ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ୍ ରେବଣାପଳାସପାଳ ପଞ୍ଚାୟତ ବାଙ୍ଗୁରୁଶୁଣି ଗ୍ରାମ ବିଲବେଡା ସାହିବାସୀ ପାନୀୟ ଜଳ ପାଇଁ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସାହିରେ ଥିବା ଯେଉଁ କୂଅରୁ ଗୋରୁଗାଈ ପାଣି ପିଉଛନ୍ତି , ସେହି କୂଅରୁ ସାହିବାସୀ ପାଣି ନେଇ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି । ପଞ୍ଚାୟତ ପ୍ରଶାସନକୁ ପାନୀୟ ଜଳ ଯୋଗାଣ ପାଇଁ ଦାବି କଲେ ମଧ୍ୟ କୌଣସି ପଦକ୍ଷେପ ନନେବାରୁ ବାଧ୍ୟହୋଇ ସାହିବାସୀ ଆଜି ଗରା ଡେକିଚି ଧରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସାହିବାସୀଙ୍କ ଅଭିଯୋଗ ଯେ ସାହିରେ ନଳକୂପଟିଏ ନାହିଁ ।
ଦୁଇଟି କୂଅ ଓ ଗୋଟିଏ ପୋଖରୀ ଅଛି । ପୋଖରୀ ଶୁଖି ଯାଇଛି ଏବଂ କୂଅରୁ ଗୋରୁଗାଈ ସମେତ ସାହିବାସୀ ପାଣି ପିଉଛନ୍ତି । ଏକ ନଳକୂପ ଖନନ ପାଇଁ ସାହିବାସୀ ଦାବି ଜରିଛନ୍ତି । ଯେ ପର୍ଯ୍ୟନ୍ତ ନଳକୂପ ଖନନ କରାଯାଇନାହିଁ ଖରା ଦିନେ ଏବେ ଟ୍ୟାଙ୍କର ଯୋଗେ ସାହିବାସୀଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ଦାବି କରିଛନ୍ତି । ବିଡ଼ିଓ ପ୍ରଭୁ କଲ୍ୟାଣ ଦାସ ପରିଦର୍ଶନ ପାଇଁ ଭଗାମୁଣ୍ଡା ପଞ୍ଚାୟତକୁ ଯାଇଥିବାରୁ ସାହିବାସୀଙ୍କୁ ବ୍ଲକର ମୁଖ୍ୟ ସହାୟକ ରଂଜନ କୁମାର ନାୟକ ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ସେମାନେ ଘରକୁ ଯାଇଥିଲେ । ସାହିର ଅମ୍ବିକା ମୁଣ୍ଡା, ଡୁଲି ମୁଣ୍ଡା, ଶାକୁନ ମୁଣ୍ଡା, ମାଳତୀ ମୁଣ୍ଡା, କୁନି ମୁଣ୍ଡାଙ୍କ ସମେତ ୨୦ ରୁ ଊର୍ଦ୍ଧ୍ବ ମହିଳା ଗରା ଡେକିଚି ଧରି ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ।