ମହିଳାଙ୍କ ଦୁଇ ସ୍ବାମୀ ମୁହାଁମୁହିଁ

ପୁଲିସ ହସ୍ତକ୍ଷେପ‌, ୨ୟ ସ୍ବାମୀ ସହ ହାଇଦ୍ରାବାଦ ଗଲେ

ସୋର : ଆଜି ସକାଳେ ସୋର ଷ୍ଟେସନ ଛକ ନିକଟରେ ଜଣେ ମହିଳାଙ୍କୁ ଦୁଇଜଣ ଯୁବକ ନିଜର ପତ୍ନୀ ବୋଲି ଦାବି କରି ନିଜ ସାଙ୍ଗରେ ନେବାକୁ ଟଣାଓଟରା କରିବା ଫଳରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବରପାଇ ପୁଲିସ୍ ତିନିଜଣଙ୍କୁ ଥାନାକୁ ନେଇ ଘଟଣାର ତଦନ୍ତ କଲା ପରେ ଦ୍ବିତୀୟ ସ୍ବାମୀଙ୍କ ସହ ମହିଳାଙ୍କୁ ଛାଡ଼ିଦେଇଛି।

ସୂଚନା ଅନୁସାରେ, ବାରିପଦା ଅଞ୍ଚଳର ରବୀନ୍ଦ୍ର ଜେନାଙ୍କ ପୁଅ ଶ୍ରୀଧର ଜେନା ୬ ବର୍ଷ ତଳେ ରାଜମିସ୍ତ୍ରୀ କାମ କରୁଥିବା ସମୟରେ ତାଙ୍କ ସହ କାମ କରୁଥିବା ବନିତା(ଛଦ୍ମନାମ)ଙ୍କୁ ପ୍ରେମ କରି ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ଶ୍ରୀଧର ନିଶାଗ୍ରସ୍ତ ଅବସ୍ଥାରେ ତାଙ୍କୁ ମାରପିଟ୍ କରିବା ଫଳରେ ଏଥି‌େର ଅତିଷ୍ଠ ହୋଇ ସେ ସୋରକୁ ପଳାଇଆସି କାମଦାମ କରି ରହୁଥିଲେ। ଏହି ସମୟରେ ଷ୍ଟେସନରେ ପେପର ହକର ଭାବେ କାର୍ଯ୍ୟ କରୁଥିବା ସୋର ବ୍ଲକ୍‌ କୁଡ଼େଇ ଗ୍ରାମର ଶରତ ବେହେରାଙ୍କ ପୁଅ ବିକାଶ ବେହେରାଙ୍କ ସହିତ ଟ୍ରେନରେ ତାଙ୍କର ଭେଟ ହେବା ପରେ ପ୍ରେମ ସଂପର୍କ ଗଢ଼ିଉଠିଥିଲା। ଏହାପରେ ଶରତ ଓ ବନିତାଙ୍କ ସହମତିରେ ୩ ମାସ ତଳେ ସେମାନେ ରେମୁଣା ମନ୍ଦିରରେ ବିବାହ କରିଥିଲେ ଏବଂ ହାଇଦ୍ରାବାଦ ଯାଇ କାମଧନ୍ଦା କରି ରହୁଥିଲେ। ତେବେ ସେମାନେ ୧୫ ଦିନ ତଳେ ଘରକୁ ଆସି ଆଜି ପୁଣିଥରେ ହାଇଦ୍ରାବାଦ ଫେରିଯିବା ପାଇଁ ସୋର ଷ୍ଟେସନକୁ ଆସିଥିବା ବେଳେ ଶ୍ରୀଧର ପୂର୍ବରୁ ଖବର ପାଇ ସେଠାରେ ଅପେକ୍ଷା କରିଥିଲେ। ସେ ବନିତାକୁ ତା’ସହିତ ଯିବା ପାଇଁ ଆକୁଳ ନିବେଦନ କରିବା ସହିତ ତାଙ୍କୁ ଟଣାଓଟରା କରିଥିଲେ। ମାତ୍ର ଏଥିରେ ବିକାଶ ବାଧା ଦେଇ ତାଙ୍କ ସ୍ତ୍ରୀକୁ ଛାଡ଼ିଦେବାକୁ ଧମକ ଦେଇଥିଲେ। ଫଳରେ ସେଠାରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ କୌତୂହଳ ସୃଷ୍ଟି ହୋଇଥିଲା। ଖବରପାଇ ସୋର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତିନିଜଣଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା। ଶେଷରେ ବନିତା ତାଙ୍କର ୨ୟ ସ୍ବାମୀ ବିକାଶ ସହିତ ଖୁସିରେ ରହୁଥିବାରୁ ତାଙ୍କ ସହିତ ଯିବାପାଇଁ ଚାହାନ୍ତି ବୋଳି କହିଥିଲେ। ତେଣୁ ତାଙ୍କୁ ପୁଲିସ୍ ବିକାଶଙ୍କ ସହିତ ତାଙ୍କୁ ଛାଡ଼ିଦେଇଥିବା ଆଇଆଇସି କ୍ଷମାସାଗର ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର