ଟ୍ରେନ୍‌ରୁ ମହିଳାଙ୍କ ମୁଣ୍ଡବିହୀନ ଗଣ୍ଡି ମିଳିବା ଘଟଣା : ଖୋଜାଚାଲିଛି ପରିଚୟ; ତଦନ୍ତ ପାଇଁ ତିନିଟି ଟିମ୍‌ ଗଠିତ

ପୁରୀ : ଗତକାଲି ଡ଼େଲାଙ୍ଗ ଓ ପୁରୀ ରେଳ ଷ୍ଟେସନ୍‌ରୁ ପୃଥକ ପୃଥକ ଭାବେ ମିଳିଥିବା ଜନୈକା ମହିଳାଙ୍କର ମୁଣ୍ଡଗଣ୍ଡି ବିହୀନ ମୃତଦେହକୁ ଆଜି ପୁଲିସ ବ୍ୟବଚ୍ଛେଦ କରାଇଛି। ମୃତ ମହିଳାଙ୍କର ପରିଚୟ ଏ ଯାବତ ମିଳିପାରିନାହିଁ। ଦାବିଦାର ନ ମିଳିବା ଯାଏ ଶବକୁ ୯୬ ଘଣ୍ଟା ସଂରକ୍ଷିତ ରଖାଯିବ ଏବଂ ପରେ ମଶାଣି ଚଣ୍ଡୀ ନିକଟରେ ପୋତି ଦିଆଯିବ ବୋଲି ପୁଲିସ କହିଛି। ତେବେ ଏହା ପୂର୍ବରୁ ମହିଳାଙ୍କର ଡିଏନ୍‌ଏ ଟେଷ୍ଟ ପାଇଁ ଆବଶ୍ୟକ ହାଡ଼ ନମୁନା, ଭିସେରା ଆଦି ସଂଗୃହୀତ ହୋଇ ରଖାଯାଇଛି।

ଗତକାଲି ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ପଦାକୁ ଆସିବା ପରେ ଜିଆର୍‌ପି ଥାନା ପୁଲିସ ଏହାକୁ ଗୁରୁତ୍ଵର ସହିତ ନେଇଛି। ମାମଲାର ତଦନ୍ତ ପାଇଁ ତିନୋଟି ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ଏବେ ବିଭିନ୍ନ ଆଡ଼କୁ ଗସ୍ତ କରି ମହିଳାଙ୍କର ପରିଚୟ ଖୋଜୁଛି। ଗୋଟିଏ ଟିମ୍‌ ଗୁଣପୁରକୁ ଯାଇଛନ୍ତି। ସେଠାରେ ମହିଳାଙ୍କର ଫଟୋଚିତ୍ରକୁ ଆଧାର କରି ପୁଲିସ ନିଜସ୍ୱ ପ୍ରଚେଷ୍ଟାରେ ତାଙ୍କ ପରିଚୟ ଖୋଜୁଛି। ଭିଏଚ୍‌ଏଫ୍‌ ଯୋଗେ ଓଡ଼ିଶାର ସମସ୍ତ ଥାନାକୁ ଏହି ମହିଳାଙ୍କ ସମ୍ପର୍କରେ ତଥ୍ୟ ସୂଚୀତ କରାଯାଇଛି। ଯଦି କୌଣସି ଥାନାରେ ମହିଳାଙ୍କ ନିଖୋଜକୁ ନେଇ ଅଭିଯୋଗ ଆସେ ତେବେ ତୁରନ୍ତ ପୁରୀ ଜିଆର୍‌ପି ଥାନା ସମେତ ବରିଷ୍ଠ ପଦାଧକାରୀଙ୍କୁ ସୂଚନା ଦେବାକୁ କୁହାଯାଇଛି। ତେବେ ଏହି ଘଟଣାକୁ ୩୬ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଥାନାରେ କେହି ମହିଳା ନିଖୋଜ ହୋଇ ଯାଇଥିବା ନେଇ ଅଭିଯୋଗ ଆସିନାହିଁ। ତେଣୁ ପୁଲିସ ଆଉ କିଛି ସମୟ ଅପେକ୍ଷା କରିବାକୁ ଚିନ୍ତା କରିଛି।

