ବିଶ୍ୱ ମହିଳା ଦିବସ : କାନ୍ଧ ଦେଲେ ମହିଳା, ମୁଖାଗ୍ନି ଦେଲେ ଝିଅ

ସବୁ ଧର୍ମର ଲୋକେ ଆଗେଇ ଆସି ଭାଇଚାରାର ବାର୍ତ୍ତା ଦେଲେ

ବରଗଡ଼ : ରବିବାର ସାରା ବିଶ୍ବ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିଛି। ବିଭିନ୍ନ ସ୍ଥାନରେ ସଭାସମିତି ଆୟୋଜନ ହୋଇଛି। ଉତ୍ସବ ହୋଇଛି। କିନ୍ତୁ ବରଗଡ଼ ସହରରେ ଏହି ଦିବସରେ ଏକ ବିରଳ ଘଟଣା ଘଟିଛି। ଯାହା ଏହି ଦିବସର ମର୍ଯାଦାକୁ ଆହୁରି ବଢ଼ାଇ ଦେଇଛି। ନାରୀମାନେ କୌଣସି କ୍ଷେତ୍ରରେ ପୁରୁଷ ଠାରୁ କମ୍ ନୁହନ୍ତି, ଏହି ବାର୍ତା ଦେଇଛନ୍ତି ବରଗଡ଼ର କିଛି ମହିଳା।

ବରଗଡ଼ ଉପକଣ୍ଠସ୍ଥ ଅମ୍ବାପାଲି ଗାଁ। ଏଠାରେ ମଜୁରିଆ ଭାବେ କାମକରି ପରିବାର ପରିପୋଷଣ କରୁଥିଲେ ବଲାଂଗୀର ଜିଲ୍ଲାର ମୂଳନିବାସୀ ଲକ୍ଷ୍ମଣ କୁଅଁର (ମାଖନୁ)। ଗତ ୨ ତାରିଖ ଗୋଟିଏ ଟେମ୍ପୁରେ ଶ୍ରମିକ ଭାବେ କାମ କରିବାକୁ ଯିବା ବେଳେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ହୋଇପଡ଼ିଥିଲେ ଲକ୍ଷ୍ମଣ। ତାଙ୍କୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ବୁର୍ଲା ମେଡିକାଲ୍‌ ସ୍ଥାନାନ୍ତର କରାଯାଇଥିଲା। ଶନିବାର ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା। ବ୍ୟବଚ୍ଛେଦ ପରେ ଶବ ଅମ୍ବାପାଲି ଅଣାଯାଇଥିଲା। ପରିବାର ମୁଖିଆଙ୍କ ମୃତ୍ୟୁରେ ସ୍ତ୍ରୀ ଗଙ୍ଗାବତୀ କୁଅଁର, ଚାରି ଝିଅ ମନିଷା (୧୫), ନିଶା (୧୦), ରାଶୀ (୬) ଓ ପ୍ରିୟା (୪)ଙ୍କ ମୁଣ୍ଡ‌େର ବଜ୍ର ପଡ଼ିଛି। ପ୍ରିୟା ଥାଲୋସେମିଆ ରୋଗରେ ଆକ୍ରାନ୍ତ ଥିବାରୁ ପ୍ରତିମାସ ତାକୁ ରକ୍ତର ଆବଶ୍ୟକ ରହିଛି। ଲକ୍ଷ୍ମଣଙ୍କ ମୃତ୍ୟୁ ପରେ ପରିବାର ସଂପୂର୍ଣ୍ଣ ଭାଙ୍ଗି ପଡିଛି। ଏଭଳି ସ୍ଥିତିରେ ଶେଷକୃତ୍ୟ କିପରି କରାଯିବ, ସେ ନେଇ ଚିନ୍ତିତ ଥିଲେ। ଘଟଣା ଜାଣିବା ପରେ ବରଗଡ଼ ଡାକ୍ତରଖାନା ବଚାଂଓ ଅଭିଯାନର ସଦସ୍ୟାମାନେ ମୃତକଙ୍କ ଘରକୁ ପହଂଚିଥିଲେ। ସମସ୍ତ ନୀତିନିୟମ, ପରମ୍ପରା ଓ ସଂସ୍କାରକୁ ଭୁଲି ଯାଇ ମହିଳାମାନେ ଶବ କାନ୍ଧେଇ ଥିଲେ। ଏପରିକି ଜୁଇ ପାଇଁ କାଠ, ଘିଅ ଆଦି ମଧ୍ୟ ମହିଳାମାନେ ପରସ୍ପର ସହଯୋଗରେ ଯୋଗାଡ଼ କରିଥିଲେ। ସୀମା ସିଂ, ସବିତା ମଲ୍ଲିକ, ଦେବିକା ସିକ୍କା, ଶାନ୍ତି ମେହେର, ମେରିୟମ ବାଲ୍ଲା, ରାଧାରାଣୀ ସରକାର, ମଂଜୁ ମଲ୍ଲିକ ପ୍ରମୁଖ ଶବ କାନ୍ଧେଇ ଜୀରା ସ୍ଥିତ ସ୍ୱର୍ଗଦ୍ୱାରକୁ ଆଣିଥିଲେ। ବଡ଼ ଝିଅ ମନିଷା ମୁଖାଗ୍ନି ଦେଇଥିଲେ। ରମେଶ ମହାପାତ୍ର, ଯଶୋବନ୍ତି ପୋଢ଼, ଅସିତ ସାହୁ, ଅଲିମ ରିଜ୍‌ବି, ମହମ୍ମଦ ନିଜାମଙ୍କ ସମେତ ଅମ୍ବାପାଲିବାସୀ ଏଥିରେ ସହଯୋଗ କରିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସବୁ ଧର୍ମର ମହିଳା ଏହି ଅନ୍ତିମ ସତ୍କାର ଦାୟିତ୍ବ ତୁଲାଇ ଭାଇଚାରାର ଏକ ଉଦାହରଣ ସୃଷ୍ଟି କରିଛନ୍ତି।

ସମ୍ବନ୍ଧିତ ଖବର