ଭୁବନେଶ୍ବର: ଡବଲ୍ ଇଞ୍ଜିନ୍ ସରକାରରେ ମହିଳାଙ୍କ ପ୍ରତି ନିର୍ଯାତନା ବଢ଼ିଚାଲିଛି। ନିଖୋଜ ମାମଲା ବି ଚିନ୍ତାଜନକ। ଗତ ୮ ମାସରେ ରେକର୍ଡ ସଂଖ୍ୟକ ମାମଲା ହେଲାଣି। ସବୁଥିରେ ସରକାର ପଳାତକ ସାଜୁଛନ୍ତି। ଶାସକ ଦଳର କର୍ମୀମାନେ ତ ଥାନାକୁ ଲିଜ୍ ଆକାରରେ ନେଇଗଲେଣି। ପୁଲିସକୁ ନିରପେକ୍ଷ ଭାବେ କାମ କରିବାକୁ ସୁଯୋଗ ଦିଆଯାଉନି। ଆଜି ବିଧାନସଭାର ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ବେଳେ ସରକାରଙ୍କ ଉପରେ ଏମିତି ବର୍ଷିଥିଲେ ବିରୋଧୀ ଦଳର ବିଧାୟକମାନେ। ମହିଳାଙ୍କ ସୁରକ୍ଷା ଦାବିରେ ଲଗାତାର ଭାବେ ବିଧାନସଭାରେ ସ୍ବର ଉଠାଉଥିବା କଂଗ୍ରେସ ସଦସ୍ୟମାନେ ଆଜି ଆଲୋଚନାରେ ଭାଗ ନେଇଥିଲେ। ଅନୁଗୁଳରେ ଶିଶୁ କନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ପ୍ରସଙ୍ଗରେ ଆସିଥିବା ମୁଲତବୀ ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ଅଶୋକ ଦାସ କହିଥିଲେ, ଗତ ୮ ମାସ ଭିତରେ ରାଜ୍ୟରେ ମହିଳା ନିର୍ଯାତନା ବଢ଼ିଛି।
ଓଡ଼ିଶା ଏକ ସଂସ୍କୃତିସମ୍ପନ୍ନ ରାଜ୍ୟ। ଆମ ରାଜ୍ୟରେ ମା’ମାନଙ୍କୁ ଯଥେଷ୍ଟ ସମ୍ମାନ ଦିଆଯାଏ। ଆମେ ଓଡ଼ିଆ ଅସ୍ମିତା କଥା କହି ଯୋଜନା କରୁଛୁ। କିନ୍ତୁ ମା’ମାନେ ଆଜି ଅସୁରକ୍ଷିତ। ଯିଏ ଅନୁଗୁଳରେ ଶିଶୁ କନ୍ୟାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଛି, ସେ ନିଶ୍ଚିତ ଜଘନ୍ୟ ଅପରାଧୀ। ଏ ସରକାରର ସ୍ଲୋଗାନ୍ ରହିଛି ‘ବେଟି ବଚାଅ, ବେଟି ପଢ଼ାଅ’। କିନ୍ତୁ ବେଟିଙ୍କୁ ଦୁଷ୍କର୍ମ ପାଇଁ ଛାଡ଼ି ଦିଆଯାଉଛି। ଡବଲ୍ ଇଞ୍ଜିନ୍ ସରକାରରେ ୮ ମାସରେ ୧୮୦୦୧ ମାମଲା ହେଲାଣି। ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡକାଯିବା ସହ ଗୃହ କମିଟି ଗଠନ କରାଯାଉ। ସୋଫିଆ ଫିର୍ଦୋସ କହିଥିଲେ, ରାଜ୍ୟପାଳଙ୍କ ପୁଅ ଜଣେ ଏଏସ୍ଓଙ୍କୁ ମାଡ଼ ମାରିଲେ। କିନ୍ତୁ କାର୍ଯ୍ୟାନୁଷ୍ଠାନ ହେଲାନି। ଭରତପୁର ଥାନା ମାମଲାରେ କ’ଣ ତଦନ୍ତ ରିପୋର୍ଟ ଆସିଲା, ତାହା କେହି ଜାଣିପାରିଲେନି। ଜୁନ୍ ମାସ ପରଠାରୁ ରାଜ୍ୟରେ ୨୦୦୬୦ ନିଖୋଜ ମାମଲା ହୋଇଛି। ତାହା ମଧ୍ୟରୁ ୧୩ ହଜାରରୁ ଅଧିକଙ୍କ ପତ୍ତା ମିଳିନି। ଜଣେ ମହିଳା ହିସାବରେ ଏବେ ପ୍ରତ୍ୟେକ ଦିନ ଭୟ ଲାଗୁଛି। ଗତ ୨୪ ବର୍ଷରେ ବିଜେଡି ସରକାର ତ ମହିଳାଙ୍କ ପ୍ରତି ହେଉଥିବା ନିର୍ଯାତନା କମାଇବାକୁ କଠୋର ଆଇନ ଆଣି ନଥିଲେ। ବର୍ତ୍ତମାନର ସରକାର ବି ପ୍ରସଙ୍ଗଟିକୁ ଗୁରୁତର ସହ ନେଉ ନାହାନ୍ତି। ଶୂନ୍ୟକାଳରେ ସି ଏସ୍ ରାଜନ୍ ଏକ୍କା କହିଥିଲେ, ବର୍ତ୍ତମାନ ଆଦିବାସୀ ହଷ୍ଟେଲକୁ ବି କେହି ଅଭିଭାବକ ସୁରକ୍ଷିତ ଭାବୁ ନାହାନ୍ତି। ସେଠାରେ ଦଶମ ଶ୍ରେଣୀର ଛାତ୍ରୀ ପ୍ରସବ କରୁଛି। ଷଷ୍ଠ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହେଉଛି। ଏହା ଅତ୍ୟନ୍ତ ଚିନ୍ତାଜନକ। ଏହି ପ୍ରସଙ୍ଗରେ ଗୃହ କମିଟି ଗଢ଼ାଯାଉ। ଯେଉଁଠି ମହିଳାଙ୍କ ଉପରେ ଅତ୍ୟାଚାର ହେବ, ସେଠାକୁ କମିଟି ଯାଇ ଅନୁସନ୍ଧାନ କରୁ।
ଗୃହ କମିଟି ଗଠନ ଦାବି କଲା କଂଗ୍ରେସ
ବିଜେପି କର୍ମୀ ଥାନାକୁ ଲିଜ୍ ନେଇଗଲେଣି: ବିଜେଡି
ବିଜେଡି, କଂଗ୍ରେସର ନୈତିକ ଅଧିକାର ନାହିଁ: ବିଜେପି
ବିଜେଡି ସଭ୍ୟ ପ୍ରମିଳା ମଲ୍ଲିକ କହିଲେ, ମହିଳାମାନେ ଏବେ ଘରୁ ବାହାରିବାକୁ ଡରିଲେଣି। ପିହୁ ଅପହରଣକୁ ନେଇ ସେତେବେଳେ ବିରୋଧୀ ଦଳରେ ଥିବା ବିଜେପି ଛଳନା କରୁଥିଲା। ଏବେ ୯ ମାସର ଶାସନରେ ପିହୁକୁ ଖୋଜି ଆଣିବାରେ କି ପଦକ୍ଷେପ ନେଇଛନ୍ତି? ମହିଳା ଓ ଶିଶୁ ନିର୍ଯାତନା ସମ୍ପର୍କରେ ଶ୍ବେତପତ୍ର ଜାରି କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କୁଆଡ଼େ ଗଲା ସେହି ଶ୍ବେତପତ୍ର? ଏବେ ଆବାସିକ ସ୍କୁଲକୁ ଝିଅକୁ ଛାଡ଼ିବା ପାଇଁ ବାପା-ମା’ ଡରିଲେଣି। ବିଜେପି କର୍ମୀ ତ ଥାନାକୁ ଲିଜ୍ ଆକାରରେ ନେଇଗଲେଣି। ପୁଲିସକୁ ବାଧ୍ୟ କରୁଛନ୍ତି ସେମାନଙ୍କ ଇଚ୍ଛାରେ କାମ କରିବାକୁ। ମହିଳାମାନଙ୍କୁ ସୁରକ୍ଷା ଓ ସମ୍ମାନ ଦେବାକୁ ସରକାର ଶିଖନ୍ତୁ। ଗୌତମବୁଦ୍ଧ ଦାସ କହିଲେ, ଏହା ଏକ ଅତି ସମ୍ବେଦନଶୀଳ ପ୍ରସଙ୍ଗ। ସରକାର ପଳାତକ ସାଜିଲେ ହେବନି। ସୁସ୍ଥ ସମାଜ ଗଠନ ପାଇଁ ଯାହା ଦରକାର ସରକାର କରନ୍ତୁ। ଅନେକ ସମୟରେ ପୁଲିସ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ କରୁଛି। ସରକାରୀ ଦଳର କର୍ମୀଙ୍କ ଚାପରେ ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ ହେଉଛି। ଶାସକ ଦଳ ସଭ୍ୟମାନେ ଏହି ଯୁକ୍ତିକୁ ଗ୍ରହଣ କରି ନଥିଲେ। ସେମାନେ ଯୁକ୍ତି କରିଥିଲେ ଯେ ଅନୁଗୁଳରେ ମାମଲା ଘଟିଛି ସତ। କିନ୍ତୁ ସରକାର ନିରବ ବସିନାହାନ୍ତି। ତୁରନ୍ତ ଅପରାଧୀଙ୍କୁ ଧରିଛନ୍ତି। ସବୁ ମାମଲାରେ ପୁଲିସ ତ୍ବରିତ ପଦକ୍ଷେପ ନେଇଛି। କଂଗ୍ରେସ ଓ ବିଜେଡି ଶାସନ ସମୟରେ ମହିଳାଙ୍କ ପ୍ରତି ଅତ୍ୟାଚାର କିପରି ବଢ଼ିଥିଲା, ତାହା ସମସ୍ତେ ଜାଣନ୍ତି। ତେଣୁ ସେମାନଙ୍କର ନୈତିକ ଅଧିକାର ନାହିଁ ଏହି ପ୍ରସଙ୍ଗରେ କହିବାକୁ। ପୂର୍ବ ସରକାରରେ ପୁଲିସକୁ ତା’ର ଦାୟିତ୍ବ ତୁଲାଇବାକୁ ଦିଆଯାଉ ନଥିଲା। ଶାସକ ଦଳ ପକ୍ଷରୁ ଟଙ୍କଧର ତ୍ରିପାଠୀ, ସନାତନ ବିଜୁଳି, ଅମର ନାୟକ ଓ ସରୋଜ କୁମାର ପାଢ଼ୀ ଆଲୋଚନାରେ ଭାଗ ନେଇଥିଲେ।
ତ୍ବରିତ କାର୍ଯ୍ୟାନୁଷ୍ଠାନ ନେଉଛୁ: ଆଇନ ମନ୍ତ୍ରୀ, ବିଜେଡି ସରକାରରେ ତୃତୀୟ ମହଲା ନିୟନ୍ତ୍ରଣରେ ପୁଲିସ ଥିଲା
ଭୁବନେଶ୍ବର: ମହିଳା ଓ ଶିଶୁ ଅପରାଧକୁ ସରକାର ଗୁରୁତ୍ବର ସହ ନେଇଛନ୍ତି। ଆଇନରୁ ଊର୍ଧ୍ବରେ କେହି ନାହାନ୍ତି। ଅପରାଧୀ ଅପରାଧ ଘଟାଇବା ପରେ କୌଣସି ପରିସ୍ଥିତିରେ ଖସିପାରିବ ନାହିଁ। ଅନୁଗୁଳ ଘଟଣା ସମେତ ସବୁ ମାମଲାରେ ସରକାର ତ୍ବରିତ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଅପରାଧୀଙ୍କର ଦଣ୍ଡ ପ୍ରତି କିପରି ଭୟ ରହିବ, ସେଥି ପାଇଁ ଦଣ୍ଡବିଧାନ ହାର ଉପରେ ଗୁରୁତ୍ବ ଦିଆଯାଉଛି। ବିରୋଧୀଙ୍କ ଅଭିଯୋଗର ଜବାବ ରଖି