ଝାରସୁଗୁଡ଼ା: ୧୨ ବର୍ଷ ତଳେ ମାନସିକ ସନ୍ତୁଳନ ହରାଇ ଆସାମର କାମରୂପ ଜିଲ୍ଲାର ଜଣେ ମହିଳା ଘରୁ ବାହାରି ଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରି ନୟାନ୍ତ ହୋଇ ପଡ଼ିଥିଲେ। ପୁଲିସ୍ରେ ବି ଅଭିଯୋଗ କରିଥିଲେ ବି କୌଣସି ପତ୍ତା ମିଳିନଥିଲା। ଶେଷରେ ଝିଅର ମୃତ୍ୟୁ ହୋଇଥିବା ଆଶଙ୍କା କରି ପରିବାର ଲୋକେ ଶୁଦ୍ଧିକ୍ରିୟା ଆରମ୍ଭ ବି କରିଦେଇଥିଲେ। ଏହି ସମୟରେ ଝିଅ ଭଲରେ ଥିବା ନେଇ ଫୋନ୍ କଲ୍ ମିଳିଥିଲା। ଝିଅ ବଞ୍ଚିଥିବା ଜାଣି ପରିବାର ଲୋକଙ୍କର ଖୁସିର ସୀମା ରହିଲାନି। ଝିଅକୁ ନେବା ପାଇଁ ପରିବାର ଲୋକେ ଆଜି ମିସନ୍ ଆଶ୍ରାରେ ପହଞ୍ଚିବା ପରେ ଏଠାରେ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଛି। ଆସନ୍ତାକାଲି ଲକ୍ଷ୍ମୀମୁନି ସରକାର ନାମକ ଏହି ମହିଳାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପିପୁଲ୍ସ ଫୋରମ୍ର ପଶ୍ଚିମ ଓଡ଼ିଶା ମୁଖ୍ୟ ସଞ୍ଜୟ ଜେଠୀ କହିଛନ୍ତି।
ମହିଳାଙ୍କ ବାପା ବାବୁଲ ସରକାରଙ୍କ କହିବାନୁସାରେ ତାଙ୍କ ଝିଅର ବୟସ ପ୍ରାୟ ୪୦ ବର୍ଷ ହେଲାଣି। ୧୪ ବର୍ଷ ତଳେ ଲକ୍ଷ୍ମୀମୁନି ବିବାହ କରିଥିବାବେଳେ କୌଣସି କାରଣରୁ ବିବାହାର ୧ ବର୍ଷ ପରେ ବାପଘରକୁ ଚାଲି ଆସିଥିଲେ। ସେବେଠାରୁ ତାଙ୍କ ମାନସିକ ଅବସ୍ଥା ବିଗିଡ଼ିଥିଲା। ଏହାପରେ ତାଙ୍କର ଏକ ପୁଅ ମଧ୍ୟ ଜନ୍ମ ହୋଇଥିଲା। ମାନସିକ ଅବସ୍ଥାରେ କୌଣସି ସୁଧାର ଆସିନଥିଲା ଓ ଦିନେ ସେ ଘରୁ ବାହାରି ଆସିଥିଲେ। ଏହାପରେ ତାଙ୍କର ଆଉ କୌଣସି ଖୋଜଖବର ମିଳିନଥିଲା। ଗତବର୍ଷ ଡିସେମ୍ବର ୧୭ ତାରିଖରେ ବାବୁଲ ସରକାର ନିଜ ବାପ-ମା’ଙ୍କ ପିଣ୍ଡଦାନ ପାଇଁ ଗୟା ଯାଇଥିବା ବେଳେ ସାଙ୍ଗରେ ନାତି ଅର୍ଥାତ୍ ଲକ୍ଷ୍ମୀମୁନିଙ୍କ ପୁଅକୁ ବି ନେଇଥିଲେ। ବାପ-ମା’ଙ୍କ ପିଣ୍ଡଦାନ ପରେ ନାତିକୁ ତା’ ମା’ ପାଇଁ ପିଣ୍ଡଦାନ କରିବାକୁ ଶ୍ରୀ ସରକାର କହିଥିଲେ। ମାତ୍ର ତାଙ୍କ ନାତି ସେଠାରୁ ଉଠି ଆସିଥିଲେ। କିଛି ସମୟ ପରେ ଆସାମ ପୁଲିସ୍ ତାଙ୍କୁ ଯୋଗାଯୋଗ କରି ଲକ୍ଷ୍ମୀମୁନି ଓଡ଼ିଶାର ଝାରସୁଗୁଡ଼ାରେ ଥିବା ନେଇ ସୂଚନା ଦେଇଥିଲା। ପିପୁଲ୍ସ ଫୋରମ୍ର ତଥ୍ୟ ଅନୁସାରେ, ୨ ବର୍ଷ ତଳେ ବ୍ରଜରାଜନଗରର ବୁଁଦିଆ ଅଞ୍ଚଳରେ ଯୁବତୀଜଣଙ୍କ ବୁଲାବୁଲି କରୁଥିବା ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମିସନ ଆଶ୍ରାରେ ଛାଡ଼ିଥିଲେ। ସେବେଠାରୁ ତାଙ୍କର ନିୟମିତ ଚିକିତ୍ସା ଜାରି ରହିଥିଲା। ଗତ ଡିସେମ୍ବର ମାସରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବା ପରେ ଗତ ଡିସେମ୍ବର ୧୭ ତାରିଖ ପରିବାର ଲୋକଙ୍କ ଠିକଣା କହିଥିଲେ। ସେହିଦିନ ହିଁ ପିପୁଲ୍ସ ଫୋରମ୍ ପକ୍ଷରୁ ଆସାମ ପୁଲିସ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସମ୍ପୃକ୍ତ ପୁଲିସ୍ ତାଙ୍କ ପରିବାର ଲୋକଙ୍କୁ ଅବଗତ କରିଥିଲା। ଏହା ପରଠାରୁ ପରିବାର ଲୋକେ ନିୟମିତ ଯୋଗାଯୋଗରେ ରହିଥିବା ବେଳେ ଆଜି ଆସି ଝାରସୁଗୁଡ଼ାରେ ଝିଅକୁ ଦେଖା କରିଛନ୍ତି।