ମଦକୁ ନେଇ ତୁମୁଳକାଣ୍ଡ : ୫ରୁ ଅଧିକ ଆହତ; ବାଇକ, ଲୁନା ପୋଡ଼ିି

ମହିଳାଙ୍କ ଭଙ୍ଗାରୁଜା, ରାସ୍ତାରେ ବୋହିଲା ମଦ

ମାର୍ଶାଘାଇ : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ୍‌ ଅର୍ନ୍ତଗତ ଅଙ୍ଗୁଳାଇଠାରେ ଚାଲିଥିବା ମଦ ବିରୋଧୀ ଆନ୍ଦୋଳନ ଆଜି ଉଗ୍ର ରୂପ ନେଇଛି । ଏହି ଘଟଣାକୁ ନେଇ ବ୍ୟାପକ ମାଡ଼ପିଟ୍‌ ହେବା ସହିତ ପୋଡ଼ାଜଳା ହୋଇଛି। ଏଥିରେ ୫ ଜଣ ଆହତ ହୋଇଛନ୍ତି। ଏପରିକି, ୨ଟି ମୋଟର ସାଇକଲ୍‌କୁ ଉତ୍ତ୍ୟକ୍ତ ଲୋକମାନେ ପୋଡ଼ି ଦେଇଛନ୍ତି। ଘଟଣାସ୍ଥଳରେ ପୁଲିସ୍‌ ଉପସ୍ଥିତ ଥିଲେ ମଧ୍ୟ ନିରବଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଛି।

ଅଙ୍ଗୁଳାଇଠାରେ ମଦ ଦୋକାନ ଖୋଲା ହେବା ପ୍ରତିବାଦରେ ଗତକାଲିଠାରୁ ଆନ୍ଦୋଳନ ଦାନା ବାନ୍ଧିଥିଲା। ସ୍ଥାନୀୟ ଅଞ୍ଚଳର ଲୋକମାନେ ଦୀର୍ଘ ୬ ଘଣ୍ଟା କାଳ ଓରତ-ଅଙ୍ଗୁଳାଇ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ କେନ୍ଦ୍ରାପଡ଼ା ଏସ୍‌ଡିପିଓ କାର୍ତ୍ତିିକ ଚନ୍ଦ୍ର ମଲ୍ଲିକ, ମାର୍ଶାଘାଇ ତହସିଲ୍‌ଦାର ଚନ୍ଦ୍ରକାନ୍ତ ପଣ୍ଡା ପହଞ୍ଚି ତଦନ୍ତ ନହେବା ଯାଏ ମଦ ଦୋକାନ ବନ୍ଦ ରହିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

ତେବେ, ପ୍ରତିଶ୍ରୁତିକୁ ଖିଲାପ କରି ଆଜି ମଦ ଦୋକାନ କାଉଣ୍ଟର ଖୋଲାଯିବାରୁ ଲୋକମାନେ ତାତି ଉଠିଥିଲେ। ଏହାର ପ୍ରତିବାଦରେ ସରପଞ୍ଚ ଦୁର୍ଗାବତୀ ପ୍ରଧାନ, ସରପଞ୍ଚଙ୍କ ପ୍ରତିନିଧି ମାଧବାନନ୍ଦ ପାତ୍ର, ସମିତି ସଭ୍ୟ ଅଜୟ ରାଉତ ମଦ ଦୋକାନ ଆଗରେ ରାସ୍ତା ଉପରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରଖି ଧୂପ ଲଗାଇ ଧାରଣାରେ ବସିଥିଲେ। ଏହାପରେ ଏହି ଘଟଣାକୁ ନେଇ ମାଡ଼ପିଟ ଆରମ୍ଭ ହୋଇଥିଲା।

