ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗତ ୧୦ବର୍ଷର ଶାସନରେ ଦେଶରେ ମହିଳାଙ୍କ ଅତ୍ୟାଚାର ବହୁ ମାତ୍ରାରେ ବୃଦ୍ଧି ପାଇଛି। ମୋଦୀ ସରକାରଙ୍କ ଘନିଷ୍ଠ ରାଜନୈତିକ ସହଯୋଗୀ, ନେତା ଓ ମନ୍ତ୍ରୀମାନେ ଏସବୁ କାର୍ଯ୍ୟରେ ସମ୍ପୃକ୍ତ। ବିଜେଡି ସରକାରରେ ମଧ୍ୟ ସମାନ ଅବସ୍ଥା। ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ନେତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଦଳୀୟ ଟିକଟ ଦିଆଯାଉଛି। ମୋଦୀ ସରକାରଙ୍କ ‘ବେଟି ବଚାଓ’ର ନାରା ଆଜି ‘ବଳାତ୍କାରୀ ବଚାଓ’ରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହା ପୂର୍ବରୁ ଗତ ୧୦ବର୍ଷର ଶାସନକୁ ନେଇ ଏଭଳି ସମାଲୋଚନା କରିଛନ୍ତି ଏଆଇସିସି ମୁଖପାତ୍ର ଶାମା ମହମ୍ମଦ।

Advertisment

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶାମା କହିଲେ ଯେ ଉନାଓ ଦୁଷ୍କର୍ମ ଓ ହତ୍ୟା ମାମଲା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ସେତେବେଳେ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ କରାଯାଇଥିଲା। ସେହିପରି ସ୍ୱାମୀ ଚିନ୍ମୟାନନ୍ଦ, ରାମ ରହିମ ଆଦି ଦୁଷ୍କର୍ମ ଅଭିଯୁକ୍ତଙ୍କୁ ମୋଦୀ ସରକାର ସମର୍ଥନ କରିଆସିଛନ୍ତି। ବିଲକିସ୍ ବାନୋ ବଳାତ୍କାର ଓ ହତ୍ୟା ମାମଲା ମଧ୍ୟ ଦେଶର ଅନ୍ୟତମ ଚର୍ଚ୍ଚିତ ଅପରାଧ ଥିଲା। ସେହିପରି ମହିଳା କୁସ୍ତି କ୍ରୀଡ଼ାବିତ୍‌ଙ୍କୁ ବିଜେପି ନେତା ବ୍ରିଜ ଭୂଷଣ ଶରଣ ସିଂ ଯୌନ ଶୋଷଣ କରିବା ଘଟଣା ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ନିନ୍ଦିତ କରିଛି। ମଣିପୁର ମହିଳା ହିଂସା ଘଟଣାରେ ମଧ୍ୟ ପ୍ରଧାନମନ୍ତ୍ରୀ ନିରବ ରହିଛନ୍ତି। ଏବେ ପ୍ରଜ୍ୱଳ ରେବନ୍ନା ମାମଲା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୁକ୍ତ ପ୍ରଜ୍ୱଳ ରେବନ୍ନା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ମୋଦୀ ସରକାର ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଲାଗିଛନ୍ତି। ଏ ସମସ୍ତ ଘଟଣାରେ ମୋଦୀ ସରକାରଙ୍କ ଶାସନରେ ମହିଳାମାନେ କେତେ ସୁରକ୍ଷିତ ତାହା ବାରି ହୋଇପଡ଼ୁଛି।

ସେ ଆହୁରିମଧ୍ୟ କହିଥିଲେ ଯେ ଓଡ଼ିଶାରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳୁଛି। ମମିତା ମେହେର ଦୁଷ୍କର୍ମ ଓ ହତ୍ୟା ମାମଲାରେ ବିଜେଡି ନେତା କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର ଅଭିଯୁକ୍ତ ଥିଲେ ମଧ୍ୟ ପୁଲିସ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ। ନବୀନ ବାବୁ ତାଙ୍କୁ ପୁନର୍ବାର ନିର୍ବାଚନ ଲଢ଼ିବା ପାଇଁ ଟିକଟ ଦେଇଛନ୍ତି। ଏହାସହ ବିଜେଡି ନେତା ଶ୍ରୀକାନ୍ତ ସାହୁ, ଅରୁଣ ସାହୁଙ୍କୁ ମଧ୍ୟ ଏଥର ଟିକେଟ ମିଳିଛି। ଏଥିରୁ ସ୍ପଷ୍ଟ ଯେ ଉଭୟ ବିଜେପି ଓ ବିଜେଡି ସରକାର ମହିଳାମାନଙ୍କ ସୁରକ୍ଷା ଓ ସମ୍ମାନ ପ୍ରତି ଗୁରୁତ୍ୱ ଦେଉନାହାନ୍ତି। ମାତ୍ର କଂଗ୍ରେସ ସବୁବେଳେ ମହିଳାମାନଙ୍କ ସୁରକ୍ଷା ଓ ସମ୍ମାନକୁ ଗୁରୁତ୍ୱ ଦେଇଆସିଛି। ନିର୍ବାଚନୀ ଇସ୍ତାହାରରେ କଂଗ୍ରେସ ମହିଳା ସଶକ୍ତୀକରଣକୁ ଗୁରୁତ୍ବ ଦେଇଛି। ପ୍ରଦେଶ କଂଗ୍ରେସ ମିଡିଆ ସେଲ୍‌ର ଅଧ୍ୟକ୍ଷ ବିଶ୍ୱରଞ୍ଜନ ମହାନ୍ତି କହିଥିଲେ, ଓଡ଼ିଶାରେ ମଧ୍ୟ ମହିଳାମାନଙ୍କ ବିକାଶ ପାଇଁ କଂଗ୍ରେସ ସ୍ୱତନ୍ତ୍ର ଇସ୍ତାହାର ପ୍ରସ୍ତୁତ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଶାନ୍ତ ଶତପଥୀ, ମନିଷା ଦାସ ପଟ୍ଟନାୟକ ଉପସ୍ଥିତ ଥିଲେ।