ପଶୁ-ମଣିଷ ପ୍ରେମ: କୁନ୍ତଳାଙ୍କ ବାତ୍ସଲ୍ୟରେ ବାର୍‌ହା ବନ୍ଧା

ତେଲକୋଇ: ପଶୁ ହେଉ କି ମଣିଷ ସମସ୍ତେ ଗୋଟିଏ ସୂତ୍ରରେ ବନ୍ଧା। ସ୍ନେହ-ପ୍ରେମ ଆଗରେ ସବୁକିଛି ହାରମାନେ। ଏଭଳି ବାତ୍ସଲ୍ୟ ପ୍ରେମରେ ଏକ ବାର୍‌ହାକୁ ବାନ୍ଧି ରଖିଥିଲେ ରଖିଥିଲେ ଜଣେ ମହିଳା। ସେ ହେଉଛନ୍ତି ତେଲକୋଇ ବନାଞ୍ଚଳ ଅଧୀନ ବିମଳା ଫରେଷ୍ଟ ବିଟ୍‌ ଶିରିଗିଡ଼ା ପଞ୍ଚାୟତ ପୁରୁଷୋତ୍ତମପୁର ଗ୍ରାମର କୁନ୍ତଳା ପେଣ୍ଠେଇ। ବାରହା ଛୁଆଟିକୁ ସେ ପାଖାପାଖି ୧୦ ମାସ ତଳେ ଜଙ୍ଗଲରୁ ଆହତ ଅବସ୍ଥାରେ ଉଦ୍ଧାର କରି ଆଣିଥିଲେ। ସେ ମଣିଷ ମେଳରେ ରହି ଖେଳୁଥିଲା, ବୁଲୁଥିଲା, ଅନ୍ୟ ପଶୁପକ୍ଷୀଙ୍କ ସହିତ ମିଶୁଥିଲା। ନାଁ ଧରି ଡାକିଲେ ପାଖକୁ ଧାଇଁ ଆସୁଥିଲା। ମାତ୍ର ବନ ବିଭାଗର ଆଇନ ଫାନ୍ଦ ତାକୁ ‌ମଣିଷ ମେଳରୁ ଛଡ଼ାଇ ନେଲା। ‌ବନ କର୍ମଚାରୀମାନେ କୁନ୍ତଳାଙ୍କ ଘରେ ପହଞ୍ଚି ତାକୁ ନେଇ ଜଙ୍ଗଲରେ ଛାଡ଼ି ଦେଇଛନ୍ତି। ଏଭଳି ସ୍ଥିତିରେ କୁନ୍ତଳା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ବାର୍ହା‌ର ବିରହ ବେଦନା ତାଙ୍କୁ ଘାରିଛି। ସେ ମନେ ମନେ ବାହୁନି ହେଉଛନ୍ତି। ଢ଼ୁର, ଏ ଢ଼ୁର ଡାକୁଛନ୍ତି। ହେଲେ ଆଉ ଢ଼ୁର ତାଙ୍କ ପାଖକୁ ଆସୁନି କି ଡାକ ଶୁଣୁନି। କୁନ୍ତଳା ଆଖିରୁ ଲୁହ ଗଡ଼ାଇବା ସାର ହୋଇଛି। କେବଳ ସେତିକି ନୁହେଁ, ଢ଼ୁର୍‌‌…, ଏ ଢ଼ୁର୍‌…‌ ଡାକ ପକାଇ ଜଙ୍ଗଲ ଖେଦୁଛନ୍ତି। ଦୀର୍ଘ ସପ୍ତାହେ ହେଲା ଜଙ୍ଗଲ ସାରା ବୁଲିବୁଲି ସନ୍ଧ୍ୟା ହେଲେ ନିରାଶ ହୋଇ ଘରକୁ ଫେରୁଛନ୍ତି।