ଅଭିଯୋଗ ଅନୁସାରେ, ମନ୍ମଥ ସାହୁଙ୍କ ପୁଅ କୁନିଆ ସାହୁ ସରପଞ୍ଚ ଶ୍ରୀମତୀ ପ୍ରଧାନଙ୍କୁ ଅସଦାଚରଣ ଉଦ୍ୟମ କରିଥିଲେ। ସରପଞ୍ଚ ଶ୍ରୀମତୀ ପ୍ରଧାନଙ୍କ ସ୍ୱାମୀ ମାଧବାନନ୍ଦ ପାତ୍ର ଏହାର ବିରୋଧ କରିଥିଲେ। ଫଳରେ ଘଟଣାସ୍ଥଳରେ ଶ୍ରୀ ପାତ୍ରଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ଦିଆଯାଇଥିିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଲୋକମାନେ ଦୋକାନ ଆଗରେ ଥିବା ଶ୍ରୀ ସାହୁଙ୍କ ବାଇକକୁ ଭାଙ୍ଗିବା ସହ ସେଥିରେ ନିଆଁ ଲଗାଇ ଦେଇଥିଲେ। ପାଖରେ ଥିବା ମଦ ଦୋକାନର ସେଲସମ୍ୟାନ୍‌ଙ୍କ ଳୁନାକୁ ପୋଡ଼ିଥିଲେ। ଦୋକାନ ଭିତରେ ଲୁଚିଥିବା ସେଲ୍‌ସମ୍ୟାନ ଗୌତମ ସାହୁଙ୍କୁ ଭିଡ଼ି ଆଣି ପିଟିଥିଲେ। ଏହି ଗଣ୍ଡଗୋଳରେ କୁଳପଡ଼ା ଅଞ୍ଚଳର ଜଣେ ଯୁବକ ମଧ୍ୟ ଆହତ ହୋଇଥିଲେ। ସେହି ସମୟରେ ସାଦା ପୋଷାକରେ ସଦରଥାନାର ଏଏସ୍‌ଆଇ ଅଶୋକ ଲେଙ୍କା କେତେଜଣ କନେଷ୍ଟବଳଙ୍କୁ ନେଇ ପହଞ୍ଚିଥିଲେ ବି ପରିସ୍ଥିତି ଅଣାୟତ୍ତ ହୋଇ ପଡିିଥିଲା। ଉତ୍ତ୍ୟକ୍ତ ମହିଳାମାନେ ମଦ ଦୋକାନ ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିିଥିଲା। ତେବେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ହାତ ଗଣତି ପୁଲିସ କର୍ମଚାରୀଙ୍କ ପକ୍ଷରେ ଅସମ୍ଭବ ଜାଣି ସଦର ଥାନା ଆଇଆଇସି କାବୁଲି ବାରିକ ତାଙ୍କର ସହଯୋଗୀ ମାନଙ୍କୁ ସ୍ଥାନ ଛାଡ଼ିି ଚାଲିଆସିବାକୁ କହି କିଛି ଦୂରରେ ଛିଡା ହୋଇ ନିରବଦ୍ରଷ୍ଟା ସାଜିଥିଲେ।

ଏହାର ସୁଯୋଗରେ ଆନ୍ଦୋଳନକାରୀ ମାନେ ମଦ ଦୋକାନ ଭିତରେ ପଶି ଭଙ୍ଗାରୁଜା ଆରମ୍ଭ କରିଥିଲେ। ମଦ ଦୋକାନ ସିସି କ୍ୟାମେରାକୁ ମଧ୍ୟ ଭାଙ୍ଗି ଦେଇଥିଲେ। ସବୁ ମଦ ବୋତଲ ଦୋକାନରୁ କାଢି ଆଣି ରାସ୍ତାରେ ଫୋପାଡ଼ି ଭାଙ୍ଗି ଥିଲେ। ଫଳରେ ରାସ୍ତାରେ ମଦର ବନ୍ୟା ହୋଇଥିଲା ।

ଆନ୍ଦୋଳନର ନେତୃତ୍ଵ ନେଉଥିବା ଅଙ୍ଗୁଳାଇ ସରପଞ୍ଚ ଦୁର୍ଗାବତୀ ପ୍ରଧାନ ତାଙ୍କ ପ୍ରତି ଅସଦାଚରଣ କରାଯାଇଥିବା ନେଇ ସଦର ଥାନାରେ ଅଭିଯୋଗ କରିଛନ୍ତି। ମଦ ଦୋକାନ ମାଲିକଙ୍କ ପକ୍ଷରୁ ମଧ୍ୟ ଥାନାରେ ଏକ ପାଲଟା ଅଭିଯୋଗ ହୋଇଛି। ରାତି ପର୍ଯ୍ୟନ୍ତ ବି ଆନ୍ଦୋଳନକାରୀ ରାସ୍ତାରେ ବସି ରହିଥିବା ବେଳେ ଘଟଣାସ୍ଥଳରେ ଏଡିଏମ୍‌ ବସନ୍ତ କୁମାର ରାଉତ ଓ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅରୁଣ କୁମାର ଜେନା ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରଶାସନ ପକ୍ଷରୁ ମଦ ଦୋକାନକୁ ସିଲ୍‌ କରାଯାଇଥିଲା। ସରପଞ୍ଚ ଓ ତାଙ୍କ ସହଯୋଗୀ ଆସନ୍ତା ସୋମବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଏ ସଂକ୍ରାନ୍ତରେ ଆଲୋଚନା କରିବେ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା। ଫଳରେ, ଆନ୍ଦୋଳନକାରୀମାନେ ଧାରଣାରୁ ଓହରି ଯାଇଥିଲେ।

ସମ୍ବନ୍ଧିତ ଖବର