ସମ୍ବଲପୁର: ସମ୍ବଲପୁର ସହରରେ ପୁଣି ସାଇବର ଠକେଇ। ଏଥର ଠ‌କେଇର ଶିକାର ହୋଇଛନ୍ତି ବୁର୍ଲା ଵାନ୍‌ ଆର୍‌ କଲୋନିର ସୁଜାତା ପଣ୍ଡା ହରିପାଲ (୫୭)। ଶୁକ୍ରବାର ତାଙ୍କ ଏସବିଆଇ ଓ ଆନ୍ଧ୍ର ବ୍ୟାଙ୍କର ୨ଟି ଆକାଉଣ୍ଟରୁ ୬୧ ହଜାର ଟଙ୍କା ନେଇଯାଇଛି ସାଇବର ଠକ। ଏସ୍‌ବିଆଇ ଆକାଉଣ୍ଟରୁ ମାର୍ଚ୍ଚ ୨୦ ତାରିଖ ୮ ହଜାର ଲେଖାଏଁ ୩ ଥର ମୋଟ ୨୪ ହଜାର ଟଙ୍କା କଟିଥିଲା। ଏହାପରେ ଏପ୍ରିଲ୍‌ ୧୦ ତାରିଖ ଦିନ ୨ଟି ଟ୍ରାନ୍‌ଜେକସନ୍‌ରେ ୧୦ ହଜାର ଓ ୨ ହଜାର, ମୋଟ ୧୨ ହଜାର ଟଙ୍କା କଟିଥିଲା। ସେହିପରି ଆନ୍ଧ୍ର ବ୍ୟାଙ୍କ ଆକାଉଣ୍ଟରୁ ଏପ୍ରିଲ୍‌ ୪ ତାରିଖ ଦିନ ୧୦ ହଜାର ଟଙ୍କା, ଏପ୍ରିଲ୍‌ ୬ ତାରିଖ ଦିନ ୫ ହଜାର ଟଙ୍କା ଏବଂ ଏପ୍ରିଲ୍‌ ୧୦ ତାରିଖ ଦିନ ଆଉ ୧୦ ହଜାର ଟଙ୍କା କାଟି ନେଇଥିଲା ସାଇବର୍‌ ଠକ। ଠକେଇର ଶିକା ହୋଇଥିବା ଜାଣିବା ପରେ ସୁଜାତା ବୁର୍ଲା ଥାନାରେ ଶୁକ୍ରବାର ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ବୟସ୍କଙ୍କୁ ସାଇବର୍‌ ଠକଙ୍କ ଟାର୍ଗେଟ୍‌

ବୟସ୍କ ବ୍ୟକ୍ତିମାନଙ୍କୁ ସାଇବର୍‌ ଠକମାନେ ଟାର୍ଗେଟ୍‌ କରୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ସମସ୍ତେ ସ୍ମାର୍ଟଫୋନ୍‌ ବ୍ୟବହାର କରୁଥିବାବେଳେ  ଅନେକ ବୟକ୍ସ ବ୍ୟକ୍ତି ମୋବାଇଲ୍‌ ବିଶେଷ କରି ଇଣ୍ଟରନେଟ୍‌ ବ୍ୟବହାର ଉପରେ ସେତେଟା ସଚେତନ ନଥିବାରୁ ସାଇବର୍‌ ଠକେଇର ଶିକାର ହୋଇଯାଇଥାନ୍ତି। ସାଇବର୍‌ ଏକ୍ସପର୍ଟ କହିଛନ୍ତି, ଇଣ୍ଟରନେଟ୍‌ ବ୍ୟବହାର ଉପରେ ବା ଅନ୍‌ଲାଇନ୍‌ କାରବାରକୁ ନେଇ ବୟସ୍କ ବ୍ୟକ୍ତିମାନଙ୍କର ସେତେଟା ଜ୍ଞାନ ନଥିବାରୁ ସାଇବର୍‌ ଠକମାନେ ସେମାନଙ୍କୁ ଟାର୍ଗେଟ୍‌ କରୁଛନ୍ତି। ସାଇବର୍‌ ଠକମାନେ ସେମାନଙ୍କୁ କଲ୍‌ କରି କୌଣସି ଲୋଭନୀୟ ଅଫର୍‌ ଦେଇଥାନ୍ତି କିମ୍ବା ସିମ୍‌ ବା ଏଟିଏମ୍‌ ଅଚଳ ହୋଇଯିବା ଭଳି ଭୟ ସୃଷ୍ଟି କରିଥାନ୍ତି। ଭୟରେ ହେଉ କିମ୍ବା ଲୋଭରେ ପଡ଼ି ଅନେକ ଲୋକ ସାଇବର୍‌ ଠକେଇର ଶିକାର ହେଉଥିବା ସେ କହିଛନ୍ତି। ଅଜଣା ନମ୍ବରରୁ ଆସୁଥିବା କଲ୍‌, ମେସେଜ୍‌(ଉଭୟ ସାଧାରଣ ମେସେଜ୍‌ ଓ ହ୍ବାଟ୍ସଆପ୍‌)ଗୁଡ଼ିକୁ ଅଣଦେଖା କରିବା ସହ ପ୍ଲେ’ ଷ୍ଟୋର୍‌ ବାହାରୁ କୌଣସି ଆପ୍‌ ଡାଉନ୍‌ଲୋଡ୍‌ ନକରିବାକୁ ସେ ପରାମର୍ଶ ଦେଇଛନ୍ତି।