ଗଂଜେଇ ଜବତ ପାଇଁ ରାତି ଅଧରେ ଘରେ ପଶି ମହିଳାଙ୍କୁ ନିସ୍ତୁକ ମାଡ ମାରିଲା ପୁଲିସ! ଅଭିଯୋଗକୁ ଖଣ୍ଡନ କଲେ ଏସ୍‌ପି

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ପୁଲିସର ବର୍ବରତା। ଗଂଜେଇ ଜବତ କରିବା ଯାଇ ମହିଳାମାନଙ୍କୁ ନିସ୍ତୁକ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି। ମିହିଳାମାନେ ଏନେଇ ଚିତ୍ରକୋଣ୍ଡା ଥାନାକୁ ଘେରାଉ କରିଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଆରଏସି-୧୩ ଗ୍ରାମରେ ପଚାଶରୁ ଊର୍ଦ୍ଧ୍ବ ପୁଲିସ ଗାଁରେ ପଶିଥିଲେ। ଗାଁରେ ପଶି ଘରେ ଘରେ ଲୋକଙ୍କୁ ଉଠାଇଥିଲେ। ଲୋକେ ଗଂଜେଇ କାରବାର କରୁଥିବା କହି ଘରର କବାଟ ବାଡେଇଥିଲେ। ରାତି ସେତେବେଳେ ପ୍ରାୟ ଗୋଟାଏ ବାଜିଥିବ। ମହିଳାମାନେ ଘରେ ପୁରୁଷ ନଥବା କହି କବାଟ ନଖୋଲିବାରୁ ପୁଲିସ ଜବରଦସ୍ତ କବାଟ ବାଡେଇ ମହିଳାମାନଙ୍କୁ ନିର୍ଯାତନା ଦେଇଥିଲା।

ତେବେ କୌଣସି ମହିଳା ପୁଲିସ ନଥିବା ଆହତ ମହିଳାମାନେ ଅଭିଯୋଗ କରିଛନ୍ତି। ସାଧା ପୋଷାକରେ କାହିଁକି ରାତି ଅଧରେ ଆସିଛ ବୋଲି ମହିଳାମାନେ ଯୁକ୍ତି କରିବାରୁ ପୁଲିସ ସେମାନଙ୍କୁ ନିର୍ଦ୍ଧୁମ ପିଟିବା ସହ ତୁମେମାନେ ଗଂଜେଇ ବେପାର କରୁଛ କହି ପୁଣି ବାଡେଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ କିଛି ଆହତ ମହିଳାମାନେ ଚିତ୍ରକୋଣ୍ଡା ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେବା ପରେ ଜଣେ ମହିଳା ଗୁରୁତର ଥିବାରୁ ତାଂକୁ ମାଲକାନଗିରି ମେଡିକାଲକୁ ନିଆଯାଇଥିବା ଜଣାପଡିଛି। ଆହତ ମହିଳାମାନେ ହେଲେ ସବିତା ଖିଲ, ଚନ୍ଦ୍ରା ଖିଲ, ସହିତା ଖିଲ ଏବଂ ମାମିନା ଖିଲ। ଏମାନଙ୍କ ମଧ୍ୟରୁ ସବିତା ଖିଲର ମୁଣ୍ଡରେ ଗଭୀର ଆଘାତ ହୋଇଥିବାରୁ ତାଂକୁ ତୁରନ୍ତ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଗଂଜେଇ ଜବତ କରିବା ନାମରେ ପୁଲିସର ବର୍ବରତାକୁ ସ୍ଥାନୀୟ ଲୋକେ ନିନ୍ଦା କରିଛନ୍ତି। ମହିଳାମାନଙ୍କ ଉପରେ ପୁଲିସ କିପରି ଅତ୍ୟାଚାର କଲା ବୋଲି ପ୍ରଶ୍ନ କରାଯାଇଛି।କୌଣସି ମହିଳା ପୁଲିସକୁ ନନେଇ କିପରି ଚଢଉ କରାଯାଉଥିଲା ବୋଲି ପ୍ରଶ୍ନ କରାଯାଇଛି। ଆଜି ପୁଲିସର ପୁଣି ବର୍ବରତା ନେଇ ଆଜି ଦଣ୍ଡକାରଣ୍ୟ ଡିଭିଜନର ମାଓବାଦୀ ପୋଷ୍ଟରରେ ପୁଲିସର ନିର୍ଯାତନା ନେଇ ପୋଷ୍ଟର ମଧ୍ୟ ମାରିଛନ୍ତି। ଏବେ ନକ୍ସଲକୁ ଆହୁରି ପୁଲିସ ବିରୋଧରେ ଲୋକଙ୍କୁ ଉସୁକାଇବା ପାଇଁ ସହଜ ହୋଇଯିବ ବୋଲି ଆଲୋଚନା ଜୋର ଧରିଛି। ତେବେ ଏନେଇ ଏସପି ନୀତିଶ ବାଧୱାନିଙ୍କୁ ପଚାରିବାରୁ ସେ ଏହାକୁ ମିଥ୍ୟା ବୋଲି କହିଛନ୍ତି। ପ୍ରାୟ ୧୫ ଶହ କିଲୋରୁ ଊର୍ଦ୍ଧ୍ବ ଗଂଜେଇ ଜବତ କରାଯାଇଛି। କୌଣସି ମହିଳାଙ୍କୁ ମାଡ ମରାଯାଇ ନାହିଁ ବୋଲି ଏସପି ସଫା ସଫା ମନା କରିଦେଇଥିଲେ। ଯଦି ପୁଲିସ ତରଫରୁ କୌଣସି ବି ଭୁଲ ହୋଇଥାଏ ତେବେ ନିଶ୍ଚିତ ଭାବେ ଯିଏ ଭୁଲ କରିଥିବ ସେ ଦଣ୍ଡ ପାଇବ ବୋଲି ମଧ୍ୟ କହିଥିଲେ।

ସମ୍ବନ୍ଧିତ ଖବର