ଏହା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଶ୍ରୀ ହରିଚନ୍ଦନ ଉତ୍ତର ରଖିଥିଲେ। ଅନୁଗୁଳ ଘଟଣାରେ ସେ କହିଥିଲେ, ଅନୁଗୁଳର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସରକାର ବିଲ୍କୁଲ୍ ଚୁପ୍ ବସିନାହାନ୍ତି। ୧୪ ତାରିଖରେ ରଞ୍ଜନ ସାଏ ତାଙ୍କ ଝିଅ ନିଖୋଜ ନେଇ ଅଭିଯୋଗ କରିଥିଲେ। ୧୫ ତାରିଖରେ ତାଙ୍କ ଘରର କିଛି ଦୂରରେ ମୃତଦେହ ମିଳିଥିଲା। ସନ୍ଧାନୀ କୁକୁର ସହାୟତାରେ ଯେଉଁ ପ୍ରମାଣ ମିଳିଥିଲା, ସେହି ତଥ୍ୟ ଆଧାରରେ ଅଭିଯୁକ୍ତ ବାବୁଲା ଜେନାକୁ ଗିରଫ କରାଯାଇଛି। ହତ୍ୟା ଓ ପୋକ୍ସୋ ଆକ୍ଟ ଲଗାଯାଇ ତଦନ୍ତ କରାଯାଉଛି। ଅତୀତରେ ଘଟଣା ଘଟୁଥିଲା ଓ ତଦନ୍ତ ଚାଲୁଥିଲା। କିନ୍ତୁ ଏବେ ୪୮ ଘଣ୍ଟା ଭିତରେ ଅପରାଧୀଙ୍କୁ ଧରାଯାଉଛି ଓ ଆଇନ ଅନୁଯୟୀ ପଦକ୍ଷେପ ଗ୍ରହଣ କରାଯାଉଛି।
ବିଜେଡି ଓ କଂଗ୍ରେସକୁ ଟାର୍ଗେଟ୍ କରି ମନ୍ତ୍ରୀ କହିଥିଲେ, କଂଗ୍ରେସ ଦଳ ତା’ର ଇତିହାସର କଳା ଫର୍ଦ୍ଦକୁ ଭୁଲି ନଯାଉ। କଂଗ୍ରେସ ଶାସନ ସମୟରେ ମହିଳାଙ୍କ ଉପରେ କିପରି ନିର୍ଯାତନା ବଢ଼ିଥିଲା, ତାହା ଏବେ ବି ଲୋକଙ୍କ ମନରୁ ଯାଇନି। ଆଉ ବିଜେଡି ସରକାର ସମୟରେ ତ ତୃତୀୟ ମହଲାର ବିନା ଅନୁମତିରେ ପୁଲିସ କାହାରିକୁ ଗିରଫ କରି ପାରୁ ନଥିଲା। ପୁଲିସକୁ କାମ କରିବାର ସ୍ବାଧୀନତା ଦିଆଯାଉ ନଥିଲା। ସେମାନଙ୍କ ମନୋବଳ ଭାଙ୍ଗିଦିଆଯାଉଥିଲା। ୨୪ ବର୍ଷ ହେଲା ଗୋଟିଏ କଥା ଶୁଣି ଆସୁଥିଲୁ, ଆଇନ ତା’ ବାଟରେ ଯିବ। କିନ୍ତୁ ଏହା ଅସହାୟତାର ବାଣୀ। ମନ୍ତ୍ରୀ ଆହୁର କହିଥିଲେ, ୨୦୨୩ ଜୁନ୍ରୁ ୨୦୨୪ ଫେବ୍ରୁଆରି ଏବଂ ୨୦୨୪ ଜୁନରୁ ୨୦୨୫ ଫେବ୍ରୁଆରି ମଧ୍ୟରେ ତୁଳନାତ୍ମକ ତଥ୍ୟ ଦେଖିଲେ ମହିଳା ଓ ଶିଶୁ ଅପରାଧ କମିଛି। ଥାନା ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। ପୁଲିସ ବିଭାଗରେ ଖାଲିଥିବା ପଦବି ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/14/THiy4ogBXd6RFZu1Pz9s.jpg)