ଗଣିଜାଙ୍ଗ: ବନ୍ତ ବ୍ଲକ୍ କେନ୍ଦୁଆପଦା ପଞ୍ଚାୟତ ଗୋହିରାପଦି ଗାଁରେ ଜଣେ ବର୍ହିରାଗତ ମହିଳା ପ୍ରାୟ ୫ ବର୍ଷ ଧରି ରହିବା ଭିତରେ ସମସ୍ତଙ୍କର ବିଶ୍ବାସ ବଢ଼ାଇଥିଲେ। ଏହାର ସୁଯୋଗ ନେଇ ସଂପୃକ୍ତ ମହିଳାଜଣକ ଆଶ୍ରୟଦାତାଙ୍କ ଘରେ କଳାକନା ବୁଲାଇବା ସହ ବିଭିନ୍ନ ଲୋକଙ୍କଠାରୁ ବିଭିନ୍ନ ବାଟରେ ୧୦ ଲକ୍ଷରୁ ଅଧିକ ଟଙ୍କା ନେଇ ଚମ୍ପଟ୍ ମାରିଛନ୍ତି। ଏମିତିକି ଗାଁର ଜଣେ ମହିଳା ନିଜ ଝିଅ ବାହାଘର ପାଇଁ ରଖିଥିବା ଟଙ୍କାକୁ ଏହି ଠକ ମହିଳା ତଞ୍ଚକତା କରି ହାତେଇ ନେଇଛନ୍ତି।
ଗ୍ରାମବାସୀଙ୍କ ଆଗରେ ନିଜକୁ ସୁକାନ୍ତି ମହାରଣା ନାମରେ ପରିଚୟ ଦେଇଥିବା ଏହି ମହିଳାଙ୍କ ପ୍ରକୃତ ନାମ ଓ ଠିକଣା ଏବେ ବି ଅଜଣା। ଠକେଇର ଶିକାର ହୋଇଥିବା ଗ୍ରାମର ମୀନତି ରାଉତ, ସରସ୍ୱତୀ ରାଉତ, ଅଳି ରାଉତ, ମମତା ରାଉତ, ପ୍ରତିଭା ରାଉତ, ହେମଲତା ନାୟକ, ଲିଜା ନାୟକ, କୌଶଲ୍ୟା ନାୟକ, ମାଣିକ ସ୍ୱାଇଁ, ମଞ୍ଜୁଲତା ପରିଡା, ଅଞ୍ଜଳୀ ସେଠୀ ପ୍ରମୁଖ ଏ ସଂକ୍ରାନ୍ତରେ ସ୍ଥାନୀୟ ଫାଣ୍ଡିରେ ୨ ଥର ଏତଲା ଦେଲେଣି। କିନ୍ତୁ ପୁଲିସ ଏ ମାମଲାରେ ମୁଣ୍ଡ ଖେଳାଉ ନଥିବାରୁ ମହିଳାମାନେ ଗଣମାଧ୍ୟମ ଜରିଆରେ ପୁଲିସ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଉକ୍ତ ଠକ ମହିଳା କ୍ଷୀରବାଲା, ପରିବା ଦୋକାନୀ, ଏମିତିକି ଭତ୍ତା ପାଉଥିବା ବୃଦ୍ଧବୃଦ୍ଧାଙ୍କୁ ମଧ୍ୟ ଛାଡ଼ିନଥିବା ଜଣାପଡ଼ିଛି।