କୁମାରୀ ମା’କୁ ନ୍ୟାୟ ଦାବିରେ ମହିଳା ତାତିଲେ, ପ୍ରେମିକର ମା’କୁ ବାନ୍ଧିଲେ, ପୁଲିସ ଗାଡ଼ି ଅଟକାଇଲେ

ଖଲ୍ଲିକୋଟ : ଜଣେ କୁମାରୀ ମାଆକୁ ନ୍ୟାୟ ଦାବିରେ ଆଜି ମହିଳା ଗୋଷ୍ଠୀ ତାତିଛନ୍ତି। ପ୍ରେମରେ ନାବାଳିକାକୁ ଫସାଇ ଗର୍ଭବତୀ କରିଥିବା ପ୍ରେମିକର ମାଆକୁ ବାନ୍ଧି ରଖିବା ଓ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ପୁଲିସ ଗାଡ଼ିକୁ ଦୀର୍ଘ ସମୟ ଅଟକ ରଖିବାରୁ ଉତ୍ତେଜନା ପ୍ରକାଶ ପାଇଛନ୍ତି।

ଅଭିଯୋଗ ଅନୁଯାୟୀ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ବିକ୍ରମପୁର ପଂଚାୟତ ଗୁରୁଣ୍ଠି ସାକରପୋଇ ଗ୍ରାମର ରଂଜନ ପରିଡ଼ା ନାମକ ଜଣେ ଯୁବକ ଜଣେ ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଆସୁଥିଲା। ନାବାଳିକା ଜଣକ ଗର୍ଭବତୀ ହେବା ଜାଣିବା ପରେ ଉକ୍ତ ଯୁବକ ବିବାହ କରିବାକୁ ମନା କରି ଦେଇଥିଲା। ନାବାଳିକା ଜଣକ ମେ ୩୧ ଖଲ୍ଲିକୋଟ ଡାକ୍ତରଖାନାରେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ଏନେଇ ଖଲ୍ଲିକୋଟ ଥାନାରେ ଏକ ମାମଲା ରୁଜୁ ହୋଇଥିଲେ ହେଁ ନ୍ୟାୟ ପ୍ରଦାନରେ ବିଳମ୍ବ ହେତୁ ମଙ୍ଗଳବାର ରାତିରେ ଗ୍ରାମର ମହିଳା ଗୋଷ୍ଠୀ ଏକ ବୈଠକ କରିଥିଲେ। ଗୁରୁବାର ରାତିରେ ପ୍ରତାରକ ପ୍ରେମିକର ମାଆକୁ ଗାଁ ମଝିରେ ବାନ୍ଧି ରଖିଥିଲେ। ଖବର ପାଇ ଖଲ୍ଲିକୋଟ ପୁଲିସ ଟିମ୍‌ ଉଦ୍ଧାର କରିବାକୁ ଚେଷ୍ଟା କଲା ବେଳେ ପୁଲିସ ଗାଡ଼ିକୁ ରାତିସାରା ଅଟକାଇ ରଖିଥିଲେ। ଶୁକ୍ରବାର ଛତ୍ରପୁର ଏସ୍‌ଡିପିଓ ଉତ୍କଳକେଶରୀ ଦାସ ପୁଲିସ ଫୋର୍ସ ନେଇ ଗ୍ରାମରେ ପହଞ୍ଚିଥିଲେ। ଉତ୍ତ୍ୟକ୍ତ ମହିଳାମାନଙ୍କୁ ବୁଝାସୁଝା କରି ପୁଲିସ ଓ ଗାଡ଼ିକୁ ମୁକୁଳାଇଥିଲେ। ଆଗାମୀ ଦିନରେ କୁମାରୀ ମାଆକୁ ନ୍ୟାୟ ନମିଳିଲେ ଆନ୍ଦୋଳନ ଜୋର୍‌ଦାର୍‌ ହେବ ବୋଲି ମହିଳା ‌ଗୋଷ୍ଠୀ ପକ୍ଷରୁ ଚେତାଇ ଦିଆଯାଇଛି।

ସମ୍ବନ୍ଧିତ ଖବର