ ସମ୍ପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀକୁ ଦିଆ ଯାଇଥିଲା। ତଦନ୍ତ ସରିଥିଲେ ହେଁ ଏ ଯାଏ ବିଧବା ଭତ୍ତା କି ରାସନ୍‌ କାର୍ଡ଼ ହେଲାନାହିଁ। ସବୁ ଆଡ଼ୁ ନିରାଶ ହେବା ପରେ ଶାନ୍ତି ୫-ଟି ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖିଛନ୍ତି। ଭତ୍ତା ଓ ରାସନ୍‌ କାର୍ଡ଼ ନ ମିଳିଲେ ଦୁଇ ଶିଶୁଙ୍କୁ ବିଷ ଦେଇ ନିଜେ ବିଷ ଖାଇ ମରିବେ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଶାନ୍ତିଙ୍କ ଏହି ଚିଠି ପରେ ସାମଜିକ ସୁରକ୍ଷା ବିଭାଗ ଅନୁସଚିବ ମଦନ ମୋହନ ବେହେରା ଗଞ୍ଜାମ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ନିୟମ ଅନୁଯାୟୀ ତୁରନ୍ତ ପଦକ୍ଷେପ ନେବା ସହ ରିପୋର୍ଟ ଦେବାକୁ ଚିଠିରେ ନିର୍ଦ୍ଦେଶ ଅଛି।

ସମ୍ବନ୍ଧିତ ଖବର