ମହାପ୍ରୟାଣ ଗାଡ଼ି ମୂଲ୍ୟହୀନ: ଜମି ବନ୍ଧକ ରଖି ୮ ଶହ ଟଙ୍କା ଟ୍ରଲି ଭଡ଼ା କରି ସ୍ୱାମୀର ଶବ ଗ୍ରାମକୁ ନେଲେ ସ୍ତ୍ରୀ

ବାରିପଦା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ସୁଖ-ସମୃଦ୍ଧି ଓ ସୁବିଧା-ଅସୁବିଧା ନିମନ୍ତେ ମାଳମାଳ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଇଛନ୍ତିି । ଏପରିକି ମା’ର ଗର୍ଭ ଧାରଣଠାରୁ ଆରମ୍ଭ କରି ଜୁଇ ଜଳିବା ପର୍ଯ୍ୟନ୍ତ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହା ମଧ୍ୟରେ ଗରୀବ ଜନସାଧାରଣଙ୍କ ନିମନ୍ତେ ଶବ ବୋହିବା ପାଇଁ ମହାପ୍ରୟାଣ ଗାଡ଼ି ଯୋଜନା ଗୋଟାଏ ରହିଛି । କିନ୍ତୁ ଏହି ଯୋଜନା ମୟୂରଭଞ୍ଜ ଜିଲ୍ଲା ଶୁକ ମାର୍ଣ୍ଡିଙ୍କ ନିମନ୍ତେ ଦୁଃଖର କାରଣ ପାଲଟିବା ସାଙ୍ଗକୁ ମୂଲ୍ୟହୀନ ସାବ୍ୟସ୍ତ ହୋଇଛି । କାରଣ ପ୍ରଶାସନିକ ଅଧିକାରୀଙ୍କ ଅପରାଗତା ଯୋଗୁଁ ଆଜି ଶୁକ ନିଜ ସ୍ୱାମୀର ମୃତଦେହକୁ ଟ୍ରଲିରେ ଗ୍ରାମକୁ ନେଇଛନ୍ତି ।

ସୂଚନାରୁ ଜଣାପଡ଼ିଛି, ରାସଗୋବିନ୍ଦପୁର ବ୍ଲକ ଗୋବରା ଗ୍ରାମର ଦୁଃଖା ମାର୍ଣ୍ଡିଙ୍କ ଦେହ ଖରାପ ହେବାରୁ ତାଙ୍କୁ ସେପ୍ଟେମ୍ବର ୧୫ ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା ଓ ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ପ୍ରାୟ ୫ଟା ସମୟରେ ତାଙ୍କର ପ୍ରାଣହାନୀ ଘଟିଥିଲା । କିନ୍ତୁ ସ୍ତ୍ରୀ ଶୁକ ଓ ତାର ପରିବାରର ସଦସ୍ୟମାନେ ଆଥର୍କି ସ୍ୱଚ୍ଛଳ ନ ଥିବାରୁ ଶବକୁ ଗାଡ଼ି ଭଡ଼ା କରି ଘରକୁ ନେବା ନିମନ୍ତେ ଅକ୍ଷମ ରହିଥିଲା । ବାଧ୍ୟ ହୋଇ ସ୍ତ୍ରୀ ଶୁକ ସାରା ରାତି ମୃତ ସ୍ୱାମୀକୁ ଜଗି ରହିଥିଲା । ରାତି ପାହି ସକାଳ ହେଲା । ମାତ୍ର ହସପିଟାଲ ପକ୍ଷରୁ ଦୁଃଖାର ଶବକୁ ତାର ଗ୍ରାମକୁ ପଠାଇବା ନିମନ୍ତେ କୌଣସି ବ୍ୟବସ୍ଥା କରାଗଲା ନାହିଁ । ପରନ୍ତୁ, ତୁରନ୍ତ ଶବକୁ ନେଇ ଯିବା ଲାଗି ବାରମ୍ବାର ତାଗିଦ କରାଗଲା ।

