ଗାଁ ଦାଣ୍ଡରେ ମଦ୍ୟପକୁ ନିର୍ଦ୍ଧୁମ ଛେଚିଲେ ମହିଳା

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମ୍ମା ପଂଚାୟତରେ ମଦ ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି। ଯିଏ ବି ମଦ୍ୟପାନ କରି ଦାଣ୍ଡରେ ବୁଲୁଛି ତାକୁ ସାବାଡ଼ କରୁଛନ୍ତି ମହିଳା। ଏମିତି ସ୍ଥିତିରେ ଗାଁ ରେ ସମ୍ପୂର୍ଣ ମଦ ବନ୍ଦ କରିବାକୁ ମହିଳା ମାନେ ପଣ କରିଛନ୍ତି । ଏହି କ୍ରମରେ ଅଞ୍ଚଳଗୁମା ପଂଚାୟତ ଅନ୍ତର୍ଗତ ଚିତ୍ରକୋଟ ଗ୍ରାମର ମହିଳାମାନେ ମଦ ବନ୍ଦ କରି ମଦ ମୁକ୍ତ ଗ୍ରାମ ଘୋଷଣା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଏଥି ସହ ତେନ୍ତୁଳିଖୁଣ୍ଟି ଥାନା ଏବଂ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇ ଅଭିଯୋଗ ମଧ୍ୟ କରିଛନ୍ତି।

ମହିଳାଙ୍କ ଅଭିଯୋଗ ପରେ ପୁଲିସ ପ୍ରଶାସନ ତରଫରୁ ବିଭିନ୍ନ ମଦ ବ୍ୟବସାୟୀଙ୍କ ଉପରେ ଚଢଉ କରି କୋର୍ଟ ଚାଲାଣ ମଧ୍ୟ କରାଯାଇଥିବା ସୂଚନା ରହିଛି,   ଯାହାକୁ ନେଇ ମହିଳାମାନେ ତାତିବା ସହ ମଦ ଦୋକାନ ପରିବର୍ତ୍ତେ ମଦୁଆଙ୍କୁ ମଧ୍ୟ ସାବାଡ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ଏନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ମଦୁଆଙ୍କୁ ନିସ୍ତାର ନଥିବା ନେଇ ଆଲୋଚନା ହେଉଛି। ନିଶା ଶକ୍ତ ଅବସ୍ଥାରେ ରାସ୍ତାରେ ବିଲୁଥିବା ଜଣେ ଯୁବକଙ୍କୁ ମହିଳାମାନେ ଅଟକ ରଖିବା ସହ ଗୋଡ ହାତ ବାନ୍ଧି ମଦ ନପିଇବା ନେଇ ତାଗିଦ କରିଛନ୍ତି। ଯୁବକ ଜଣକ ନିଶା ଶକ୍ତ ଅବସ୍ଥାରେ ରାସ୍ତାରେ ଫିଲ୍ମ ଷ୍ଟାଇଲ ଦେଖାଉଥିବାକୁ ନେଇ ତାତିଥିଲେ ମହିଳା। ମହିଳାଙ୍କ ଏମିତି କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ଚିତ୍ରକୋଟରେ ମଦୁଆଙ୍କୁ ନିସ୍ତାର ନଥିବା କୁହାଯାଉଛି। ମଦୁଆ ଯୁବକଙ୍କ ବିରୋଧରେ ମହିଳାଙ୍କ ଆକ୍ରୋଶ ନେଇ ଖବର ପାଇ ପାତ୍ରପୁଟ ଫାଣ୍ଡି ପୁଲିସ ଉତ୍ତେଜନା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲେ। ଏହାପରେ ମଦ୍ୟପ ଯୁବକଙ୍କୁ ତେନ୍ତୁଳିଖୁଣ୍ଟି ଥାନାକୁ ଆଣି ମଦ୍ୟପାନ ନକରିବାକୁ ପରାମର୍ଶ ଦେଇ ଘର ଲୋକଙ୍କ ଜିମାରେ ଦେଇଥିଲେ।

ସମ୍ବନ୍ଧିତ ଖବର