ଅନ୍ୟପକ୍ଷରେ ଆଜି ଅପରାହ୍ନରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହିଳାଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି। ଟିମ୍‌ ଅଫ୍‌ ଡକ୍ଟର (ଏକାଧିକ ଡାକ୍ତର) ବ୍ୟବଚ୍ଛେଦ ପ୍ରକ୍ରିୟାରେ ସାମିଲ ହୋଇ ମହିଳାଙ୍କର ଶବକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ। ମହିଳାଙ୍କ ଶବ ଜବତ କରାଯିବା ସମୟରେ ତାଙ୍କର ଅନ୍ତଃବସ୍ତ୍ର ଆଣ୍ଠୁ ପାଖରେ ଥିଲା। ପ୍ରକୃତରେ ମହିଳା ଜଣକ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ନା ନାହିଁ, ଶରୀରର ଅନ୍ୟ କେଉଁଠି ସ୍ଥାନରେ ଗଭୀର କ୍ଷତ ରହିଛି, ମହିଳାଙ୍କ ବେକକୁ କାଟିବା ପୂର୍ବରୁ ତାଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିଲା ନା ଜୀବନ୍ତ ସମୟରେ ବେକ କଟାଯାଇଥିଲା କି ମୃତ୍ୟୁ ପରେ କଟାଯାଇଥିଲା ସେ ସମ୍ପର୍କରେ ଖୋଳତାଡ଼ କରାଯାଇଛି। ଏହି ସମସ୍ତ ଦିଗକୁ ନେଇ ପୁଲିସ ତଦନ୍ତ ଚଳାଇଛି। ସୂଚନାଯୋଗ୍ୟ, ଗତକାଲି ପୂର୍ବାହ୍ନରେ ମହିଳାଙ୍କର ବୀଭତ୍ସ ଶବ ମିଳିବା ପରେ ପୁରୀ ଜିଆର୍‌ପି ଅଫିସକୁ ଏପର୍ଯ୍ୟନ୍ତ ତିନୋଟି ଫୋନ୍‌ ଆସିଛି। ସେଥିମଧ୍ୟରୁ ଗୋଟିଏ ଫୋନ ମଧ୍ୟପ୍ରଦେଶରୁ ଆସିଥିଲା। ସେଠାରେ ଜଣେ ମହିଳା ନିଖୋଜ ହୋଇ ଯାଇଛନ୍ତି। ମାତ୍ର ଗଣ୍ଡିରୁ ମୁଣ୍ଡ ଅଲଗା କରାଯାଇଥିବା ଏହି ମହିଳାଙ୍କର ବୟସ ୩୦ରୁ ୪୦ ମଧ୍ୟରେ ହେବ। ମଧ୍ୟପ୍ରଦେଶରେ ନିଖୋଜ ହୋଇ ଯାଇଥିବା ମହିଳାଙ୍କ ବୟସ ୬୦ ବର୍ଷ, ତେଣୁ ଏହା ତାଙ୍କର ନୁହେଁ ବୋଲି ପୁଲିସ ଏକପ୍ରକାର ନିଶ୍ଚିତ ହୋଇଛି। ଅଦ୍ୟାବଧି ମହିଳାଙ୍କର କୌଣସି ପରିଚୟ ମିଳି ପାରିନଥିବାରୁ ପୁଲିସ ଏକପ୍ରକାର ଅନ୍ଧାରରେ ଅଛି ବୋଲି କୁହାଯାଇପାରେ।

କିଏ ଏହି ନୃଶଂସ ହତ୍ୟାକାରୀ ତାକୁ ନେଇ ଏବେ ସମସ୍ତଙ୍କ ମଧ୍ୟରେ ଗୋଟିଏ ପ୍ରଶ୍ନ। କ’ଣ ମହିଳାଙ୍କ ସ୍ୱାମୀ ଏଭଳି ଜଘନ୍ୟ ଅପରାଧ ଭିଆଇଛନ୍ତି ନା ପରକୀୟା ପ୍ରୀତି ପାଇଁ ଏହି ହତ୍ୟାକାଣ୍ଡ ଘଟିଛି? କେତେକଙ୍କ କହିବାନୁସାରେ, ଦେହ ବେପାରକୁ ନେଇ ବିବାଦ ଉପୁଜିବା ପରେ ଦୁର୍ବୃତ୍ତମାନେ ଏଭଳି ନରକୀୟ କାର୍ଯ୍ୟ ଭିଆଇଛନ୍ତି। ଏମିତି ଅନେକ ପ୍ରଶ୍ନ ବର୍ତ୍ତମାନ ସାଧାରଣ ଜନତାଙ୍କ ମଧ୍ୟରେ ଉଙ୍କି ମାରୁଛି।

ସମ୍ବନ୍ଧିତ ଖବର