ଦୁଃଖା ମାର୍ଣ୍ଡି ଜଣେ ଦିନ ମଜୁରୀଆ ଶ୍ରେଣୀର । ଝାଳ ବୁହାଇ ପରିବାରର ବୋଝ ଉଠାଇ ଆସିଥିଲା । ଏହି ସମୟରେ ରୋଗରେ ପଡ଼ି ଉପଯୁକ୍ତ ଚିକିତ୍ସ ହୋଇ ନ ପାରି ଆରପାରିକୁ ଚାଲିଗଲା । ସ୍ତ୍ରୀ ଶୁକ ନିକଟରେ କାଣି କଉଡ଼ିଟିଏ ନ ଥିଲା । ଏହି ସମୟରେ ମୃତ ସ୍ୱାମୀର ଶବକୁ କିପରି ଗ୍ରାମକୁ ନେଇ ପାରିବ । ନିରୂପାୟ ହୋଇ ଗ୍ରାମକୁ ଦୌଡ଼ି ଗଲା ପଇସା ଯୋଗାଡ଼ କରିବା ଉଦେ୍ଶ୍ୟରେ ; କିନ୍ତୁ ସବୁଠି ନିରାଶ ହେବା ପରେ ଦୁଃଖା ମାର୍ଣ୍ଡିଙ୍କ ବଡ଼ ଭାଇ ରାଜେନ୍ଦ୍ର ଜମି ବନ୍ଧକ ରଖି ୮ ଶହ ଟଙ୍କା ଦେଇଥିଲେ । ଉକ୍ତ ଟଙ୍କା ଟ୍ରଲି ଯୋଗାଡ଼ କରି ଟ୍ରଲି ଚାଳକ ପରମେଶ୍ୱର ମୁଖୀଙ୍କୁ ୮ ଶହ ଟଙ୍କା ଅଗ୍ରୀମ ଭଡ଼ା ଦେଇ ପ୍ରାୟ ୫ କିମି ଦୂର ଗୋବରା ଗ୍ରାମ ଘରକୁ ନେଇ ଯାଇଥିଲା ସ୍ୱାମୀ ଦୁଃଖାର ଶବକୁ ।

ରାସ୍ତାରେ ଟ୍ରଲିରେ ଶବ ବୁହା ହୋଇ ଯାଉଥିବାର ଦୃଶ୍ୟ ଦେଖି ମହାପ୍ରୟାଣ ଯୋଜନାରେ ଗାଡ଼ି କୁଆଡ଼େ ଗଲା ବୋଲି ଜନସାଧାରଣ ପ୍ରଶ୍ନ ପରେ ପ୍ରଶ୍ନ ପ୍ରଶ୍ନ କରିବାରେ ଲାଗି ଥିଲେ । ଏ ନେଇ ରାସଗୋବିନ୍ଦପୁର ହସପିଟାଲର ମେଡ଼ିକାଲ ଅଫିସରଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନ ଥିବା ସମୟରେ ବିଡ଼ିଓ ଓ ତହସିଲଦାର ଏ ବିଷୟରେ କିଛି ଜଣି ନାହାନ୍ତି ଅଥବା ତାଙ୍କୁ କେହି ଜଣାଇ ନାହାନ୍ତି ବୋଲି କହିଥିଲେ । ଯଦି ଗରୀବ ଦରୀଦ୍ର ଜନସାଧାରଣଙ୍କ କାମରେ ଆସି ପାରିଲା ନାହିଁ ମୁଖ୍ୟମନ୍ତ୍ରୀଙ୍କ ମହାପ୍ରୟାଣ ଯୋଜନା, ତେବେ ସେହି ଯୋଜନାର ମୂଲ୍ୟ କେତେ ତାହାକୁ ଉପରକ୍ତ ଜନସାଧାରଣ ଅଙ୍ଗୁଳି ଉଠାଇଛନ୍ତି ।

ସମ୍ବନ୍ଧିତ ଖବର