ଦେଓଗାଁ: ବଲାଙ୍ଗୀରଜିଲ୍ଲା ଦେଓଗାଁ ଅଞ୍ଚଳର ଏକ ଜଙ୍ଗଲରୁ ଜଣେ ମହିଳାଙ୍କ ଅର୍ଦ୍ଧନଗ୍ନ ଗଳିତ ଶବ ଉଦ୍ଧାର କରାଯାଇଛି। ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟାକରି ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ମୃତ ମହିଳାଙ୍କ ପରିଚୟ ଜଣାପଡ଼ିନାହିଁ। ମଙ୍ଗଳବାର ବନ୍ଧପଡ଼ା ପୁଲିସ ଫାଣ୍ଡି ଅଧୀନ ଗୋଏଲପିଟା-ଡୁମେରପିଟା ରାସ୍ତାରୁ ଅଧ କିଲୋମିଟର ଦୂର ବାମ ପାର୍ଶ୍ୱରେ ଥିବା କୁମୁସିନ ଜଙ୍ଗଲରେ ଜଣେ ମହିଳାଙ୍କ ଶବ ପଡ଼ିଥିବା ଦୁଇଜଣ ଛେଳିଚରାଳି ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ।

Advertisment

ଏ ନେଇ ଜମି ମାଲିକ ପୁଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ଦେଓଗାଁ ଥାନା ଅଧିକାରୀ ବୁଲୁ ମୁଣ୍ଡା ସଦଳବଳ ପହଞ୍ଚିଥିଲେ। କପାବିଲ ନିକଟରେ ମହିଳାଙ୍କ ଭଙ୍ଗାଚୁଡ଼ି, ଶାଢ଼ି, ଶାଲ ପଡ଼ିଥିବାରୁ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ ଘନୀଭୂତ ହୋଇଛି। ଏ ସମ୍ପର୍କରେ ଏସ୍‌ଡିପିଓ ସରୋଜ ଉପାଧ୍ୟାୟଙ୍କୁ ପଚାରିବାରୁ, ଜଣେ ମହିଳାଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ରିପୋର୍ଟ ମିଳିଲା ପରେ ଦୁଷ୍କର୍ମ ଓ ହତ୍ୟା ହୋ‌ଇଛି କି ନାହିଁ ଜଣାପଡ଼ିବ ବୋଲି କହିଛନ୍ତି। ଦେଓଗାଁ ଥାନା ଅଞ୍ଚଳରେ ଦିନକୁ ଦିନ ଅପରାଧ ଉପରମୁହାଁ ହେଉଛି। ବନ୍ଧପଡ଼ା ଫାଣ୍ଡିରୁ ୫ କିଲୋମିଟର ଦୂର ଅନ୍ତର୍ଲା ଗାଁରେ ଗତ ୭ ତାରିଖରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଆଜି ପୁଣି ଫାଣ୍ଡିରୁ ୭ କିଲୋମିଟର ଦୂରରେ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର ହେବା ପରେ ଘଟଣାଟି ଚର୍ଚ୍ଚାର ବିଷୟ ହୋଇଛି।