ମାଟି ତଳୁ ମହିଳାଙ୍କ ଗଳିତ ଶବ ଉଦ୍ଧାର

ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ, ସନ୍ଦିଗ୍ଧ ୩ ଯୁବକ କିଏ?

ହରିଚନ୍ଦନପୁର : ହରିଚନ୍ଦନପୁର ପୁଲିସ ଆଜି ଭଗାମୁଣ୍ଡା ପଞ୍ଚାୟତ ମାଣିଆବିନ୍ଧା ଗ୍ରାମ ଜାଉଁରିଆ ଡ୍ୟାମ ନିକଟରୁ ଅଧା ପୋତା ଯାଇଥିବା ଜଣେ ମହିଳାଙ୍କ ଗଳିତ ଶବକୁ ଉଦ୍ଧାର କରିଛି। ମୃତ ମହିଳ ଜଣଙ୍କ କିଏ, ତାଙ୍କୁ କିଏ ଆଣି ଏଠାରେ ପୋତିଲା ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ମହିଳାଙ୍କ ପରିଚୟ ଖୋଜୁଛି ପୁଲିସ। ପରିଚୟ ମିଳିବା ପରେ ତଦନ୍ତକୁ ଅଧିକ କ୍ରିୟାଶୀଳ କରିବ ପୁଲିସ ବୋଲି ଜଣାପଡ଼ିଛି। ଏହି ଘଟଣା ଆଜି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

କେତେକ ଗ୍ରାମବାସୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଦିନ ଗ୍ରାମର ଦୁଇଜଣ ଯୁବକ ଜାଉଁରିଆ ଡ୍ୟାମକୁ ମାଛ ମାରିବାକୁ ଯାଇଥିଲେ। ସେଠାରେ ଅଧା ପୋତାଯାଇଥିବା ଜଣେ ମହିଳାଙ୍କ ଶବକୁ ଦେଖି ସେମାନେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ଏନେଇ ହରିଚନ୍ଦନପୁର ପୁଲିସକୁ ଜଣାଇଥିଲେ। ଖବର ପାଇ ହରିଚନ୍ଦନପୁର ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ, ଏସଆଇ ଅଯୋଧ୍ୟା ମାଟିଆ, ମାଜି‌ଷ୍ଟ୍ରେଟ୍ ତଥା ତହସିଲଦାର ପ୍ରଶାନ୍ତ କୁମାର ସେଠୀ ଓ ସାଇଣ୍ଟିଫିକ ଦଳ ଘଟଣା ସ୍ଥଳରେ ପହଞ୍ଚି ଗଳିତ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମହିଳାଙ୍କ ମୃତ୍ୟୁ ସମ୍ପର୍କରେ ଜଣାପଡ଼ିବ ବୋଲି ପୁଲିସ କହିଛି।

କେତେକ ଗ୍ରାମବାସୀଙ୍କ କହିବା କଥା ହେଲା, ୨୬ ତାରିଖ ମଧ୍ୟାହ୍ନରେ ୩ ଜଣ ଯୁବକ ଏକ ଅଟୋରିକ୍ସାରେ ଆସି ଏଠାରେ ଠିଆ ହୋଇଥିଲେ। ଜାଉଁରିଆ ଡ୍ୟାମ ବୁଲି ଆସିଥିବା ଗ୍ରାମବାସୀ ଭାବିଥିଲେ। ମାତ୍ର ଆଜି ସେଠାରୁ ଜଣେ ମହିଳାଙ୍କ ଶବ ଉଦ୍ଧାର ହେବା ପରେ ସେମାନଙ୍କ ଉପରେ ଗ୍ରାମବାସୀଙ୍କ ସନ୍ଦେହ ବଢ଼ି ଯାଇଛି। ସେହି ୩ ଜଣ ଯୁବକ ମହିଳାଙ୍କୁ ଆଣି ଏଠାରେ ପୋତିଥିବା ଗ୍ରାମବାସୀ ସନ୍ଦେହ ପ୍ରକଟ କରିଛନ୍ତି। ଏହି ଅଚିହ୍ନା ମହିଳାଙ୍କୁ ଏକ କମ୍ବଳରେ ଘୋଡା ଯାଇ ଅଧା ପୋତା ଯାଇଥିଲା ଏବଂ ତା ଉପରେ ପଥର ନଦା ଯାଇଥିଲା। ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ନା ଆଉ କଣ ସବୁ ଦିଗରୁ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ୪୪/୨୧ ରେ ପୁଲିସ ଏକ ମାମଲା ରୁଜୁ କରି ଘଟଣା ସମ୍ବନ୍ଧରେ ତଦନ୍ତ କରୁଛି ବୋଲି ଥାନା ଅଧିକାରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।।

ସମ୍ବନ୍ଧିତ ଖବର