ମହିଳା ଓ ଯୁବତୀ ଚାଲାଣ ରାକେଟ୍ ସକ୍ରିୟ: ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହେଲେ ସ୍ବାମୀ ଓ ଗ୍ରାମବାସୀ

ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ଜିଲ୍ଲା କଂଗ୍ରେସ ସଭାପତି

ରାୟଗଡ଼ା: ଗୁଡ଼ାରିରେ ସକ୍ରିୟ ହେବାରେ ଲାଗିଛି ମହିଳା ଓ ଯୁବତୀ ଚାଲାଣ ରାକେଟ୍। ଅଶିକ୍ଷିତ ମହିଳା ଓ ଯୁବତୀକୁ ଅର୍ଥ ପ୍ରଲୋଭନ ଦେଖାଇ ଘରେ କାମ କରିବା ବାହାନାରେ ଡାକି ନେଇ ବାହାର ରାଜ୍ୟରେ ବିକ୍ରି କରି ଦେଉଛନ୍ତି ଦଲାଲ୍। ଯାହାର ସୁରାକ୍ ପାଉନି ଜିଲ୍ଲା ପୁଲିସ୍ କି ପ୍ରଶାସନ। ବାହାର ରାଜ୍ୟକୁ ଯାଇଥିବା ମହିଳା ଓ ଯୁବତୀ ବର୍ଷ ବର୍ଷ ଧରି ଘରକୁ ଫେରୁନଥିଲେ ମଧ୍ୟ ଏ ଦିଗରେ ପରିବାର ଲୋକ ମୁହଁ ଖୋଲୁନାହାନ୍ତି।

ତେବେ ଆଜି ଅପହରଣର ଶିକାର ହୋଇଥିବା ଜଣେ ମହିଳାଙ୍କ ସ୍ବାମୀ ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହେବା ପରେ ରାକେଟ୍ ସଂପର୍କରେ ପୁଲିସ୍ ହାତରେ ଲାଗିଛି ସୁରାକ୍। ତୁରନ୍ତ ଅପହୃତ ମହିଳାଙ୍କୁ ଉଦ୍ଧାର କରିବା ସହ ରାକେଟରେ ସଂପୃକ୍ତ ଦଲାଲଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗୁଡ଼ାରି ପୁଲିସକୁ ନିର୍ଦେଶ ଦେଇଛନ୍ତି ଅତିରିକ୍ତ ଏସପି ଅନନ୍ତ ଚରଣ ମହାନ୍ତି।

ଅଗଷ୍ଟ ୧୧ ତାରିଖରେ ଗୁଡ଼ାରି ଥାନା ଗ୍ରାହିବନ୍ଧ ଗ୍ରାମର ତରଗା ମାଝିଙ୍କ ସ୍ତ୍ରୀ ସୁକୁମାରି ମାଝି ନିଜ ଗାଁ ଚନ୍ଦ୍ରପୁର ବ୍ଲକର ରାବିଗୁଡ଼ାକୁ ଯିବା ପାଇଁ ବାହାରିଥିଲେ। ଗ୍ରାହିବନ୍ଧରୁ ସୁକୁମାରି ନିଜ ଗାଁକୁ ଯାଉଥିବା ବେଳେ ଥକା ଲାଗିବା ଯୋଗୁ ସିରିଗୁଡ଼ା ଗାଁରେ କିଛି ସମୟ ପାଇଁ ବିଶ୍ରାମ ନେଇଥିଲେ। ହେଲେ ସଂଧ୍ୟା ସୁଦ୍ଧା ଘରେ ପହଞ୍ଚି ପାରିନଥିଲେ। ଖବର ପାଇ ସୁକୁମାରିଙ୍କ ପରିବାର ଲୋକ ଏବଂ ସ୍ବାମୀ ତରଗା ମାଝି ବହୁ ଖୋଜାୁଖୋଜି କରିଥିଲେ। ସୁକୁମାରିଙ୍କ କୌଣସି ପତ୍ତା ନ ମିଳିବା ପରେ ତରଗା ଏ ନେଇ ସେପ୍ଟେମ୍ବର ୩ ତାରିଖରେ ଗୁଡ଼ାରି ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ସୁକୁମାରିଙ୍କ ଅପହରଣରେ ଗୁଡ଼ାରି ଥାନା ସିରିଗୁଡ଼ା ଗ୍ରାମର ସୁନିତା ଲିମା, ବୃନ୍ଦାବତୀ ମହାନନ୍ଦିଆ, ପ୍ରସନ୍ନ ଗରଡ଼ିଆ ସଂପୃକ୍ତ ଥିବା କୌଣସି ସୂତ୍ରରୁ ଖବର ପାଇବା ପରେ ତରଗା ଏ ନେଇ ଗୁଡ଼ାରି ପୁଲିସକୁ ଖବର ଦେଇଥିଲେ। ହେଲେ ଆଜି ସୁଦ୍ଧା ପୁଲିସ୍ ଏ ଦିଗରେ କୌଣସି ସହଯୋଗ କରୁନଥିବା ତରଗା ଅତିରିକ୍ତ ଏସପି ଶ୍ରୀ ମହାନ୍ତିଙ୍କୁ ଅବଗତ କରିଛନ୍ତି। ସୁକୁମାରି ଅପହରଣରେ ସଂପୃକ୍ତ ମହିଳା ଓ ବ୍ୟକ୍ତି ପୂର୍ବରୁ ଗୁଡ଼ାରି ଅଞ୍ଚଳରୁ ମହିଳା ଓ ଯୁବତୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ବାହାର ରାଜ୍ୟକୁ ନେଇ ବିକ୍ରି କରି ଦେଇଥିବାର ଅଭିଯୋଗ ରହିଛି।

ଏପରିକି ଗତ ବର୍ଷ ରେଙ୍ଗାମ, ଗାଜିଗୁଡ଼ା ଅଞ୍ଚଳରୁ ବାହାର ରାଜ୍ୟକୁ କାମ କରିବା ପାଇଁ ଯାଇଥିବା ଯୁବତୀଙ୍କ ମଧ୍ୟରୁ ଜଣଙ୍କ ଇତି ମଧ୍ୟରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗାଁକୁ ଫେରି ପାରୁନାହାନ୍ତି। ବହୁ ମହିଳା ଓ ଯୁବତୀଙ୍କ ପରିବାର ଲୋକ ଏ ଦିଗରେ ମୁହଁ ଖୋଲୁନଥିବାରୁ ପୁଲିସ୍ କିମ୍ବା ପ୍ରଶାସନ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଆଜି ତରଗା ଏ ନେଇ ଅଭିଯୋଗ କରିବା ପରେ ପୁଲିସ୍ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରିବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ଶ୍ରୀ ମହାନ୍ତି। ଅନ୍ୟପକ୍ଷରେ ମହିଳା ଓ ଯୁବତୀ ଚାଲାଣ ରାକେଟ୍ ଚଲାଇଥିବା ଦଲାଲଙ୍କୁ ଧରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସପିଙ୍କୁ ଅବଗତ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ଓ ଉପସଭାପତି ଶଙ୍କର୍ଷଣ ମଙ୍ଗରାଜ।

 

ସମ୍ବନ୍ଧିତ ଖବର