ସିଙ୍ଗଡ଼ା: ବିଭିନ୍ନ ପୂଜାପର୍ବ, ବିବାହ, ସାଜସଜ୍ଜା ତଥା ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟ ପାଇଁ ଫୁଲର ଆବଶ୍ୟକତା ହୋଇଥାଏ। ଆଗରୁ କରଞ୍ଜିଆ ଅଞ୍ଚଳକୁ କଲିକତାରୁ ଫୁଲ ଆମଦାନୀ ହୋଇ ଏଠାରେ ବିକ୍ରି ହେଉଥିଲା। ବ୍ୟବସାୟୀ ମାନେ ପ୍ରଚୁର ଟଙ୍କା ଲାଭ ଉଠାଉଥିଲେ। ଏବେ ସ୍ଥାନୀୟ ସ୍ବୟଂ ସଂପୂର୍ଣ୍ଣା ମହିଳା ଗୋଷ୍ଠୀର ଭଗବତୀ, ଚନ୍ଦ୍ରିକା ଓ ନିରୂପମା ସେହି ଆବଶକତା ପୂରଣ କରିବା ସହ ଆର୍ଥିକ ସ୍ବାବଲମ୍ବୀ ହୋଇ ପାରିଛନ୍ତି। ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସହାୟତା ଆଣି ବଡ଼ଦେଉଳି ପଞ୍ଚାୟତ ନୂଆଗାଁର ଭଗବତୀ ମହାନ୍ତ, ବାଟପଳସା ପଞ୍ଚାୟତ ମିଳିନି ଗାଁର ଚନ୍ଦ୍ରିକା ମହାନ୍ତ ଓ ଦରି ପଞ୍ଚାୟତ ପିଛୁଳି ଗାଁର ନିରୁପମା ମହାନ୍ତ ଫୁଲ ଚାଷ କରିବା ପାଇଁ ଆଗେଇ ଆସିଥିଲେ।

Advertisment

publive-image

ସେମାନଙ୍କୁ ଉଦ୍ୟାନ କୃଷି ବିଭାଗ ସହକାରୀ ଅଧିକାରୀ ଲକ୍ଷ୍ମୀପ୍ରିୟା ନାଏକ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେଇଥିଲେ। ମାଗଣାରେ ଚାରା ଦିଆଯାଇଥିଲା। ଉଭୟ ପ୍ରଶାସନ ଏବଂ ଉପଭୋକ୍ତାଙ୍କ ମିଳିତ ଉଦ୍ୟମରେ ପ୍ରଚୁର ମାତ୍ରାରେ ଫୁଟିଥିବା ଗେଣ୍ଡୁଫୁଲ ଚାଷ ଲୋକଙ୍କୁ ବିସ୍ମିତ କରିଛି। ବର୍ତ୍ତମାନ ଫୁଲ ବସ୍ତାରେ ଭର୍ତ୍ତି ହୋଇ ବିଭିନ୍ନ ସ୍ଥାନକୁ ପଠାଯାଉଛି। ଗେଣ୍ଡୁଫୁଲ କିଲୋ ପ୍ରତି ୫୦ ଟଙ୍କା ଦରରେ ବିକ୍ରି କରି ଆର୍ଥିକ ଲାଭ ଉଠାଇଛନ୍ତି। ଏହି ଗେଣ୍ଡୁଫୁଲ ଚାଷ କରଞ୍ଜିଆ ବ୍ଲକ୍‌ରେ ମାତ୍ର ୪ଟି ସ୍ଥାନରେ ୩ ଏକର ଜମିରେ ଚାଷ ହେଉଛି। ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଅନ୍ୟ ମହିଳା ଓ ପୁରୁଷଙ୍କୁ ଏହି ଚାଷ କରି ନିଜେ ସ୍ୱାବଲମ୍ବୀ ହେବାପାଇଁ ଏହି ଫୁଲଚାଷ ସଚେତନତା ସୃଷ୍ଟି କରିଛି ବୋଲି ଲକ୍ଷ୍ମୀପ୍ରିୟା ନାଏକ କହିଛନ୍ତି।