ଗଞ୍ଜାମ ଜିଲ୍ଲା ଏ.ବରିଡ଼ା ଗ୍ରାମରେ ବଡ଼ଦିନରେ ମେଳି ବାନ୍ଧିଲେ ଶତାଧିକ ମହିଳା, ଜାଳିଦେଲେ ମଦ ଦୋକାନ

କବିସୂର୍ଯ୍ୟନଗର : ‌ସରକାରୀ ସ୍ବୀକୃତିପ୍ରାପ୍ତ ବିଦେଶୀ ମଦ କାଉଣ୍ଟର୍‌କୁ ନେଇ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଏ.ବରିଡ଼ା ଗ୍ରାମରେ ପୁଞ୍ଜିଭୂତ ଅସନ୍ତୋଷ ଆଜି ରାତିରେ ଉଗ୍ର ରୂପ ଧାରଣ କରିଛି। ବଡ଼ଦିନ ରାତିରେ ଶତାଧିକ ମହିଳା ଗାଁରେ ମେଳି ବାନ୍ଧି ମଦ ଦୋକାନକୁ ପୋଡ଼ି ଦେଇଛନ୍ତି। ଏଥିରେ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ବେଳେ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ଉଦ୍ୟମ ଜାରି ରଖିଛି।

ସେମାନଙ୍କ ଅଭି‌ଯୋଗ ହେଉଛି, ବହୁ ବର୍ଷ ହେଲା ଏହି ଗ୍ରାମରେ ଥିବା ମଦ ଦୋକାନକୁ ଗ୍ରାମବାସୀ ବିରୋଧ କରି ଆସୁଥିଲେ। ଗାଁ ମୁଣ୍ଡରେ ଏହି ଦୋକାନ ଥିବା କାରଣରୁ ମହିଳା ଓ ଝିଅମାନେ ସୁରକ୍ଷିତ ମଣୁ ନଥିଲେ। ଠିପିବନ୍ଦ ଦୋକାନ ହୋଇଥିଲେ ବି ଏଠାରେ ଖୁଲଖ୍‌ମୁଲା ମଦ ବିକ୍ରି ଚାଲିଥିଲା। ଗତ କିଛି ଦିନ ହେଲା ନିଶାସକ୍ତ ଯୁବକଙ୍କ ଉତ୍ପାତ ସୀମା ଟପି ଯାଇଥିଲା। ଫଳରେ ବଳପୂର୍ବକ ଏହି ଦୋକାନକୁ ବନ୍ଦ କରିବା ପାଇଁ ସମସ୍ତେ ଅଣ୍ଟା ଭିଡ଼ିଥିଲେ। ଶେଷରେ ଆଜି ରାତି ପ୍ରାୟ ୯ଟାରେ ଗାଁର ସମସ୍ତ ମହିଳା ଓ ପୁରୁଷ ଏକାଠି ହୋଇଥିଲେ। ରାଲି କରି ଆସି ଦୋକାନ ଭିତରେ ଧସେଇ ପଶିବା ସହ ନିଆଁ ଲଗାଇ ଦେଇଥିଲେ। ମଦବୋତଲ ଓ ଆସବାବପତ୍ର ବାହାରକୁ ଆଣି ପୋଡ଼ିଥିଲେ। ରିପୋର୍ଟ ଲେଖାଯିବା ସୁଦ୍ଧା, ଗାଁରେ ଉତ୍ତେଜନା ଲାଗି ରହିଛି। କବିସୂର୍ଯ୍ୟନଗର ଥାନା ଓ ବାଲିଛାଇ ଫାଣ୍ଡି ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ ଚଳାଇଛନ୍ତି।

ସମ୍ବନ୍ଧିତ ଖବର