ତେଲକୋଇ ବନାଞ୍ଚଳ ଅଧୀନ ବିମଳା ଫରେଷ୍ଟ ବିଟ୍‌ ଶିରିଗିଡ଼ା ପଞ୍ଚାୟତ ପୁରୁଷୋତ୍ତମପୁର ଗ୍ରାମର କୁନ୍ତଳା ପେଣ୍ଠେଇ ୧୦ ମାସ ତଳେ ୨୦୨୦ ଜୁନ୍‌ ୨୨ ତାରିଖରେ ନିକଟସ୍ଥ ଜଙ୍ଗଲକୁ ଜାଳେଣି କାଠ ଆଣିବାପାଇଁ ଯାଇଥିଲେ। ଜଙ୍ଗଲରେ ଏକ ବାର୍‌ହା ଶାବକ ଏକା ଏକା ଅତି ଅସହାୟ ଅବସ୍ଥାରେ ବୁଲୁଥିଲା। କୁନ୍ତଳା ବାର୍‌ହା ଛୁଆକୁ ଉଦ୍ଧାର କରି ନିଜ ଘରକୁ ନେଇଆସିଥିଲେ। ଗାଈ କ୍ଷୀର ପିଇବାକୁ ଦେଇଥିଲେ। ‌ଲୋରି ଗାଈ ଶୁଆଇ ଦେଉଥିଲେ। ଧୀରେ ଧୀରେ ଭାତ, ତରକାରି ଅନ୍ୟାନ୍ୟ ଖାଦ୍ୟ ଖାଇବା ସହ ଚା’ ପିଇଲା ବାର୍‌ହା ଛୁଆ। କୁନ୍ତଳାଙ୍କ ପରିବାର ଲୋକେ ତାକୁ ‌ସ୍ନେହଆଦର କରିବା ସହ ନାଁ ଦେଲେ ଢ଼ୁର୍‌। ଢ଼ୁର୍‌‌ ଘରେ ଥିବା ଗାଈଗୋରୁ ଓ କୁକୁରଙ୍କ ସହ ମଧ୍ୟ ମିଶୁଥିଲା। ପରିବାର ଲୋକଙ୍କ ସହ ଖାଉଥିଲା। ଗୋଟିଏ ଖଟରେ ଶୋଉଥିଲା। ଢ଼ୁର୍‌ ବୋଲି ଡାକିଦେଲେ ସେ ପାଖକୁ ଧାଇଁ ଆସୁଥିଲା। କୁନ୍ତଳାଙ୍କ ଠାରୁ ମା’ର ସ୍ନେହ ପାଇ ତାଙ୍କରି ଘରେ ରହି ବଡ଼ ହୋଇଗଲା। ଦୀର୍ଘ ୧୦ ମାସ ହେଲା କୁନ୍ତଳାଙ୍କ ଘରେ ରହୁଥିଲା, ଖାଉଥିଲା ଓ ପରିବାର ଲୋକଙ୍କ ସହ ଖଟରେ କମଳ ଘୋଡ଼େଇ ହୋଇ ଶୋଉଥିଲା।

ବନ୍ୟ ପ୍ରାଣୀ ଆଇନ ପ୍ରତିବନ୍ଧକ ସାଜିଲା। କୌଣସି ସୂତ୍ରରୁ ଖବର ପାଇ ବନ କର୍ମଚାରୀମାନେ ୯ ତାରିଖ ରାତିରେ କୁନ୍ତଳାଙ୍କ ଘରେ ପହଞ୍ଚି ବାର୍‌ହାଟିକୁ ନେଇ ସମାକୋଇ ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦେଇଛନ୍ତି। ଢ଼ୁର୍‌ ପ୍ରେମରେ ପଡ଼ିଯାଇଥିବା କୁନ୍ତଳା ଏବେ ପାଗଳୀ ପ୍ରାୟ। ଟିଫିନରେ ଭାତ ଧରି କାନ୍ଦିକାନ୍ଦି ଜଙ୍ଗଲରେ ବୁଲୁଛନ୍ତି। ଢ଼ୁର୍‌କୁ ଖୋଜୁଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗକ୍ରମେ ବନ ବିଭାଗ କର୍ମଚାରୀ ବାର୍‌ହା ଉଦ୍ଧାର କରିବା ସହ କୁନ୍ତଳାଙ୍କୁ ବନ୍ୟଜନ୍ତୁ ଘରେ ରଖିବା ବେଆଇନ ବୋଲି ବୁଝାଇଥିଲେ। ଢ଼ୁର୍‌କୁ ନିଜ ଛୁଆ ଭଳି ପାଳିଥିବା କୁନ୍ତଳାଙ୍କ ମନ ବୁଝୁନି। ତାଙ୍କ କହିବା ଅନୁସାରେ, ଢ଼ୁର୍‌ ଭୋକରେ ଥିବ। ତାଙ୍କ ଡାକ ଶୁଣିଲେ ପୁଣି ପାଖକୁ ଫେରିଆସିବ। ସେ ତାକୁ ଘରେ ନେଇ ପାଳିବେ। ମାତ୍ର ଢ଼ୁର ଘଞ୍ଚ ଜଙ୍ଗଲରେ କୁଆଡ଼େ ହଜି ଯାଇଛି। ମଣିଷ ମେଳରେ ବଢ଼ିଥିବା ବାରହାଟି ଏବେ ଜଙ୍ଗଲରେ କ’ଣ ଖାଉଥିବ, କେମିତି ବୁଲୁଥିବ ତାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି କୁନ୍ତଳା।

ଏ ସମ୍ପର୍କରେ ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ସେଠୀଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଘରେ ବନ୍ୟଜନ୍ତୁ ଘରେ ପାଳିବାର ନିୟମ ନାହିଁ। ଏହା ବେଆଇନ କାର୍ଯ୍ୟ। ଆଇନ ଅନୁଯାୟୀ ଦଣ୍ଡନୀୟ। ସୁତରାଂ ଆଇନ ଅନୁଯାୟୀ ବାର୍‌ହାକୁ ତାଙ୍କ ଘରୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଶ୍ରୀ ସେଠୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର