ଦେବଗଡ଼: ମଦ ଭାଟି ଭାଙ୍ଗିବା ସହ ମଦ ପାଉଚ୍‌ଗୁଡିକୁ ରାଜପଥରେ ଢାଳିଲେ ଉତ୍ତ୍ୟକ୍ତ ମହିଳା

ଦେବଗଡ଼ : ମଦଭାଟି ଉଚ୍ଛେଦ କରିବା ପାଇଁ ମହିଳା ସଂଘ ପକ୍ଷରୁ ଦାବି କରାଯାଇଥିଲା। ପ୍ରଶାସନ ଶୁଣିଲାନି। ଫଳରେ ବାଧ୍ୟହୋଇ ସରକାରୀ ମଦଭାଟି ଭାଙ୍ଗି ଦେଇଛନ୍ତି ମହିଳା। ଗୁରୁବାର ଦିନ ଏଭଳି ଏକ ଘଟଣା ଘଟିଛି ତିଲେଇବଣି ବ୍ଲକ ଅସୁରଖୋଳ ଗ୍ରାମରେ। ଏହସହିତ ମହିଳାମାନେ ରାସ୍ତା ଉପରେ ମଦ ପାଉଚ୍‌ଗୁଡିକୁ ପକାଇ ଦେଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ ତିଲେଇବଣି ବ୍ଲକର ଜାତୀୟ ରାଜପଥ କଡ଼ରେ ରହିଛି ତିଲେଇବଣି–ବିନ୍ଦପୁର ସରକାରୀ ଦେଶୀ ମଦ ଭାଟି। ତେବେ ଏହି ମଦଭାଟି ଅସୁରଖୋଳ ଗ୍ରାମ ନିକଟରେ ରହିଥିବାରୁ ଗ୍ରାମର ପୁରୁଷମାନେ ହାତ ପାଆନ୍ତାରେ ଦେଶୀମଦ ପାଇ ନିଶାସକ୍ତ ଅବସ୍ଥାରେ ସ୍ତ୍ରୀ, ପିଲାମାନଙ୍କୁ ଗାଳିଗୁଲଜ ଓ ମାରପିଟ କରିବାସହ ଅତ୍ୟାଚାର କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଏହି ମଦଭାଟିକୁ ତୁରନ୍ତ ବନ୍ଦ କରିବାରୁ ଗ୍ରାମର ମହିଳାମାନେ ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏବଂ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ନିକଟରେ ଏକାଧିକ ବାର ଦାବି କରିଥିଲେ। କିନ୍ତୁ ସେମାନେ କୌଣସି ଠୋସ ପଦକ୍ଷେପ ନେଇ ନଥିଲେ।

ଫଳରେ ଗୁରୁବାର ଦିନ ଅସୁରଖୋଳ ଗ୍ରାମର ଶତାଧିକ ମହିଳା ଠେଙ୍ଗାବାଡି ଧରି ତିଲେଇବଣି-ବିନ୍ଦପୁର ମଦଭାଟିକୁ ଯାଇ ଘରଦ୍ୱାରକୁ ଆଂଶିକ ଭାବେ ଭାଙ୍ଗିଦେବା ସହ ମଦ ରାନ୍ଧିବା ଚୁଲା, ହଣ୍ଡା, ଓଭର୍‌ହେଡ୍ ପାଣିଟାଙ୍କି ଓ ବହୁ ସଂଖ୍ୟକ ଡ୍ରମକୁ ଭାଙ୍ଗି ଦେଇଥିଲେ। ଏଥିସହ ମଦ ରାନ୍ଧିବା ପାଇଁ ଡ୍ରମରେ ଥିବା ହଜାର ହଜାର କିଲୋ ମହୁଲ ପୋଚ ଓ ମହୁଲ ନଷ୍ଟ କରିଦେଇଥିଲେ। ଏହା ସହିତ ମଦଭାଟିରେ ଥିବା ଶହଶହ ସଂଖ୍ୟକ ମଦ ପାଉଚକୁ ଜାତୀୟ ରାଜପଥ ଉପରେ ଢାଳି ଦେଇଥିଲେ। ସୂଚନା ପାଇ ଦେବଗଡ଼ର ଅତିରିକ୍ତ ତହସିଲଦାର ସୌଦାମିନୀ ନାୟକ ଏବଂ ଦେବଗଡ଼ ଥାନା ଅଧିକାରୀ ସୁରେନ୍ଦ୍ର ନାୟକ ସଦଳବଳେ ପହଞ୍ଚି ଉତ୍ତ୍ୟକ୍ତ ମହିଳାଙ୍କୁ ବୁଝାସୁଝା କରିବା ସହ ପରବର୍ତ୍ତୀ ସମୟରେ ମଦଭାଟି ବନ୍ଦ କରିବା ନିମନ୍ତେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର