ଲଇକେରା : ମଦ ବିରୋଧରେ ମହିଳାଙ୍କ ବିଜୟ ହୋଇଛି। ଦୀର୍ଘ ୩୮ ଦିନ ଧରି ଚାଲିଥିବା ମଦ ବିରୋଧୀ ଆନ୍ଦୋଳନ ଗୁରୁବାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ବୁଧବାର ପ୍ରଶାସନ ପକ୍ଷରୁ ଭାଟି ବନ୍ଦ ନେଇ ପ୍ରତିଶ୍ରୁତି ମିଳିଲା ପରେ ମହିଳମାନେ ଗୁରୁବାର ବିଜୟ ଉତ୍ସବ ପାଳନ କରିଥିଲେ। ତେବେ, ଏଥିରେ କିଛି କେଁ ଏବେ ବି ରହିଯାଇଛି। ଧାରଣାର ନେତୃତ୍ବ ନେଉଥିବା ପ୍ରେମଶିଳା ଗୋଖରା କହିଛନ୍ତି ଯେ ଆମର ଲକ୍ଷ୍ୟ ପଞ୍ଚାୟତକୁ ମଦମୁକ୍ତ କରିବା। ନାରୀ ସଶକ୍ତୀକରଣ ଓ ମଦମୁକ୍ତି ଆନ୍ଦୋଳନରେ ଏହା ଏକ ଐତିହାସିକ ବିଜୟ ଏବଂ ଦୃଷ୍ଟାନ୍ତ ହୋଇ ରହିବ। ଶୁକ୍ରବାର ଆମେମାନେ ଜିଲ୍ଲାପାଳଙ୍କ ସହ ଏନେଇ ସିଧାସଳଖ ଆଲୋଚନା କରିବୁ। ଆମ ଆଗରେ ମଦ ଭାଟି ବନ୍ଦ ନେଇ ଲିଖିତ ପ୍ରତିଶ୍ରୁତି ଦେଲା ପରେ ଆମେ ଧାରଣାରୁ ବିଧିବଦ୍ଧ ଉଠିବୁ ବୋଲି ଶ୍ରୀମତୀ ଗୋଖରା କହିଛନ୍ତି।
ପ୍ରକାଶଥାଉ କି, ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ଭାଲୁପତ୍ରାର ମୁଖ୍ୟରାସ୍ତା କଡ଼ରେ ଥିବା ମଦଭାଟିକୁ ବନ୍ଦ କରିବା ପାଇଁ ମହିଳାମାନେ ଦିନ ରାତି ଧାରଣା ଦେଇଥିଲେ। ପ୍ରଶାସନର ଅଣଦେଖା ଓ ପୁଲିସର ନାଲି ଆଖିକୁ ଖାତିର ନକରି ଛୁଆପିଲାଙ୍କ ଧରି ମହିଳାମାନେ ଚଲାଇଥିଲେ ଆନ୍ଦୋଳନ। ବୁଧବାର ସନ୍ଧ୍ୟାରେ ଝାରସୁଗୁଡ଼ା ଜିଲ୍ଲାପାଳ ବିଭୂତି ଭୂଷଣ ଦାସଙ୍କ ନିର୍ଦେଶରେ ଏକ ବୈଠକ ହୋଇଥିଲା। ଏଡିଏମ ଜ୍ଞାନରଞ୍ଜନ ଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପିଡି ସତ୍ୟନାରାୟଣ ଦାସ ଓ ଅବକାରୀ ଅଧୀକ୍ଷକ ନାରାୟଣ ମେହେର ପ୍ରମୁଖଙ୍କ ସହ ଆଲୋଚନା ହୋଇଥିଲା। ଏଥିରେ ଉକ୍ତ ବିବାଦୀୟ ମଦ ଭାଟିକୁ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ମହିଳାଙ୍କ ଉପରେ ବିଭିନ୍ନ ମାମଲାଗୁଡିକୁ ପ୍ରତ୍ୟାହାର କରିବା ସହିତ ଭାଟିକୁ ସେହି ଜାଗାରୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଆଦି ପ୍ରତିଶ୍ରୁତି ଦିଆଯାଇଥିଲା। ଝାରସୁଗୁଡା ଜନ ଜାଗରଣ ମଞ୍ଚ ମହିଳାଙ୍କୁ ସମର୍ଥନ ଜଣାଇ ରିଲେ ଅନଶନ ଦ୍ବାରା ପ୍ରଶାସନ ଉପରେ ଚାପ ପକାଇଥିଲା। ଏହି ସଦସ୍ୟମାନେ ଗୁରୁବାର ଉକ୍ତ ମଦଭାଟି ସମ୍ମୁଖରେ ଧାରଣା ଦେଇଥିବା ମହିଳାଙ୍କ ସହିତ ଆଲୋଚନା କରି ଧାରଣା ଭଙ୍ଗ କରିଥିଲେ। ନାରୀଶକ୍ତି ଆଜି ବିଜୟ ହୋଇଛି ବୋଲି ସେମାନେ କହିଥିଲେ। ସମାଜସେବୀ ତଥା ନାରୀ କଲ୍ୟାଣ ପରିଷଦ ଅଧକ୍ଷା ସଞ୍ଜୁଲତା ନାଏକ କହିଛନ୍ତି ଯେ ଏହା ଧର୍ମର ବିଜୟ। ଏଥିପାଇଁ ଗଣମାଧ୍ୟମ ପ୍ରତିନିଧି, ସଚେତନ ନାଗରିକ, ପ୍ରଶାସନ, ଜନ ଜାଗରଣ ମଞ୍ଚ, ଆଦିବାସୀ ଜନଜାତି ଅଧିକାର ମଞ୍ଚ, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରମୁଖଙ୍କୁ ସରପଞ୍ଚ ମଞ୍ଜୁଲତା ପଟେଲ, ୱାର୍ଡସଭ୍ୟ ଗୀତାଞ୍ଜଳି ନାଏକ ପ୍ରମୁଖ ଏବଂ ଅନ୍ୟ ମହିଳାମାନେ କୃତଜ୍ଞତା ଅର୍ପଣ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/SBPHO14-LAIKERA.jpg)