ହାଟଡିହି : ନନ୍ଦିପଦା ଥାନା କ୍ଷେତୁଆଳି ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଜଣେ ଯୁବତୀଙ୍କୁ ପ୍ରାଣାନ୍ତଙ୍କ ଆକ୍ରମଣ କରିବା ଘଟଣାକୁ ମାସେ ବିତିଥିଲେ ମଧ୍ୟ ପୁଲିସ ଏଯାଏ ଅଭିଯୁକ୍ତଙ୍କୁ ଗିରଫ କରିନି। ଏହାର ପ୍ରତିବାଦରେ ଆଜି କିଛି ମହିଳା ଥାନା ଘେରାଉ କରିଥିଲେ।

Advertisment

କ୍ଷେତୁଆଳି ଗ୍ରାମର ଇନ୍ଦ୍ରମଣି ଜେନା ଓ ଅଲେଖ ଯେନାଙ୍କ ପରିବାର ଭିତରେ ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା। ଏହାକୁ ନେଇ ଏପ୍ରିଲ ୧୦ ତାରିଖରେ‌ ଅଲେଖଙ୍କ ପରିବାର ଲୋକେ ମିଳିତଭାବେ ଇନ୍ଦ୍ରମଣିଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ। ଇନ୍ଦ୍ରମଣିଙ୍କ ଝିଅ ମାଳତୀଙ୍କୁ ଟେକି ଫୋପାଡ଼ି ଦେଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହି ଘଟଣାରେ ପୁଲିସ ଏଯାଏ କାହାକୁ ଗିରଫ କରିନଥିବାବେ‌ଳେ କିଛିଦିନ ହେବ ଅଲେଖଙ୍କ ପରିବାର ଲୋକେ ଇନ୍ଦ୍ରମଣିଙ୍କ ପରିବାରକୁ ପୁଣି ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି। ଏହାକୁ ନେଇ ଆଜି ଇନ୍ଦ୍ରମଣିଙ୍କ ପତ୍ନୀ ଶାନ୍ତିଲତା ଯେନା, ବୁଲିରାଣୀ ଯେନା, ମାଳତୀ ଯେନା, ଟିକିନା ଯେନା, ଶଶି ଯେନା, କମଳା ଯେନା, ଝରଣା ଯେନା ପ୍ରମୁଖ ଥାନା ଘେରାଉ କରିବା ସହ ପୁଲିସର କୋହଳ ମନୋଭାବକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ୭ଦିନ ମଧ୍ୟରେ ପୁଲିସ କୌଣସି ପଦକ୍ଷେପ ନନେଲେ ଅନଶନରେ ବସିବାକୁ ମହିଳାମାନେ ଚେତାବନୀ ଦେଇଛନ୍ତି।

ଏ ସମ୍ପର୍କରେ ଥାନା ଅଧିକାରୀ ମଦନ ନାୟକଙ୍କୁ ପଚାରିବାରୁ, ଉଭୟ ପକ୍ଷଙ୍କ ଅଭିଯୋଗକ୍ରମେ ଦୁଇଟି ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।