ଝାରସୁଗୁଡ଼ା/ବ୍ରଜରାଜନଗର, (ଉପନ ଚରଣ ସାହୁ) : ଝାରସୁଗୁଡା ବ୍ଲକ କତାବଗା ଗ୍ରାମର ଝିଅ ଦିବ୍ୟାଶ୍ରୀ ଲାଲସିଂ। ମା ସିଂହ ବାହିନୀ ସ୍ୱୟଂ ସହାୟିକା ଗୋଷ୍ଠୀର ଜଣେ ସଦସ୍ୟା। କିଛି ଶିଖିବା ଓ ନିଜେ କରି ଅନ୍ୟମାନଙ୍କୁ ଶିଖାଇ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ତାଙ୍କର ଲକ୍ଷ୍ୟ। ଯୁକ୍ତଦୁଇ ପଢ଼ିଥବା ଦିବ୍ୟାଶ୍ରୀ ପ୍ରଥମେ କିଛି ଉପାର୍ଜନ କରିବା ଲକ୍ଷ୍ୟରେ ବଡ଼ି ଓ ଚାଉଳ ପାମ୍ପଡ଼ କରିବା ୟୁଟ୍ୟୁବ୍ରୁ ଦେଖି ଘରେ ପରୀକ୍ଷା ମୂଳକ ଭାବେ ପ୍ରସ୍ତୁତ କରିଥିଲେ। ତାଙ୍କର ଏଭଳି ପ୍ରସ୍ତୁତିକୁ ଦେଖି ପଡ଼ୋଶୀମାନେ ମଧ୍ୟ ତାଙ୍କୁ ଉତ୍ସାହିତ କରିଥିଲେ। ପ୍ରଥମେ ଦିବ୍ୟାଶ୍ରୀ ନିଜେ ପ୍ରସ୍ତୁତ କରିଥିବା ଏହି ବଡ଼ି ଓ ପାମ୍ପଡ଼କୁ ତାଙ୍କ ପଡ଼ୋଶୀମାନଙ୍କୁ ମାଗଣା ବଣ୍ଟନ କରିଥିଲେ। ପଡ଼ୋଶୀମାନେ ଏହା ଖାଇବା ପରେ ଏହାର ମାନକୁ ଉଚ୍ଚ ପ୍ରଶଂସା କରିଥିଲେ। ଏଥିରେ ସେ ଆହୁରି ଉତ୍ସାହିତ ହୋଇ ଆଗକୁ ଅଧିକ ପରିମାଣରେ ପ୍ରସ୍ତୁତ କରିବାକୁ ଲାଗିଲେ। ଏହି ପାମ୍ପଡ଼ ଓ ବଡ଼ିକୁ ସ୍ଥାନୀୟ ପଡ଼ୋଶୀମାନେ କିଣିବା ଆରମ୍ଭ କରିଥିଲେ। ଅଧିକ ପରିମାଣରେ ପ୍ରସ୍ତୁତ କରିବାକୁ ବରାଦ କରିବା ଆରମ୍ଭ କରିଥିଲେ। ଫଳରେ ଧୀରେ ଧୀରେ ପାମ୍ପଡ଼ ଓ ବଢ଼ିର ବ୍ୟବସାୟ ବଢ଼ିବା ଆରମ୍ଭ କରିଥିଲା।
ୟୁଟ୍ୟୁବ୍ ମାଧ୍ୟମରେ ସେ ଆହୁରି କିଛି ନୂଆ ନୂଆ ଜିନିଷ ତିଆରି କରିବା ଆରମ୍ଭ କରି ସଫଳ ହୋଇଥିଲେ। ଏହାପରେ ସେ ମା’ ସିଂହ ବାହିନୀ ସ୍ୱୟଂ ସହାୟିକା ଗୋଷ୍ଠୀ ସହିତ ୨୦୧୭ରେ ଏହି କାମକୁ ଆଗେଇ ନେବାକୁ ଉଦ୍ୟମ କରିଥିଲେ। ୨୦୧୯ରେ ସହରରେ ମିକ୍ସଚରର ଚାହିଦା ଦେଖି ଅଧିକ ପରିମାଣରେ ତିଆରି କରିବାକୁ ମନ ବଳାଇ ସେହି ଅନୁପାତରେ ପ୍ରସ୍ତୁତି ଆରମ୍ଭ କରିଥିଲେ। ବରାଦ ଓ ନିଜ ମନରୁ ସେ ବିଭିନ୍ନ ଭେରାଇଟର ମିକ୍ସଚର୍ ତିଆରି କରିବା ପରେ ଏହାର ଚାହିଦା ବଢ଼ିଥିଲା। ଫଳରେ ଯୋଗାଣ ପରିମାଣ ମଧ୍ୟ ବଢ଼ିଥିଲା। ଏବେ ସେହି ଅଞ୍ଚଳର ମହିଳାମାନେ ମଧ୍ୟ ତାଙ୍କଠାରୁ ମିକ୍ସଚର ପ୍ରସ୍ତୁତି ଶିକ୍ଷାକରିବା ପରେ ଏହାକୁ ବଜାରରେ ବିକ୍ରିକରି ଲାଭବାନ ହେଉଛନ୍ତି। ବିଭିନ୍ନ ଅଞ୍ଚଳର ବ୍ୟବସାୟୀମାନେ ଘରୁ ଆସି ବଢି, ପାମ୍ପଡ଼, ମିକ୍ସଚର ନେଉଛନ୍ତି। ଚାହିଦା ବଢ଼ିବା ପରେ ପରିମାଣ ମଧ୍ୟ ବଢ଼ିବା ଲାଗିଛି। ଏବେ ଅବଶ୍ୟକତା ଅନୁସାରେ ଜିନିଷ ଯୋଗାଇବା ସମ୍ଭବ ହେଉ ନଥିବା ଦିବ୍ୟାଶ୍ରୀ କହିଛନ୍ତି। ପାମ୍ପଡ଼ ଓ ବଢ଼ି ଭିଭିନ୍ନ ରଙ୍ଗରେ ଓ ଆକାରରେ ପ୍ରସ୍ତୁତ ହେଉଥିବାରୁ ବଜାରରେ ଭଲ ଚାହିଦା ରହୁଛି। ଫଳରେ ମିକ୍ସଚର ଅଧିକ ପରିମାଣରେ ପ୍ରସ୍ତୁତ କରିବା ପାଇଁ ବୈଷୟିକ ଜ୍ଞାନ କୌଶଳର ଆବଶ୍ୟକତା ଦରାକର ପଡ଼ୁଛି। ଏଥିପାଇଁ ଦିବ୍ୟାଶ୍ରୀ ଜିଲ୍ଲା ଶିଳ୍ପ କେନ୍ଦ୍ର ମାଧ୍ୟମରେ ଏକ ମିକ୍ସଚର ପ୍ରସ୍ତୁତ ମେସିନ୍ ଯୋଗାଇ ଦେବାକୁ ଆବେଦନ କରିଛନ୍ତି।
ଚାହିଦା ଓ ଆବଶ୍ୟକତାକୁ ଗୁରୁତ୍ୱ ଦେବାସହ ଏଥିପାଇଁ ନୂତନ ଜ୍ଞାନ କୌଶଳ ପାଇଁ ପ୍ରଶିକ୍ଷଣର ଆବଶ୍ୟକତା ରହିଥିବା ସେ କହିଛନ୍ତି। ଏବେ ସେ ଉତ୍ପାଦିତ ସାମଗ୍ରୀକୁ ବିଭିନ୍ନ ମେଳାରେ ବିକ୍ରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ମହିଳାମାନଙ୍କୁ ପ୍ରସ୍ତୁତ କରୁଥିବା କହିଛନ୍ତି। ବିଦ୍ୟାଶ୍ରୀଙ୍କ ଏଭଳି ପ୍ରୟାସ ଅନ୍ୟମାନଙ୍କୁ ପ୍ରେରଣା ଦେବାସହ ମାସିକ ୪ ହଜାର ଟଙ୍କାରୁ ଅଧିକ ରୋଜଗାର କରୁଥିବା ବେଳେ ସେ ନିଜେ ୧୦ ହଜାର ଟଙ୍କା ଆୟ କରୁଥିବା ଦିବ୍ୟାଶ୍ରୀ ପ୍ରକାଶ କରିଛନ୍ତି। ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଘରେ ବସି ରହିଥିବା ମହିଳାଙ୍କୁ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ମଧ୍ୟ ଆତ୍ମନିର୍ଭର ହେବାକୁ ସେ ତାଙ୍କର ସଂଗ୍ରାମ ଜାରି ରଖିଛନ୍ତି।