କରଞ୍ଜିଆ ଗୋଲେଇ: ଶନିବାର ସକାଳେ ଦେଓ ନଦୀକୂଳରେ ଜଣେ ମହିଳାଙ୍କ କଟାମୁଣ୍ଡ ପଡ଼ିଥିବା ସ୍ଥାନୀୟ ଗ୍ରାମବାସୀ ଦେଖିଛନ୍ତି।
ସେ ମୁଣ୍ଡଟି ହେଉଛି କରଞ୍ଜିଆ ବ୍ଲକ୍ ଅନ୍ତର୍ଗତ ପାଟୁଳିଡିହି ଗ୍ରାମର ଜିରାମଣି ସୋଏଙ୍କର। ସେଠାରୁ କିଛି ଦୂରରେ ତାଙ୍କର ମୁଣ୍ଡ ନ ଥିବା ଦେହ ପଡ଼ିଥିବା ଦେଖାଯାଇଥିଲା।
ସମ୍ଭବତଃ ଗତରାତିରେ କେହି ତାଙ୍କୁ ହତ୍ୟା କରି ସେଠାରେ ପକାଇ ଦେଇଛି। ହତ୍ୟାକାଣ୍ଡର ବାସ୍ତବ କାରଣ ଜଣାପଡ଼ି ନାହିଁ।
ଜିରାମଣି ଦୁଇ ଥର ବିବାହ କରିଥିଲେ। ପ୍ରଥମ ସ୍ୱାମୀ ସୁର ସିଂ ସୋଏଙ୍କ ଔରସରୁ ୪ଟି ସନ୍ତାନ ଅଛନ୍ତି। ଦ୍ୱିତୀୟ ସ୍ୱାମୀ ରସାନନ୍ଦ ସୋଏ ଓରଫ ପୂରଣ। ଉଭୟ ସ୍ୱାମୀ ମୃତ।
ଜିରାମଣି ଗ୍ରାମରେ ଏକାକିନୀ ରହୁଥିଲେ। ଗତକାଲି ସନ୍ଧ୍ୟା ବେଳେ ମଧ୍ୟ ସେ ଭଲ ଥିବା କଥା ଗ୍ରାମର କେତେକ ଲୋକ ଦେଖିଥିଲେ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଧିକ ତଦନ୍ତ ପାଇଁ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ଆସିବେ ବୋଲି କୁହାଯାଉଛି।