କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଧୀନ ପଥରାପଲ୍ଲୀ-ଅର୍ଜୁନପଲ୍ଲୀ ଗ୍ରାମ ରାସ୍ତା ସୁନାମୁହିଁ ଝରନାଳ ନିକଟ ଧୋବାପଦର କାଜୁ ଜଙ୍ଗଲରେ ଗତକାଲି ଜଣେ ମହିଳାଙ୍କ କ୍ଷତାକ୍ତ ଶବ ମିଳିଥିଲା। ଆଜି ତାଙ୍କ ପରିଚୟ ହସ୍ତଗତ ହୋଇଛି। ମୃତକଜଣକ ବ୍ରହ୍ମପୁର ସଦର ଥାନା ଅଧୀନ ଆଙ୍କୁଶପୁର ନିକଟ ବାଉଁଶିଆପଲ୍ଲୀର ଲିଲି ନାୟକ ବୋଲି ଜଣାପଡ଼ିଛି। ଲିଲିଙ୍କୁ ତାଙ୍କ ପତି ହିଁ ହତ୍ୟା କରି ଏଠାରେ ଫୋପାଡ଼ିଥିବା ନେଇ ମା’ ଡମୁଣୀ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ଆଜି ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲେ। ଗ୍ରାମରକ୍ଷୀ ପୀତବାସ ପାଢ଼ୀଙ୍କ ଏତଲା କ୍ରମେ କେସ୍ ନମ୍ବର ୩୮ ଅନୁସାରେ ଏକ ମାମଲା ରୁଜୁ ସହ ତଦନ୍ତ ଜାରି ରହିଥିବା ଥାନାଧିକାରୀ ପ୍ରଭାତ କୁମାର ସାହୁ ସୂଚନା ଦେଇଛନ୍ତି। କିନ୍ତୁ କାହାକୁ ବି ଅଟକ ରଖାଯାଇନି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।
ମା’ ଡମୁଣୀଙ୍କ ଅଭିଯୋଗ ଅନୁସାରେ, ଲିଲି ତାଙ୍କ ଚାରି ସନ୍ତାନଙ୍କ ସହ ବାଉଁଶିଆପଲ୍ଲୀରେ ରହୁଥିବା ବେଳେ ସ୍ବାମୀ ରାଜ୍ୟ ବାହାରେ କାମ କରୁଛନ୍ତି। ଗତ ଏକ ମାସ ତଳେ ଲିଲିଙ୍କ ସ୍ବାମୀ ଗାଁକୁ ଆସିଥିଲେ। କିନ୍ତୁ ଉଭୟଙ୍କ ମଧ୍ୟରେ ସଂପର୍କ ଭଲ ନଥିଲା। ସବୁ ବେଳେ ମଦ ପିଇ ସେ ଲିଲିଙ୍କୁ ମାରଧର କରୁଥିଲେ। ଗତ ରବିବାର ଦିନ ସାହୁକାରଠୁ ବକେୟା ଟଙ୍କା ମାଗିଆଣିବା ଆଳରେ ଲିଲିଙ୍କୁ ନେଇ ତାଙ୍କ ସ୍ବାମୀ କବିସୂର୍ଯ୍ୟନଗର ଆସିଥିଲେ। ହେଲେ ଦୁଇ ଦିନ ହେଲା ଲିଲିଙ୍କ ଖୋଜଖବର ମିଳି ନଥିଲା। ଫଳରେ ଡମୁଣୀ ଏନେଇ ସଦରଥାନାରେ ଅଭିଯୋଗ ବି କରିଥିଲେ। ଗତକାଲି ଲିଲିଙ୍କ କ୍ଷତାକ୍ତ ଶବ କାଜୁ ଜଙ୍ଗଲରୁ ଉଦ୍ଧାର ହେବା ପରେ ସ୍ବାମୀ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ଏଠାରେ ଫୋପାଡ଼ି ଦେଇଥିବା ଡମୁଣୀ ଅଭିଯୋଗ ଆଣିଛନ୍ତି। କିନ୍ତୁ ବିଭିନ୍ନ ଦିଗରୁ ପୁଲିସ ତଦନ୍ତ ଜାରି ରଖିଛି। ପୋଲସରା ଥାନାଧିକାରୀ ଜିତେନ୍ଦ୍ର ମଲ୍ଲିକ ଓ କବିସୂର୍ଯ୍ୟନଗର ଥାନାଧିକାରୀ ପ୍ରଭାତ କୁମାର ସାହୁ ମିଳିତ ଭାବେ ଆଜି ତଦନ୍ତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/ganjam-1.jpg)